ବରପାଲି ଏନ୍ଏସି ଜେଇଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ
ସମ୍ବଲପୁର: (ମଣିଭଦ୍ରା ଖବର)
ବରପାଲି ଏନ୍ଏସିରେ ଅବସ୍ଥାପିତ ଜେଇଙ୍କ ବିରୁଦ୍ଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ଉପରେ ତଦନ୍ତକାରୀ ଦଳ ପହଞ୍ଚି ତଦନ୍ତ କରିଛନ୍ତି । ବରପାଲି ଏନ୍ଏସି ଜେଇଙ୍କ ବିରୁଦ୍ଧରେ ବହୁ ଗୁରୁତର ଦୁର୍ନୀତି ଅଭିଯୋଗ ନେଇ କାଉନସିଲର ଓ ଠିକାଦାରମାନେ ବରଗଡ଼ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ରାଜ୍ୟ ନଗର ଉନ୍ନୟନ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ। ଏହା ଉପରେ ତଦନ୍ତ ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ବରଗଡ଼ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତକାରୀ ଦଳ ପହଞ୍ଚି ଜେଇଙ୍କ କାର୍ଯ୍ୟାଳୟରେ ତଦନ୍ତ କରିଥିଲେ। ଏହି ତଦନ୍ତ ବେଳେ ବହୁ କାଉନସିଲର ଓ ଠିକାଦାର ମଧ୍ୟ ଉପସ୍ଥିତ ରହି ତାଙ୍କ ଅଭିଯୋଗ ରଖିଥିଲେ । ତଦନ୍ତ ରିପୋର୍ଟ ସେ ଜିଲ୍ଲାପାଳ ଙ୍କୁ ଦେବେ ବୋଲି ପ୍ରକାଶ କରିଥିଲେ। ଏହି ତଦନ୍ତକାରୀ ଦଳରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସୁରଜ୍ ପଟ୍ଟନାୟକ, ଜିଲ୍ଲା ସ୍ପେସିଆଲ ଅଡିଟର ଆନନ୍ଦ ପ୍ରଧାନ, ଡୁଡାର ବିଦ୍ୟାଧର ଶତପଥୀ, ବିକାଶ ସାହୁଙ୍କ ସମେତ ବରପାଲି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଉକ୍ତ ଜେଇଙ୍କ ଦୁର୍ନୀତି ଅଭିଯୋଗରେ କିଛି ଦିନ ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ କାଉନସିଲରମାନେ ତାଲା ପକାଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق