ଏନ୍ଏସି ମାନ୍ୟତାରୁ ବାଦ ପଡିଲା କଣ୍ଟିଲୋ
ଖଣ୍ଡପଡ଼ା ୧|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ କଣ୍ଟିଲୋକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରାନଯିବା ପରେ ଅଞ୍ଚଳବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜ୍ଯ ସରକାର ୨୧ ଟି ନୂତନ ଏନଏସି ଘୋଷଣା କରିଥିଲେ ହେଁ କଣ୍ଟିଲୋ ସେଥିରୁ ବାଦ ପଡିଥିବା ଜଣାଯାଇଛି। ପ୍ରକାଶଥାଉକି ତତ୍କାଳୀନ ରାଜ୍ଯ ସରକାର ପ୍ରଭୁ ଶ୍ରୀନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ଯତା ପ୍ରଦାନ ନେଇ ଘୋଷଣା କରିଥିଲେ। ଫଳରେ କଣ୍ଟିଲୋ ପଞ୍ଚାୟତବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଥିଲା ।ଦିର୍ଘ ବର୍ଷ ପରେ କଣ୍ଟିଲୋ ଅଞ୍ଚଳବାସୀଙ୍କ ସ୍ବପ୍ନକୁ ସାକାର କରିବାରେ ପୂର୍ବ ସରକାର ସଫଳ ହୋଇଥିବା ବେଳେ ଏବେ ନୂତନ ସରକାରଙ୍କ ଘୋଷଣା କଣ୍ଟିଲୋବାସୀଙ୍କୁ ପୁରା ନିରାଶ କରିଛି। ଫଳରେ ଏ ନେଇ ନିକଟ ଭବିଷ୍ୟତରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବାର ଆଶଙ୍କା ପ୍ରକାଶ ପାଇଛି। ରାଜ୍ଯରେ ସରକାର ପରିବର୍ତ୍ତନ ହେବାସହ ସରକାରୀ ନୀତି ନିୟମ ଓ ଘୋଷଣାରେ ପରିବର୍ତ୍ତନ ହେବା ଯୋଗୁଁ କଣ୍ଟିଲୋ ଅଞ୍ଚଳବାସୀଙ୍କ ସ୍ବାର୍ଥ ସ୍ବାଭିମାନ ଓ ଦିର୍ଘ ବର୍ଷର ସ୍ବପ୍ନ ଚୁରମାର ହୋଇଯାଇଛି। ତେବେ ଏ ଦିଗରେ ଖଣ୍ଡପଡ଼ା ବିଧାୟକ ଓ ସାଂସଦଙ୍କ ନୀରବତାକୁ ନେଇ କଣ୍ଟିଲୋ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସାମଗ୍ରିକ ଦୃଷ୍ଟି କୋଣରୁ ଏକକ ରାଜସ୍ବ ଗ୍ରାମ ଭାବେ ପରିଚିତ ଜନବହୁଳ ପଞ୍ଚାୟତ କଣ୍ଟିଲୋ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ଯତା ପାଇବା ପାଇଁ ହକଦାର ଥିବା ବେଳେ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق