ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ସେମିଫାଇନାଲରେ କଟକ ଯୁବଜ୍ୟୋତି କ୍ଳବ୍
ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମଧୁବନ ପଡ଼ିଆ ପରିସରରେ ଚାଲିଥିବା ୬ଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ମହେନ୍ଦ୍ର ସ୍ୱାଇଁଙ୍କ ସ୍ମୃତି ଉଦ୍ଧେଶ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଆଜି ଫୁଲବାଣୀ ଏବଂ କଟକ ମଧ୍ୟରେ ମୁକାବିଲା ହୋଇଥିଲା। କଟକ ଯୁବଜ୍ୟୋତି କ୍ଳବ ୫-୧ ଗୋଲରେ ଫୁଲବାଣୀ ସୁଜିତ୍ ଏଫସି କ୍ଲବକୁ ପରାସ୍ତ କରି ଦ୍ୱିତୀୟ ସେମି ଫାଇନଲକୁ ପ୍ରବେଶ କରିଛି। ଆଜି ଅପରାହ୍ନରେ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ବଳିଷ୍ଠ ତତ୍ତ୍ଵାବଧାନରେ ଆୟୋଜିତ ଦ୍ୱିତୀୟ ଦିବସ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ତହସିଲଦାର ବିଶ୍ଵ ବିସ୍ମୃତ ତ୍ରିପାଠୀ, ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ ଏବଂ ଭାପୁର ବିଡ଼ିଓ ସାରଦା ପ୍ରସାଦ ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼. ଅଭିସାର ପଣ୍ଡା, ସାଂସଦଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂ, ପୂର୍ବତନ ଜିଲ୍ଲାପରିଷଦ ରମାକାନ୍ତ ସେଠୀ, ପୂର୍ବତନ ସରପଞ୍ଚ ନବକିଶୋର ସାହୁ, ବରିଷ୍ଠ ନାଗରିକ ଫୋରମ ସଭାପତି ଅଖିଳ କୁମାର ମହାରଣା, ପଣ୍ଡିତ ମନୋଜ ଦାସ ଏବଂ ଯୁବନେତା ତଥା ସମାଜସେବୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ମ୍ୟାଚ ପରିଚାଳନା କରିଥିବା ବେଳେ ପ୍ରସନ୍ନ କୁମାର ନାୟକ ଏବଂ ବିଦ୍ୟାଧର ନାୟକ ଲାଇନରେ ସହାୟତା କରିଥିଲେ। ଏଥିସହ କ୍ରୀଡ଼ା ଶିକ୍ଷକ ସମୀର ଖୁଣ୍ଟିଆ ୪ର୍ଥ ରେଫରି ଭାବେ ମ୍ୟାଚ ପରିଚାଳନା କରିଥିଲେ। ତେବେ ମଙ୍ଗଳବାର ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଏବଂ ଢେଙ୍କାନାଳ ପପୁଲାର କ୍ଳବ୍ ମଧ୍ୟରେ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିଶିଷ୍ଟ କ୍ରୀଡ଼ାବିତ ଭିକାରୀ ଖଣ୍ଡାୟତ ସୂଚନା ଦେଇଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment