୧୫ ଦିନିଆ ଦଣ୍ଡପର୍ବ ଆରମ୍ଭ।
ପାଣିତୋଳା ବିଧିସମ୍ପନ୍ନ
ଖଣ୍ଡପଡ଼ା,୩୦।୩ (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରପଡା ଗ୍ରାମରେ ଦଣ୍ଡପର୍ବ ନିମନ୍ତେ ପାଣିତୋଳା ସହ ୧୫ଦିନିଆ ଯାତ୍ରା ଆରମ୍ଭ ହୋଇଛି | ଆଜି ଅପରାହ୍ନ୍ନ ରେ ମାନସିକଧାରୀ ଦଣ୍ଡୁଆମାନେ ଏକତ୍ର ହୋଇ ଗ୍ରାମର ଇଷ୍ଟ ଦେବ ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଥିବା ନୂଆ ପୋଖରୀଠାରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଦଣ୍ଡକାଳୀଙ୍କୁ ଆବାହନ କରିଥିଲେ I ହୋମ ଯଜ୍ଞ ସହ ଷୋଡ଼ଶ ଉପଚାର ପରେ ଠାକୁର ସମଗ୍ର ଗ୍ରାମକୁ ଢୋଲ, ଝାଞ୍ଜ, ମହୁରୀ ବାଦ୍ୟ ଓ ହରିବୋଲ, ହୁଳହୁଳି ତଥା ଶଙ୍ଖ ଧ୍ବନିରେ ପରିକ୍ରମା କରିଥିଲା | ଏ ଅବସରରେ ଗ୍ରାମର ପ୍ରତ୍ୟେକ ଘର ସାମ୍ନାରେ ପୂର୍ଣ୍ଣକୁମ୍ଭ, ଧୂପ, ଦୀପ ସହିତ ବିଭିନ୍ନ ଭୋଗ ରଖାଯାଇଥିଲା I ଆସନ୍ତା ମହାବିଷୁବ ପଣା ସଂକ୍ରାନ୍ତି ଦିନ ମାନସିକଧାରୀ ଦଣ୍ଡୁଆମାନେ ବାରହାତ ନିଆଁରେ ଝାମୁ ଚାଲିବା କାର୍ଯ୍ୟକ୍ରମ ରହିଥିବା ପାଟଦଣ୍ଡୁଆ ପଞ୍ଚାନନ ପ୍ରଧାନ ଓ ପାଟ ଭୋଗତ ଶଙ୍କର ବେହେରା ସୂଚନା ଦେଇଛନ୍ତି । କୁମ୍ଭାରପଡା ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ବହୁ ବର୍ଷ ପୂର୍ବରୁ ଏହି ଯାତ୍ରା ହୋଇ ଆସିଥିବା ବେଳେ ଆଗକୁ ଏମିତି ଶାନ୍ତି ଶୃଙ୍ଖଳାର ସହିତ ଚାଲିବ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق