ପରିତ୍ୟକ୍ତ ଅବସ୍ଥାରେ ଢୋଲମରା ବଡପୋଖରୀ , ପୁନରୁଦ୍ଧାର ଦାବି
ଖଣ୍ଡପଡ଼ା ୨୬|୬ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର))ଖଣ୍ଡପଡ଼ା ବ୍ଲକ ଅଧିନ ଢୋଲମରା ଗ୍ରାମର ବଡ଼ ପୋଖରୀଟିରୁ ଦୀର୍ଘ ବର୍ଷ ଧରି ପଙ୍କଉଦ୍ଧାର କରାଯାଇ ନଥିବାରୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ପୋଖରୀର ଜଳ ଅନାବନା ଘାସ ଓ ପଦ୍ମପତ୍ରରେ ଭର୍ତ୍ତି ହୋଇ ରହିଛି। ଫଳରେ ପୋଖରୀର ପାଣି ବିଷାକ୍ତ ହୋଇଛି। ଏକଦା ଉକ୍ତ ପୋଖରୀର ପାଣି ଗ୍ରାମବାସୀଙ୍କ ଦୈନନ୍ଦିନ କାର୍ଯ୍ଯରେ ଲାଗୁଥିବା ବେଳେ ଏବେ କିନ୍ତୁ ପୋଖରୀରୁ ମୁହଁ ଫେରାଉଛନ୍ତି ସ୍ଥାନୀୟ ବାସିନ୍ଦା।ପୋଖରୀରୁ ପଙ୍କଉଦ୍ଧାର ଦିଗରେ ବାରମ୍ବାର ଦାବି ସତ୍ତ୍ବେ ମଧ୍ଯ ପଞ୍ଚାୟତ କର୍ତ୍ତୃପକ୍ଷ ନତୁବା ବ୍ଲକ୍ ପ୍ରଶାସନ କେହିହେଲେ ଧ୍ୟାନ ଦେଉନଥିବାରୁ ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଉଛି। ଅନାବନା ଦଳ ,ପଦ୍ମଫୁଲ ନାଡରେ ବିଷଧର ସାପ ବାସ କରୁଥିବାରୁ ସ୍ଥାନୀୟ ବାସିନ୍ଦା ଓ ଆଖପାଖ ଅଞ୍ଚଳର ଜନସାଧାରଣ ଉକ୍ତ ପୋଖରୀକୁ ଯିବାକୁ ଭୟ କରୁଛନ୍ତି। ରୟତି ଢୋଲମରା, ପାଇକ ଢୋଲମରା ଓ କୃଷ୍ଣଚନ୍ଦ୍ରପୁର ପାଟଣା ପରି ୩ ଟି ରାଜସ୍ବ ଗ୍ରାମର ବାସିନ୍ଦା ଏହି ପୋଖରୀ ଉପରେ ସଦାସର୍ବଦା ନିର୍ଭର କରି ଚଳୁଥିବା ବେଳେ ଗ୍ରାମବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବଡପୋଖରୀ ଟିର ପୁନରୁଦ୍ଧାର ଦିଗରେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ସେହିପରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉକ୍ତ ପୋଖରୀର ପୁନରୁଦ୍ଧାର କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment