ବ୍ୟବସାୟୀଙ୍କ ମୃତ୍ୟୁରେ ବଜାର ବନ୍ଦ, ଶୋକସଭା ପାଳନ
ଗଣିଆ ୪/୦୮(ମଣିଭଦ୍ରା ଖବର) ଗଣିଆ ବଣିକ ସଂଘର ଜଣେ ବ୍ୟବସାୟୀଙ୍କ ମୃତ୍ୟୁରେ ଆଜି ଗଣିଆ ବଜାର ବନ୍ଦ କରାଯାଇଥିବା ଜଣାପଡ଼ିଛି । ରାସଙ୍ଗ ଗ୍ରାମର ବ୍ୟବସାୟୀ ହୃଦାନନ୍ଦ ସ୍ବାଇଁ ଦୋକାନକୁ ଆସିଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଗଣିଆ ମେଡିକାଲ ଓ ପରେ ନୟାଗଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ବଣିକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରିବା ସହିତ ସକାଳ ୬ ଘଟିକା ଠାରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଥିଲା ।
ଗଣିଆ ରଘୁନାଥ ଜୀଉ ମନ୍ଦିର ପରିସରରେ ଆୟୋଜିତ ଏକ ଶୋକସଭାରେ ବଜାର କମିଟି ଉପସଭାପତି କୂଳମଣି ସାହୁଙ୍କ ସଭାପତିତ୍ବରେ ସମ୍ପାଦକ ପ୍ରଭାତ କୁମାର ଦାଶ, ଉପଦେଷ୍ଟା ଜଗନ୍ନାଥ ଦାଶ, ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରକାଶ କୁମାର ସାହୁ,ଅଟଳ ବିହାରି ରାଉତ,ଶରତ କୁମାର ସାହୁ,କାବୁଲି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ଵନା ପ୍ରଦାନ କରାଯାଇଥିଲା । ସେ ଜଣେ ଅତ୍ୟନ୍ତ ମେଳାପୀ, ପରୋପକାରୀ ତଥା ଦରଦୀ ମଣିଷ ଥିଲେ । ତାଙ୍କ ସମ୍ପର୍କରେ ଉପସ୍ଥିତ ସଭ୍ୟ ମାନେ ମତାମତ ପ୍ରଦାନ କରିଥିଲେ । ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ
إرسال تعليق