BREAKING
Loading...
:

ପିପଳପଙ୍କାରେ ପ୍ରସ୍ତାବିତ ଡ୍ୟାମକୁ ନେଇ ବିଭ୍ରାନ୍ତି ସୃଷ୍ଟି କରାନଯାଉ*

 *ପିପଳପଙ୍କାରେ ପ୍ରସ୍ତାବିତ ଡ୍ୟାମକୁ ନେଇ ବିଭ୍ରାନ୍ତି ସୃଷ୍ଟି କରାନଯାଉ*



ବିଜେପି ନେତା ରାମଚନ୍ଦ୍ର ପଣ୍ଡା ପିପଳପଙ୍କା ଡ୍ୟାମ୍ ସପକ୍ଷରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ବିଭ୍ରାନ୍ତିକର । ସେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପିପଳପଙ୍କା ଡେମର ପ୍ରକଳ୍ପ ରିପୋର୍ଟକୁ ନପଢି କେବଳ ସରକାର ଓ କମ୍ପାନିମାନଙ୍କୁ ଖୁସି କରିବାକୁ ଏଭଳି କଥା କହିଛନ୍ତି ।

ପ୍ରଥମ କଥା, ଋଷିକୂଲ୍ୟା ନଦୀ ବର୍ଷର ଅଧିକାଂଶ ସମୟ ଶୁଖିଲା ରହୁଛି ବୋଲି ସ୍ଵୀକାର କରିଛନ୍ତି । ଅତିତରେ ସେ ଋଷିକୂଲ୍ୟାରେ ପାଣିର ଅଭାବ ଅଛି କହି ନଦୀ ସଂଯୋଗ ଜରିଆରେ ମହାନଦୀରୁ ପାଣି ଆଣିବାକୁ ଦାବି କରିଛନ୍ତି । ଯଦି ନଦୀରେ ବର୍ତ୍ତମାନ ପାଣିର ଅଭାବ ରହୁଛି, ତାହେଲେ ଉପର ମୁଣ୍ଡରେ ଡ୍ୟାମ୍ ନିର୍ମାଣ କରି ତା'ର ପାଣିକୁ କମ୍ପାନୀମାନଙ୍କୁ ଦିଆଯିବା କେତେଦୂର ଯଥାର୍ଥ ?

ନଦୀରେ ପାଣିର ଅଭାବ ପାଇଁ ସେ ପରିବେଶର ପ୍ରଦୂଷିକରଣକୁ ଦାୟୀ କରିଛନ୍ତି ଯାହାକି ସତ୍ୟ ନୁହେଁ । କାରଣ ଋଷିକୂଲ୍ୟାର ଜଳାଭାବର କାରଣ ଜଳବାୟୁ ପରିବର୍ତ୍ତନ ସହ ବ୍ୟାପକ ବାଲି ଚାଲାଣ ଅଟେ । ଯେଉଁଭଳି ଭାବେ ସରକାର ଉଭୟ ଆଇନ ସମ୍ମତ ଓ ବେଆଇନ ବାଲି ଚାଲାଣ ପାଇଁ ବାଲିମିଫିଆଙ୍କୂ ଅନୁମତି ଦେଇଛନ୍ତି, ତା'ରି ଫଳରେ ନଦୀର ଶଯ୍ୟାରୁ ବାଲି ସରିଯିବା ସହ ନଦୀର ଜଳଧାରଣା କ୍ଷମତା ସମାପ୍ତ ହେବାରେ ଲାଗିଛି । ଯେହେତୁ ବାଲି କାରବର ସହିତ ଶାସକ ଦଳ ଓ ସରକାର ଜଡ଼ିତ ତେଣୁ ରାମଚନ୍ଦ୍ର ପଣ୍ଡା ସେନେଇ ପାଟି ଖୋଲିବାକୁ ବି ସାହସ କରି ନାହାଁନ୍ତି । 


ପିପଳପଙ୍କା ଡ୍ୟାମର ପ୍ରକଳ୍ପ ରିପୋର୍ଟରେ ଡ୍ୟାମ୍ ଜରିଆରେ କେବଳ ସୋରଡା ବ୍ଳକର ଦୁଇଟି ଗାଁର ଜମିକୁ ପାଣି ଯୋଗାଇ ବଳକା ପାଣି ଛତ୍ରପୁର ଓ ଗୋପାଳପୁର ଅଞ୍ଚଳର ଶିଳ୍ପ କରିଡରକୁ ପାଇପ୍ ଲାଇନରେ ପାଣି ଯୋଗାଇବାକୁ କୁହାଯାଇଥିବା ବେଳେ ଏହି ଡେମ୍ ଜରିଆରେ ଜିଲ୍ଲାରେ ଜଳସେଚନର ସବିଧା ହେବ ଏବଂ ନଦୀର ତରମୁଣ୍ଡକୁ ଅଧିକ ପାଣି ଯୋଗାଇ ଦିଆଯିବ ବୋଲି କହିବା ହାସ୍ୟାସ୍ପଦ ଅଟେ । ଯଦି ସତସାହସ ଅଛି, ତାହେଲେ ପିପଳପଙ୍କାର ଜଳକୁ କୌଣସି କମ୍ପାନୀଙ୍କୁ ଦିଆଯିବନି ବୋଲି ଶ୍ରୀ ପଣ୍ଡା ଓ ତାଙ୍କ ସରକାର ଖୋଲାଖୋଲି ଭାବେ ଘୋଷଣା କରନ୍ତୁ ।


ଯଦି ଜଳଭଣ୍ଡାର ନିର୍ମାଣ କଲେ ନଦୀର ତଳମୁଣ୍ଡରେ ପାଣି ରହୁଥାନ୍ତା, ତାହେଲେ ଆଜି ସୋରଡା, ଭଞ୍ଜନଗର, ଡହ, ବାଘୁଆ, ଧନେଇ ଓ ଘୋଡାହାଡ ନଦୀ ଶୁଷ୍କ ପଡୁନଥାନ୍ତା । ବରଂ ଋଷିକୂଲ୍ୟାରେ ପଡିଥିବା ଉପରୋକ୍ତ ନଦୀଗୁଡ଼ିକରେ ଜଳଭଣ୍ଡାର ନିର୍ମାଣ ଲାଗି ବର୍ଷା ଚାରିମାସ ଛାଡ଼ିଦେଲେ ସେସବୁ ନଦୀରୁ ଋଷିକୂଲ୍ୟାକୁ ଟୋପାଏ ପାଣି ଆସୁନାହିଁ । ଆଜି ଋଷିକୂଲ୍ୟାର ଯେଉଁ ପାଣି ଧାର ହୋଇ ବହୁଛି, ତାହା ନଦୀର ମୂଳଧାରା ଅଟେ । ଯଦି ତା'କୁ ପିପଳପଙ୍କାରେ ବନ୍ଧେଇ ଡ୍ୟାମ୍ ନିର୍ମାଣ କରାଯାଏ ତାହେଲେ ଋଷିକୂଲ୍ୟା ନଦୀ ସମ୍ପୂର୍ଣ୍ଣ ଭାବେ ଶୁଖିଯିବ ।


ନିକଟରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଆସି ଛତ୍ରପୁର ଅଞ୍ଚଳରେ ଟାଟାର ଶିଳ୍ପ ପାର୍କରେ ଥିବା କିଛି ଶିଳ୍ପ ପ୍ରକଳ୍ପର ଅଗ୍ରଗତିକୁ ସମୀକ୍ଷା କରିଛନ୍ତି । ସେସବୁ ପ୍ରକଳ୍ପ ପାଇଁ ପାଣି କେଉଁଠାରୁ ଆସିବ ସେନେଇ ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ଉତ୍ତର ଦେବା ଦରକାର । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀ ନିଜେ ଜଳସେଚନ ବିଭାଗର ଦାୟୀତ୍ୱରେ ଅଛନ୍ତି । ପିପଳପଙ୍କାରେ ଡ୍ୟାମ୍ ନିର୍ମାଣ ସମ୍ପର୍କରେ ଆଲୋଚନା କରିବାକୁ ପ୍ରକଳ୍ପ ଫଳରେ ବିସ୍ଥାପିତ ହେବାକୁ ଯାଉଥିବା ସ୍ଥାନୀୟ ଆଦିବାସୀ ଲୋକେ ଓ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ବାରମ୍ବାର ଚିଠି ଓ ସ୍ମାରକପତ୍ର ଜରିଆରେ ଆଲୋଚନା ପାଇଁ ସମୟ ଦେବାକୁ ଅନୁରୋଧ କରିଛି ।‌ କିନ୍ତୁ ମୁଖ୍ୟମନ୍ତ୍ରୀ ଆମର ଅନୁରୋଧକୁ ଅଣଦେଖା କରି ଡ୍ୟାମ୍ ନିର୍ମାଣ ଦିଗରେ ଅଗ୍ରସର ହେବା ନିନ୍ଦନୀୟ ଅଟେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS