BREAKING
Loading...
:

କୁମ୍ଭାରପଡ଼ା - ଖଡଗପ୍ରସାଦ ଗ୍ରାମ୍ୟ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

 କୁମ୍ଭାରପଡ଼ା - ଖଡଗପ୍ରସାଦ ଗ୍ରାମ୍ୟ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ


ଖଣ୍ଡପଡ଼ା,୩୧/୫(ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡ଼ା ଠାରୁ ନିକଟସ୍ଥ ଖଡଗପ୍ରସାଦ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଗତ ୨ ବର୍ଷ ଧରି ଚାଲୁ ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରଦ ୨.୨୧ କୋଟି ଟଙ୍କା ବ୍ୟୟରେ ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଚାଲୁରହିଥିବା ବେଳେ ରାସ୍ତା କାର୍ଯ୍ୟର ତଦାରଖ ଦାୟିତ୍ଵ ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ରାସ୍ତା କାର୍ଯ୍ୟରେ ନିୟୋଜିତ ଠିକାଦାର ମନଇଛା କାର୍ଯ୍ୟ କରୁଥିବାରୁ ରାସ୍ତାର ସ୍ଥାୟୀତ୍ବ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏବେ ଉକ୍ତ ରାସ୍ତାର କିଛି ଅଂଶ ପିଚୁ ହୋଇଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁଁ ସ୍ଵଳ୍ପ ସମୟ ମଧ୍ୟରେ ରାସ୍ତା ଉପରୁ ପିଚୁ ଉଠି ଯାଇଥିବା ପରିଲକ୍ଷିତ ହୋଇଛି। ଯଦି ଏବେଠାରୁ ରାସ୍ତାର ଅବସ୍ଥାକୁ ନେଇ ଅଞ୍ଚଳବାସୀ ପ୍ରମାଦ ଗଣୁଛନ୍ତି। ଉକ୍ତ ରାସ୍ତା ଦେଇ ନିକଟ ଭବିଷ୍ୟତରେ ଯାନବାହାନ ଚଳାଚଳ କଲେ ରାସ୍ତାର ସ୍ଥିତି ବେହାଲ ହୋଇପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି। ସଂରକ୍ଷିତ ଜଙ୍ଗଲ ମଧ୍ୟଦେଇ ରାସ୍ତାଟି ଖଡଗପ୍ରସାଦ ଗ୍ରାମକୁ ସଂଯୋଗ କରୁଥିବା ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ କୁମ୍ଭାରପଡ଼ା ଓ ଖଡଗପ୍ରସାଦ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକତା ଠାରୁ ଅଧିକ ଗଛ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ କଟାଯାଇଥିବା ଅଭିଯୋଗ ହେଉଛି। ସେହିପରି ରାସ୍ତା ପଡୁଥିବା ଏକାଧିକ କଲର୍ଭଟର ନିର୍ମାଣ ଶୈଳୀକୁ ନେଇ ମଧ୍ୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ ଉଠାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳଘର ଶୂନ ବୋଲି ଜଣାଯାଇଛି। ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭିଜିଲାନ୍ସ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS