ଓଡ଼ିଆ ଅସ୍ମିତାର ମହାନ ସାଧକ ମାଧବ ପ୍ରସାଦ ମିଶ୍ର
(ଅବହେଳାର ଅନ୍ଧାର ଭିତରୁ ମିଳିବ କି ଉପଯୁକ୍ତ ମର୍ଯ୍ୟାଦା)
ଖଣ୍ଡପଡ଼ା (ମଣିଭଦ୍ରା ଖବର) ମାଧବ ପ୍ରସାଦ ମିଶ୍ର ୧୯୪୫ ନଭେମ୍ବର ୧୮ ତାରିଖରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ସ୍ଵାଧୀନ ଚେତା ମନୋଭାବ ରଖିଥିବା ମାଧବ ପ୍ରସାଦ ମିଶ୍ର ୧୯୬୨ ମସିହାରେ ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୁରୀ ସାମନ୍ତ ଚନ୍ଦ୍ରଶଖର ମହାବିଦ୍ୟାଳୟ ରୁ ଓ କଟକ ରେଭେନ୍ସା କଲେଜରୁ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସୋଷୋଲିଷ୍ଟ ପାର୍ଟିରେ ଯୋଗ ଦେଇ ୧୯୬୪ ମସିହା ଛାତ୍ର ଆନ୍ଦୋଳନ ଠାରୁ ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ପର୍ଯ୍ୟନ୍ତ ଦୀର୍ଘ ୧୧ ବର୍ଷ କାଳ ସେ ବିଭିନ୍ନ ଗଣ ଆନ୍ଦୋଳନରେ ଅଂଶଗ୍ରହଣ କରି ଅନେକବାର କାରାବରଣ ମଧ୍ଯ କରିଛନ୍ତି।
ଛାତ୍ର ଜୀବନରୁ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ଗଭୀର ରୁଚି ରଖିଥିବା ଶ୍ରୀ ମିଶ୍ର ସାଂପ୍ରତିକ ସମସ୍ୟା ସମ୍ପର୍କରେ ଅନେକ ଗଳ୍ପ କବିତା ଲେଖି ବିଭିନ୍ନ ଅନୁଷ୍ଠାନରେ ସମ୍ବର୍ଦ୍ଧିତ ହେବା ସହ ଅନେକ ପତ୍ର ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ। ଏବେ ମଧ୍ୟ ପରିଣତ ବୟସରେ ସାମାଜିକ ଗଣମାଧ୍ୟମ ରେ ଖୁବ୍ ଚଳଚଞ୍ଚଳ ସେ।
୧୯୭୩ ମସିହା ଆଇନ ବୃତ୍ତିରେ ପ୍ରବେଶ କରିଥିଲେ ଶ୍ରୀ ମିଶ୍ର। ୧୯୭୫ ମସିହା ଅପ୍ରେଲ ୧ ତାରିଖରୁ ସଂକଳ୍ପବଦ୍ଧ ଶ୍ରୀ ମିଶ୍ର ଅଦ୍ୟାବଧି ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ୍ବ ନିରବଚ୍ଛିନ୍ନ ଭାବରେ ଓଡ଼ିଆ ଭାଷା ରେ ଅଦାଲତରେ ସମ୍ଭାଷଣ କରନ୍ତି ଓ ଜବାବ ସୁଆଲ କରନ୍ତି। ଓଡ଼ିଶାର ବିଭିନ୍ନ ଅଦାଲତରେ ଓଡ଼ିଆ ଭାଷାରେ ମକଦ୍ଦମା ପରିଚାଳନା କରିବାରେ ଜଣେ ଜଣାଶୁଣା ଆଇନଜୀବୀ। ମାତୃଭାଷାରେ ସାରକଥାକୁ ବ୍ୟାଖ୍ୟା କଲେ ତାହା ଅଦାଲତ ଙ୍କର ଅଧିକ ବୋଧଗମ୍ୟ ହୁଏ ଓ ଉଚିତ୍ ନ୍ୟାୟ ମିଳିପାରେ ବୋଲି ଶ୍ରୀ ମିଶ୍ରଙ୍କର ଅଖଣ୍ଡ ବିଶ୍ୱାସ।
୧୯୭୫ ମସିହା ଜରୁରୀ ପରିସ୍ଥିତି ସମୟରେ ଶ୍ରୀ ମାଧବ ମିଶ୍ରଙ୍କୁ ନୟାଗଡ଼, ଭଞ୍ଜନଗର ଓ ଖଣ୍ଡପଡ଼ା ଜେଲରେ ଦୀର୍ଘ ୧୮ ମାସ କାଳ ମିସା ଆଇନ ରେ ବନ୍ଦୀ କରି ରଖାଯାଇଥିଲା। କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାର ସେହି ସମୟରେ ବନ୍ଦୀ ମାନଙ୍କୁ ଚିହ୍ନଟ କରି ମାସିକ ଭତ୍ତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସହ ସମ୍ମାନିତ କରିବେ ବୋଲି ଘୋଷଣା କରିଛନ୍ତି ।
ଶ୍ରୀ ମିଶ୍ର ହେଉଛନ୍ତି ଜଣେ ବିପ୍ଳବୀ ଜନନେତା ତଥା ଭାଷା ସଂସ୍କୃତି ସଂପନ୍ନ ସାମାଜିକ କର୍ମୀ। ଜଣେ ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ବାସ୍ତବ ଉପାସକ ଓ ଅଦାଲତରେ ଓଡ଼ିଆ ଭାଷାର ସଂରକ୍ଷକ ଭାବରେ ଶ୍ରୀ ମାଧବ ପ୍ରସାଦ ମିଶ୍ରଙ୍କର ଅବଦାନ ଅବିସ୍ମରଣୀୟ। ଏପରି ଜଣେ ବହୁମୁଖୀ ପ୍ରତିଭା ଙ୍କୁ ଚିହ୍ନଟ କରି ଓଡ଼ିଆ ଭାଷା , ସାହିତ୍ୟ, ସଂସ୍କୃତି ତଥା ସର୍ବୋପରି ଓଡ଼ିଆ ଅସ୍ମିତା ର ଜଣେ ଚରମ ଉତ୍କର୍ଷକାରୀ ଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବାର ପ୍ରକୃଷ୍ଟ ସମୟ ଆସିଛି। ଓଡିଶା ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଭାଷା ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ମାନେ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ମାନ ନେବାର ଆବଶ୍ୟକତା ରହିଛି। ବିଶେଷ କରି ଚଳିତ ବର୍ଷ ପାଇଁ ତାଙ୍କୁ ପଦ୍ମ ସମ୍ମାନରେ ଭୁଷିତ କରିବା ପାଇଁ ଉଦ୍ୟମ ହେବା ଉଚିତ୍।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق