ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ସେମିଫାଇନାଲରେ ଢେଙ୍କାନାଳ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ସହରାଞ୍ଚଳ ଅଧୀନ ମଧୁବନ ମିନି ଷ୍ଟାଡିୟମରେ ସ୍ବର୍ଗତ ମହେନ୍ଦ୍ର ସ୍ୱାଇଁଙ୍କ ସ୍ମୃତି ଉଦ୍ଧେଶ୍ୟରେ ଆୟୋଜିତ ୬ଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଏବଂ ଢେଙ୍କାନାଳ ପପୁଲାର କ୍ଳବ୍ ମଧ୍ୟରେ ମୁକାବିଲା ହୋଇଥିଲା। ତେବେ ଆଜି ମ୍ୟାଚ ଶେଷ ମୁହୂର୍ତ୍ତ ସୁଦ୍ଧା ଉଭୟ ଦଳ ମଧ୍ୟରେ ୨-୨ ଗୋଲରେ ବରାବର ରହିଥିବା ବେଳେ ଟ୍ରାଇବେକରର ସହାୟତା ନିଆଯାଇଥିଲା। ପ୍ରଥମ ୫ଟି ସୁଯୋଗରେ ଉଭୟ ଦଳ ପୁନର୍ବାର ବରାବର ରହିଥିଲେ। ତେଣୁ ସଡନ୍ ଦେଥ ପ୍ରକ୍ରିୟାରେ ଉଭୟ ଦଳଙ୍କୁ ଆହୁରି ୩ଟି ସୁଯୋଗ ମିଳିଥିଲା। ପରିଶେଷରେ ଅଷ୍ଟମ ସୁଯୋଗରେ ଢେଙ୍କାନାଳ ୭-୬ ଗୋଲରେ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନକୁ ପରାସ୍ତ କରି ତୃତୀୟ ସେମି ଫାଇନଲରେ ପ୍ରବେଶ କରିଛି। ଆଜି ଅପରାହ୍ନରେ ସ୍ବର୍ଗତ ମହେନ୍ଦ୍ର ସ୍ୱାଇଁଙ୍କ ସୁପୁତ୍ର ତଥା ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ତୃତୀୟ ଦିବସ ମ୍ୟାଚରେ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ, ଭାପୁର ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼. ପ୍ରଦୀପ କୁମାର ପାଇକରାୟ, ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲିପ୍ସା ନନ୍ଦ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର, ବରିଷ୍ଠ ନାଗରିକ ଫୋରମ ସଭାପତି ଅଖିଳ କୁମାର ମହାରଣା, ପଣ୍ଡିତ ମନୋଜ ଦାସ ଏବଂ ଯୁବନେତା ତଥା ସମାଜସେବୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ ପ୍ରାରମ୍ଭରୁ ଆୟୋଜକ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର କର୍ମକର୍ତ୍ତାଙ୍କ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଅତିଥି ମାନେ ଖେଳାଳି ମାନଙ୍କ ସହ କରମର୍ଦ୍ଧନ କରିବା ପରେ ଉଭୟ ଦଳ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା। ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ମ୍ୟାଚ ପରିଚାଳନା କରିଥିବା ବେଳେ ପ୍ରସନ୍ନ କୁମାର ନାୟକ ଏବଂ ପ୍ରଫୁଲ୍ଲ ବେହେରା ଲାଇନରେ ସହାୟତା କରିଥିଲେ। ଏଥିସହ ସୁବାସ ଚନ୍ଦ୍ର ବେହେରା ୪ର୍ଥ ରେଫରି ଭାବେ ମ୍ୟାଚ ପରିଚାଳନା କରିଥିଲେ। ଆୟୋଜକ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା ବିଶିଷ୍ଟ କ୍ରୀଡ଼ାବିତ୍ ଭିକାରୀ ଖଣ୍ଡାୟତଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ତେବେ ବୁଧବାର କଟକ ରକଷ୍ଟାର କ୍ଲବ୍ ଏବଂ ଭୁବନେଶ୍ବର କଳିଙ୍ଗ ସ୍ପୋରଟିଂ ମଧ୍ୟରେ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିଶିଷ୍ଟ କ୍ରୀଡ଼ାବିତ ଶ୍ରୀ ଖଣ୍ଡାୟତ ସୂଚନା ଦେଇଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق