BREAKING
Loading...
:

ଦୁର୍ନୀତିରେ ଉବୁଟୁବୁ ବିଇଏମସି! ଭିଜିଲାନ୍ସ ତଦନ୍ତ ହେଉ - କାହ୍ନୁ ପତି

 ଦୁର୍ନୀତିରେ ଉବୁଟୁବୁ ବିଇଏମସି!


ଭିଜିଲାନ୍ସ ତଦନ୍ତ ହେଉ - କାହ୍ନୁ ପତି



ବ୍ରହ୍ମପୁର (ମଣିଭଦ୍ରା ଖବର)  ବ୍ରହ୍ମପୁର ମହାନଗର ନିଗମ ଵିରୋଧରେ ଜନ ଆକ୍ରୋଶ ବୃଦ୍ଧି ପାଇବାରେ ଲାଗିଛି। ସହର ସମସ୍ୟାର ସମାଧାନ ପାଇଁ ପ୍ରତି ବର୍ଷ ଶହ ଶହ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ବ୍ରହ୍ମପୁରବାସୀ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ଟିଏ ମଧ୍ୟ ପାଇପାରୁନାହାଁନ୍ତି। ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟା ଘେରରେ ରେଶମ ସହର ରହିଛି। ଏ ବାବଦରେ ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଲୋକେ କିନ୍ତୁ ଏହାର ସୁଫଳ ପାଇପାରୁନାହାନ୍ତି। ସମସ୍ୟାର ସମାଧାନ ଦିଗରେ ବିଇଏମସି କାର୍ଯ୍ୟ କରିବାରେ ବିଫଳ ହୋଇଥିବା ଜଣାପଡିଛି। ମହାନଗର ନିଗମ ଦ୍ୱାରା ହେଉଥିବା ବିଭିନ୍ନ କାମରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଖବର ସାମ୍ନାକୁ ଆସୁଛି। ସାଧାରଣ ଲୋକଙ୍କ ସ୍ୱାର୍ଥ ବଦଳରେ ନିଜ ସ୍ୱାର୍ଥରେ ମହାନଗର ନିଗମ କତ୍ତୃପକ୍ଷ ବୁଡି ରହିଥିବା କୁହାଯାଉଛି। ଏନେଇ ସହରରେ ବିଇଏମସି ପକ୍ଷରୁ ପୁର୍ବରୁ ହୋଇଥିବା ଏବଂ ବର୍ତ୍ତମାନ ଜାରି ରହିଥିବା ବିଭିନ୍ନ କାର୍ଯ୍ୟର ସଠିକ୍ ତଦନ୍ତ କରାଯିବା ସହ ଦୁର୍ନୀତି ଅଭିଯୋଗକୁ ଭିତ୍ତି କରି ଏସବୁର ଭିଜିଲାନ୍ସ ତଦନ୍ତ କରିବାକୁ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଦାବି କରିଛନ୍ତି। ସେ କହିଛନ୍ତି, ବ୍ରହ୍ମପୁର ସହରରେ ରାସ୍ତା, ଡ୍ରେନ୍, ପରିମଳ ସମସ୍ୟା ନ କହିବା ଭଲ। ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ମହାନଗର ନିଗମ କହୁଥିବା ବେଳେ ଲୋକେ ଏହାର ସୁଫଳ ପାଇପାରୁନାହାନ୍ତି। ସାମାନ୍ୟ ବର୍ଷା ହେଲେ ସହରରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତଳିଆ ଅଞ୍ଚଳ ଗୁଡିକର ଅବସ୍ଥା ନକହିବା ଭଲ। ସଠିକ୍ ଭାବେ ନାଳ ନର୍ଦ୍ଦମା ଗୁଡିକ ନିୟମିତ ସଫେଇ ହେଉନଥିବାରୁ ବର୍ଷା ଜଳ ସଠିକ୍ ଭାବେ ନିଷ୍କାସନ ନ ହୋଇ ନାଳ ପାଣି ଲୋକଙ୍କ ଘରେ ପଶୁଛି। ସେହିପରି ମଶା ମରା ନାଁରେ ତେଲ କିଣା,ଜଳଛତ୍ର, ସୌନ୍ଦର୍ଯ୍ୟକାରଣ ନାଁରେ କାନ୍ଥରେ ଚିତ୍ର ଆଙ୍କିବା, ପରିମଳ ବ୍ୟବସ୍ଥା,ସହର ଭିତ୍ତିଭୂମିର ବିକାଶ ନାଁରେ ଦୀର୍ଘ ବର୍ଷ ଧରି ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ,ସେଥିରେ ଦୁର୍ନୀତି ଓ ହରିଲୁଟ୍ ହେଉଥିବା ଅଭିଯୋଗ ହୋଇ ଆସୁଛି। ସେହିପରି ମହାନଗର ନିଗମର ଅନେକ ଗୁଡିଏ ପ୍ରକଳ୍ପ ଯଥା- ୱାଟର ଏଟିଏମ୍, ସିଟି ୱାଇ-ଫାଇ ଭଳି ଯୋଜନା ସମ୍ପୂର୍ଣ୍ଣ ଫେଲ୍ ମାରିଛି କହିଲେ ଭୁଲ୍ ହେବନି। ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଥିବା ସୌନ୍ଦର୍ଯ୍ୟକାରଣ ସ୍ଥାନ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସବୁ ଅଵ୍ୟଵସ୍ଥା ଭିତରେ ରହିଥିବା ଦେଖାଦେଇଛି। କୋଟି କୋଟି ଟଙ୍କା ବିଇଏମସି ଖର୍ଚ୍ଚ କରୁଥିଲେ ବି କାହିଁକି ଏସବୁ ସମସ୍ୟାର ସମାଧାନ ହେଉନାହିଁ, ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖର୍ଚ୍ଚ ହେଉଥିବା ଟଙ୍କାର ଭିଜିଲାନ୍ସ ତଦନ୍ତ କରିବାକୁ ବରିଷ୍ଠ ଭାଜପା ନେତା ଶ୍ରୀ ପତି ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS