BREAKING
Loading...
:

ନାବାଳିକାଙ୍କ ଭବିଷ୍ୟତ ଏବେ ଠିକାଦାର ଏବଂ ଯନ୍ତ୍ରୀଙ୍କ ହାତରେ...

 ନାବାଳିକାଙ୍କ ଭବିଷ୍ୟତ ଏବେ ଠିକାଦାର ଏବଂ ଯନ୍ତ୍ରୀଙ୍କ ହାତରେ...



 


 (ମଣିଭଦ୍ରା ଖବର) ଅନ୍ଧାରରେ ନାବାଳିକାଙ୍କ ଭବିଷ୍ୟତ।ପାଠପଢା ଛାଡି ଦିନ ମଜୁରିଆ ଭାବେ କାମ କରୁଛନ୍ତି ନାବାଳିକା। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ପଦ୍ମପୋଖରୀ ପଞ୍ଚାୟତ ରାଇପାଳ ଗାଁରେ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ତଫସିଲଭୁକ୍ତ ଜାତି ଓ ଜନଜାତି ସମ୍ପ୍ରଦାୟ ମଧ୍ୟରେ ବାଳିକା ଶିକ୍ଷାର ପ୍ରସାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ପିଲାଏ ପଢିବେ ପିଲାଏ ବଢିବେ। ପାଠ ଛାଡିଥିବା ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ସେତେବେଳେର ଜିଲ୍ଲାପାଳ ରାଜେଶ୍ ପ୍ରଭାକର ପାଟିଲ ପଦକ୍ଷେପ ନେଇ ସାରା ଦେଶରେ ଚର୍ଚ୍ଚିତ ହେଇଥିଲେ। ମୟୂରଭଞ୍ଜରେ ପ୍ରାୟତଃ ପିଲାମାନେ ସ୍କୁଲ ମୁହାଁ ହୋଇଥିବା ବେଳେ ଏବେ ପ୍ରଶାସନର ନାକ ନିଶ ତଳେ ନାବାଳିକା ଶିଶୁଶ୍ରମିକ ଭାବେ କାମ କରୁଥିବା ଦୃଶ୍ୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି । ତେବେ ଆଶ୍ଚର୍ଯ୍ୟର କଥା କାମ କରାଉଛନ୍ତି  ଠିକାଦାର ସାଜିଥିବା ଜଣେ ସରକାରୀ କର୍ମଚାରୀ। ଯିଏକି ଗ୍ରାମ ରୋଜଗାର ସେବକ GRS ଭାବେ ଉଦଳା ବ୍ଲକରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ତାଙ୍କ ନାମରେ  ଠିକାଦାରୀରେ  ଜାଲିଆତି କରିଥିବା ନେଇ ଅନେକ ଅଭିଯୋଗ ଥିବାବେଳେ ତାଙ୍କୁ କପ୍ତିପଦାରୁ ଉଦଳାକୁ ବଦଳି କରାଯାଇଛି । କିନ୍ତୁ ଠିକାଦାରୀ ନିଶା କମିନଥିବା ବେଳେ ନିଜ ଗ୍ରାମରେ ଅଳ୍ପ ପଇସାରେ ଶିଶୁଶ୍ରମିକଙ୍କୁ କାମରେ ଲଗାଇ ଚର୍ଚ୍ଚାରେ ଜିଆରଏସ ଜଣକ । ସୂଚନାଯୋଗ୍ୟ ସ୍କୁଲ ପାଚେରୀ ନିକଟରେ ଏକ ଡ୍ରେନ ନିର୍ମାଣ କାର୍ଯ୍ୟରେ ସ୍କୁଲରେ ପାଠ ପଢୁଥିବା ଏହି ନାବାଳିକା ଶିଶୁଶ୍ରମିକ ଭାବେ ନିୟୋଜିତ ହୋଇ କାର୍ଯ୍ୟ କରୁଥିବା ସମୟର ଏହି ଦୃଶ୍ୟ। 

ଏ ସମ୍ପର୍କରେ ଠିକାଦାର ଓରଫ ଜିଆରଏସଙ୍କୁ ଯୋଗାଯୋଗ କରିବାରୁ ଏହି ପିଲାମାନେ ପାଠ ଛାଡ଼ି ଦେଇଛନ୍ତି ବୋଲି କହିଛନ୍ତି । କପ୍ତିପଦା ବ୍ଲକରେ ବିଡ଼ିଓ ପଦବୀ ଖାଲି ପଡିଥିବା ବେଳେ ସହକାରୀ ଯନ୍ତ୍ରୀ ସଦାଶିବ ବେହେରା ଏନେଇ କିଛି ପ୍ରତିକ୍ରିୟା ଦେବେ ନାହଁ ବୋଲି ପ୍ରକାଶ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଲକ୍ଷେ ରୁ ଅଧିକ ଟଙ୍କା ପୈଠ ହୋଇସାରିଥିଲା ବେଳେ ଜବକାର୍ଡ ନ ଥିବା ଏହି ଶିଶୁଶ୍ରମିକଙ୍କ  ମଜୁରୀ ଦେବ କିଏ ? ମଷ୍ଟରରୋଲରେ ଏମାନଙ୍କ ବଦଳରେ କିଏ ନେବ ମଜୁରୀ। ଯାହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଉଛି। ଅନ୍ୟପଟେ ମା'ହେଲେ ପାଠୋଇ, ଦେଶଯିବ ଆଗେଇ ସ୍ଲୋଗାନ ଆଜି ଦିଗହରା, ସାମାନ୍ୟ କେତେଟା ଟଙ୍କା ପାଇଁ ଏହି ନାବାଳିକାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଥିବା ଠିକାଦାରଙ୍କ ବିରୁଦ୍ଧରେ  କ'ଣ ହେବ କାର୍ଯ୍ୟାନୁଷ୍ଠାନ, 

ଏ ସମ୍ପର୍କରେ ଡିଆରଡିଏ ଏପିଡି ଶାନ୍ତନୁ ନାୟକଙ୍କ ଦୃଷ୍ଟି  ଆକର୍ଷଣ କରିଥିବା ବେଳେ ତୁରନ୍ତ ପଦକ୍ଷେପ ନେଇ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି । 

ତେବେ ଆଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣା ଉପରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS