ଭିନ୍ନ ଏକ ପରମ୍ପରା ଯେଉଁଠି ବିଗ୍ରହମାନଙ୍କ ନୀତିକାନ୍ତି ହୁଏ ,ହୁଏନି ରଥଯାତ୍ରା
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ାବ୍ଲକ କଣ୍ଟିଲୋ ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ପରିଚିତ କଣ୍ଟିଲୋ ସ୍ଥିତ ପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିରର ପାର୍ଶ୍ବ ଦେବତା ଭାବେ ପୂଜା ପାଉଛନ୍ତି ଶ୍ରୀ ଜଗନ୍ନାଥ ଜୀଉ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା। ବାରମାସରେ ୧୩ ପର୍ବ ତିନି ବିଗ୍ରହଙ୍କ ନିକଟରେ ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ୩ ବିଗ୍ରହଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସହ ବିଗ୍ରହମାନେ ହାତୀ ବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ବିଗ୍ରହମାନଙ୍କ ଦେବସ୍ନାନ ନୀତି ପରେ ଅଣସର ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଅଣସରଗୃହରୁ ବିଗ୍ରହମାନେ ବାହାରିବା ପରେ ନବଯୌବନ ବେଶରେ ବିଗ୍ରହମାନେ ଦର୍ଶନ ଦେଇଥାନ୍ତି।କିନ୍ତୁ କଣ୍ଟିଲୋରେ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇନଥାଏ। ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିର ଇତିହାସରୁ ଜଣାଯାଏ ଦେବନୀତି ଅନୁଯାୟୀ ବିଗ୍ରହମାନଙ୍କର ସମସ୍ତ ନୀତିକାନ୍ତି ସତ୍ତ୍ବେ କଣ୍ଟିଲୋରେ ରଥଯାତ୍ରା ଅନୁଷ୍ଠିତ ନହେବାର ପରମ୍ପରା ବର୍ଷ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି। ପୁରୀର ଶ୍ରୀମନ୍ଦିର ସହ ନୀତିକାନ୍ତିରେ ସାମଞ୍ଜସ୍ଯ ରଖୁଥିବା ପ୍ରଭୁ ଶ୍ରୀ ନୀଳମାଧବଙ୍କ କ୍ଷେତ୍ରରେ ରଥଯାତ୍ରା ନହେବାର କାରଣ କଣ ତାହା ବୁଝାପଡୁନାହିଁ। ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଦ୍ବାରା ପରିଚାଳିତ ପ୍ରଭୁ ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନିମନ୍ତେ ପ୍ରଶାସନ ଓ ନୟାଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ କଣ୍ଟିଲୋ ଅଞ୍ଚଳର ଜନସାଧାରଣ ଓ ଜଗନ୍ନାଥପ୍ରେମୀ ମାନେ ଦାବି କରିଛନ୍ତି। ସେହିପରି ଖଣ୍ଡପଡ଼ା ବ୍ଲକ ଅଧିନ ସିଧାମୂଳା ଗ୍ରାମର ପ୍ରଭୁ ଶ୍ରୀ ଗୋକୁଳାନନ୍ଦଜୀଉଙ୍କ ପୀଠରେ ପାର୍ଶ୍ବ ଦେବତା ଭାବେ ପୂଜା ପାଉଥିବା ୩ ବିଗ୍ରହଙ୍କ ନିକଟରେ ପାରମ୍ପାରିକ ପ୍ରଥାନୁଯାୟୀ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଥିଲେ ହେଁ ସେଠାରେ ମଧ୍ଯ ରଥଯାତ୍ରା ଅନୁଷ୍ଠିତ ହୋଇନଥାଏ ବୋଲି ଜଣାପଡିଛି।ପ୍ରକାଶଥାଉକି ଦେଶ ଓ ବିଦେଶରେ ଶ୍ରୀଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ବାରା ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋ ସ୍ଥିତି ଶ୍ରୀ ନୀଳମାଧବଙ୍କ କ୍ଷେତ୍ରରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ନହେବା ପରିତାପର ବିଷୟ ଅଟେ। ରାଜ୍ଯ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ କଣ୍ଟିଲୋ ,ବାଣପୁର,ପଥରଚକଡ଼ା,ଧାନଚେଙ୍ଗଡ଼ା ପଞ୍ଚାୟତ ବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment