ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଖଣ୍ଡପଡ଼ା ବିଧାୟକ
ଖଣ୍ଡପଡ଼ା ବ୍ଲକ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଭାରତର ସର୍ବୋଚ୍ଚ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ନିକଟ ଅତୀତରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ ପ୍ରଭୁ ଶ୍ରୀ ନୀଳମାଧବ କ୍ଷେତ୍ର କଣ୍ଟିଲୋ ଏବଂ ଶବର ରାଜା ବିଶ୍ଵାବସୁଙ୍କ ଗାଁ କାଳିଆପଲ୍ଲୀ ପରିଦର୍ଶନ କରି ଫେରିଥିବା ବେଳେ ଗତ ମଙ୍ଗଳବାର ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପହଞ୍ଚି ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ଖଣ୍ଡପଡ଼ା ପରି ଏକ ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ରରୁ ପ୍ରଥମ ଥର ବିଧାୟକ ଭାବେ ପ୍ରତିନିଧିତ୍ଵ କରିବାର ସୁଯୋଗ ପାଇଥିବା ବିଧାୟକ ଶ୍ରୀ ସ୍ୱାଇଁ ପ୍ରଥମ ଥର ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତକରି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁସ୍ଥ ନିରାମୟ ଜୀବନ ପାଇଁ ବିଧାୟକ ଶ୍ରୀ ସ୍ୱାଇଁ ପ୍ରଭୁ ନୀଳମାଧବଙ୍କ ନିକଟରେ ପ୍ରାର୍ଥନା କରିବା ସହ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଚିତ୍ରକଳା ଏବଂ ଉପଢୌକନ ପ୍ରଦାନ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସମୟରେ ବିଧାୟକ ଶ୍ରୀ ସ୍ୱାଇଁ କଣ୍ଟିଲୋ ନୀଳମାଧବ ମନ୍ଦିର ସୌନ୍ଦର୍ଯ୍ୟକରଣ, ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା, ପରିଚାଳନା କମିଟି ଏବଂ କର୍ପସ ଫଣ୍ଡ ବ୍ୟବସ୍ଥା, ବିଶ୍ଵାବସୁଙ୍କ ଜନ୍ମସ୍ଥାନ କାଳିଆପଲ୍ଲୀ ଗ୍ରାମର ବିକାଶ ପାଇଁ ମାଷ୍ଟର ପ୍ଲାନ, ନାରାୟଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ, ଅଶିଦଶକରୁ ରହିଥିବା ପାନ୍ଥନିବାସର ଆଧୁନୀକରଣ, ବିଶ୍ଵାବସୁଙ୍କ ନାମରେ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା, ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତ ଉଷ୍ମ ପ୍ରସବଣ କେନ୍ଦ୍ରକୁ ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା, ବିଶ୍ଵ ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ପଠାଣି ସାମନ୍ତଙ୍କ ନାମରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଆଦି ଦିଗରେ ସ୍ଵତନ୍ତ୍ର ଆଲୋଚନା କରିଛନ୍ତି। ଏଥିସହ କଣ୍ଟିଲୋର କଂସା ବାସନ, ଖଳିସାହିର ପିତଳ ମୂର୍ତ୍ତି, ତେନ୍ତୁଳିଆପଲ୍ଲୀ, କଇଫୁଲିଆ, ବାଇଗୁଣିଆ, ଜାମୁସାହି ଆଦି ଗ୍ରାମର କୁଶଳୀ ଶିଳ୍ପୀଙ୍କ ହାତ ତିଆରି ହସ୍ତତନ୍ତ, ବେଣାଗାଡ଼ିଆ ଗ୍ରାମର ମାଟି ଶିଳ୍ପ, ଖଣ୍ଡପଡ଼ା କୁମ୍ଭାର ସାହିର କାରିଗରଙ୍କ ମାଟିଶିଳ୍ପ (ମୂର୍ତ୍ତି) ଏବଂ ବରପଲ୍ଲି, କଇଁଥପଲ୍ଲୀ ଓ ଖଳଖଳା ଗ୍ରାମର ବାଉଁଶପାତ୍ର କାରିଗରୀ ଆଜି ଇତିହାସର ପୃଷ୍ଠା ପାଲଟିବାକୁ ବସିଥିବା ନେଇ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଧାୟକ ଶ୍ରୀ ସ୍ୱାଇଁ। ଅନ୍ୟପକ୍ଷେ ଚିରସ୍ରୋତା ମହାନଦୀ ଅବବାହିକା ନିକଟରେ ଚାଷଜମି, ନଦୀ ଜଳ, ଜଳ ସେଚନ ଓ ପାନୀୟ ଜଳ ଉପରେ ନିର୍ଭରଶିଳ ଜନସାଧାରଣ ଦୀର୍ଘ ଦଶନ୍ଧି ଧରି ନାନା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ସେହିପରି ଖଣ୍ଡପଡ଼ା ଅଞ୍ଚଳର ବଣ ପାହାଡ଼ ଘେରା ସଦୃଶ୍ୟ ପର୍ଯ୍ୟଟନ କ୍ଷେତ୍ର ଆଜି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ପଡ଼ି ରହିଛି। ତେଣୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଏ ସମସ୍ତ ସମସ୍ୟା ସମ୍ପର୍କରେ ମହାମହିମ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ପାଇଁ ନିବେଦନ କରିଛନ୍ତି ବିଧାୟକ ଶ୍ରୀ ସ୍ୱାଇଁ। ଏଥିସହ କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବଙ୍କ ସହ ମଧ୍ୟ ସାକ୍ଷାତକାର କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରି ଫେରିଛନ୍ତି ବିଧାୟକ ଶ୍ରୀ ସ୍ୱାଇଁ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment