ସାରା ସହରରେ ବାଣ ଫୁଟିଲା, ଶୁଭାରମ୍ଭ ହେଲା ବରପାଲିର ୧୪୮ତମ ଶୀତଳ ଷଷ୍ଠୀ ଯାତ୍ରା
ସମ୍ବଲପୁର:(ମଣିଭଦ୍ରା ଖବର) ବରପାଲିର ୧୪୮ତମ ଶୀତଳ ଷଷ୍ଠୀ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ରାତ୍ର ଠିକ୍ ୧୨ଟାରେ ସାରା ସହରରେ ବାଣ ଫୁଟାଇ ଯାତ୍ରାର ଆରମ୍ଭକୁ ସ୍ବାଗତ କରାଯାଇଥିଲା। ରାତ୍ର ୧୨ଟାରେ ସ୍ଥାନୀୟ ନୃପରାଜ କ୍ଳବ (ଭଣ୍ଡାର ଗୃହ) ଠାରେ ବମ୍ କପିଳେଶ୍ୱର ବାବା ଓ ଜଗତ ଜନନୀ ମାତା ପାର୍ବତୀଙ୍କ ଜୟ ଜୟକାର କରିବା ସହ ପୂଜକ ଗୋପାଳ ମିଶ୍ର ମନ୍ତ୍ରୋଚ୍ଚାରଣ କରିଥିଲେ । ସାରା ସହରରେ ବାଣ ଫୁଟାଇ ଚଳିତ ବର୍ଷର କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଇଥିଲା। କମିଟି ପକ୍ଷରୁ ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ ଓ ବହୁ ସଭ୍ୟଙ୍କ ସମେତ ଅନେକ ଭକ୍ତ ଯାତ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସକାଳ ୧୦ ଟାରେ ଭଣ୍ଡାର ଗୃହ ସମ୍ମୁଖରେ ନଟରାଜ ମୂର୍ତ୍ତି ସଂସ୍ଥାପନ କରି ଶତ ଆରତୀ ପ୍ରଦାନ କରାଯାଇଥିଲା। ଅପରାହ୍ନରେ ଭଣ୍ଡାର ଗୃହରୁ ଯାତ୍ରା କମିଟିର ଏକ ଭବ୍ୟ ଶୋଭାଯାତ୍ରା ବାହାରି କପିଳେଶ୍ୱର ମନ୍ଦିର ପହଞ୍ଚି ସେଠାରେ କପିଳେଶ୍ୱର ବାବା ଓ ମାତା ପାର୍ବତୀଙ୍କୁ ପୂଜା ଅର୍ଚ୍ଚନା ପରେ ନଗର ପରିକ୍ରମା କରି ଭଣ୍ଡାର ଗୃହକୁ ଅଣାଯାଇଥିଲା। ଏହି ଶୋଭାଯାତ୍ରାରେ ଦୁଲ୍ଦୁଲି ବାଜା, ଘଣ୍ଟ ବାଦ୍ୟ ଓ ଡିଜେ ଆଦି ସାମିଲ ଥିଲା। ବରପାଲି ଗାନ୍ଧୀ ଛକଠାରେ ଭକ୍ତମାନଙ୍କ ଦ୍ଵାରା ଦେବଦମ୍ପତିଙ୍କୁ ସହସ୍ର ଆରତୀ ଅର୍ପଣ କରାଯାଇଥିଲା। ମଧ୍ୟ ରାତ୍ରରେ କପିଳେଶ୍ୱର ମନ୍ଦିରରେ ମହାଦୀପ ସଂସ୍ଥାପନ କରାଯାଇଥିଲା । ଏହି ଅବସରରେ ଭଣ୍ଡାର ଗୃହ ସମ୍ମୁଖରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق