ଲକ୍ଷ୍ମୀପ୍ରସାଦ ଗ୍ରାମକୁ ରାସ୍ତା ନିର୍ମାଣ ଦାବି
ଖଣ୍ଡପଡ଼ା ୩୧|୭ (ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଲକ ଅଧିନ ଯୋଗିଆପଲ୍ଲୀ ପଞ୍ଚାୟତର ଲକ୍ଷ୍ମୀପ୍ରସାଦ ଗ୍ରାମକୁ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ଯ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଖଣ୍ଡପଡ଼ାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାରୁ ଲକ୍ଷ୍ମୀପ୍ରସାଦ ଗ୍ରାମକୁ ସଂଯୋଗ କରୁଥିବା ମାଟି ରାସ୍ତା ଦେଇ ବର୍ଷ ବର୍ଷ ଧରି ଗ୍ରାମବାସୀମାନେ ଯାତାୟତ କରୁଥିବା ବେଳେ ବର୍ଷାଦିନେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ଯୋଗିଆପଲ୍ଲୀ ପଞ୍ଚାୟତର ୧ ନଂ ୱାର୍ଡ ଅଧିନରେ ଥିବା ଏହି ଗ୍ରାମର ଲୋକସଂଖ୍ୟା ୬୦୦ ରୁ ଉର୍ଦ୍ଧ୍ବ ହେବ ବୋଲି ଲକ୍ଷ୍ମୀପ୍ରସାଦ ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି। ଗ୍ରାମକୁ ପକ୍କା ରାସ୍ତାଟିଏ ନିର୍ମାଣ ନିମନ୍ତେ ଲକ୍ଷ୍ମୀପ୍ରସାଦ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ନତୁବା ଲୋକପ୍ରତିନିଧିମାନେ କେହିହେଲେ ଉକ୍ତ ରାସ୍ତାର ଉନ୍ନତିକରଣ ଦିଗରେ ପଦକ୍ଷେପ ନେଇନଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। କେନ୍ଦ୍ର ଓ ରାଜ୍ଯ ସରକାର ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଥିଲେ ହେଁ ଦୀପତଳ ଅନ୍ଧାର ପରି ଲକ୍ଷ୍ମୀପ୍ରସାଦ ଗ୍ରାମ୍ଯ ରାସ୍ତାର ଉନ୍ନତିକରଣ ନିମନ୍ତେ ଦୃଷ୍ଟି ନଦେବା ପରିତାପର ବିଷୟ।ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଓ ଗ୍ରାମ୍ଯ ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଲକ୍ଷ୍ମୀପ୍ରସାଦ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସିମେଣ୍ଟ କଂକ୍ରିଟକରଣ କରିବାକୁ ସାଧାରଣରେ ଦାବି ହେଉଛି। ଖଣ୍ଡପଡ଼ା ବ୍ଲକ ରୁ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଖବର
إرسال تعليق