*ଦିଲ୍ଲୀରେ ମନମୋହନ ସାମଲ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଗୁରୁବାର ଫାଇନାଲ ମିଟିଂ*
ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି । ପୂର୍ବରୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଥିବା ବେଳେ ରାଜ୍ୟ ସିଭାପତି ଓ ସଂଗଠନ ମନ୍ତ୍ରୀଙ୍କ ଦିଲ୍ଲୀଗସ୍ତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଆସନ୍ତା କାଲି ଦିଲ୍ଲୀରେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ ବୋଲି ସୂଚନା ମିଳିଛି । ଏହି ବୈଠକରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ନିଗମ ନିଯୁକ୍ତି ତାଲିକା ଉପରେ ବି ବାଜିପାରେ ଚୂଡ଼ାନ୍ତ ମୋହର ।
ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କାଲି ଫାଇନାଲ ମିଟିଂ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଥିବା ବେଳେ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି | ଏହା ପୂର୍ବରୁ ଏକାଧିକ ଥର ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲେଚନା କରିଛନ୍ତି ଉଭୟ ମୋହନ ଓ ମନମୋହନ । ହେଲେ ଏଥର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ସହ ରାଜ୍ୟ ମନ୍ତ୍ରିମଣ୍ଡଳ ତାଲିକାରେ ମୋହର ବାଜିବ ବୋଲି କୁହାଯାଉଛି | ଏଥି ପାଇଁ କାଲି ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ଫାଇନାଲ୍ ହୋଇଥିବା କୁହାଯାଉଛି । ତେବେ ଆଗାମୀ ଉପ ରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସାମ୍ପ୍ରସାରଣ କରିପାରନ୍ତି ମୋହନ ସରକାର ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ନା ପୁନର୍ଗଠନ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ବିଭାଗୀୟ ସମୀକ୍ଷା କରି ମନ୍ତ୍ରୀମାନଙ୍କ ଦକ୍ଷତା ପରଖି ସାରିଛନ୍ତି | ଏହାବାଦ ମନ୍ତ୍ରୀମାନେ ନିଜ ନିଜର ରିପୋର୍ଟ କାର୍ଡ ମଧ୍ୟ ଦେଇଛନ୍ତି| ତେଣୁ ଏହି ଆଧାରରେ କିଛି ମନ୍ତ୍ରୀଙ୍କ ପଦ ଯାଇପାରେ କିମ୍ବା ବିଭାଗ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ମନ୍ତ୍ରୀ ଆଶାୟୀ ଥିବା ବିଧାୟକଙ୍କ ହାର୍ଟବିଟ୍ ମଧ୍ୟ ବଢ଼ିବାରେ ଲାଗିଛି । କାହାକୁ ମିଳିବ ମନ୍ତ୍ରୀ ପଦ ତାକୁ ନେଇ ମଧ୍ୟ ଲାଗି ରହିଛି କଳ୍ପନା ଜଳ୍ପନା । ରାଜନୀତି ସମୀକ୍ଷକଙ୍କ କହିବା କଥା, ଜିଲ୍ଲା ଏବଂ ସଂସଦୀୟ କ୍ଷେତ୍ରକୁ ମନ୍ତ୍ରୀ ପଦ ମିଳିପାରେ | ସେହିଭଳି ଏକମାତ୍ର ମହିଳା ଉପ ମୁଖ୍ୟମନ୍ତ୍ରୀ ଥିବାରୁ ମହିଳା ଏବଂ ଯୁବ ବିଧାୟକଙ୍କୁ ମୋହନ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇପାରନ୍ତି ।
ଓଡ଼ିଶା ବିଧାନସଭାରେ ୧୪୭ ସଦସ୍ୟ ଅଛନ୍ତି । ଏହାର ୧୫ ପ୍ରତିଶତ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ୨୨ଜଣ ମନ୍ତ୍ରୀ ରହିପାରିବେ । ତେବେ ବର୍ତମାନ ମୋହନଙ୍କ ମନ୍ତ୍ରୀମଣ୍ଡଳରେ ୧୬ଜଣ ମନ୍ତ୍ରୀ ଅଛନ୍ତି । ଏମିତିରେ ଆଉ ୬ ମନ୍ତ୍ରୀ ପଦକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق