BREAKING
Loading...
:

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ଚକରା ବିଶୋଇଙ୍କ ଜନ୍ମ ଜୟନ୍ତୀ

 



ଓଡିଶା ଇତିହାସର ଅନ୍ୟତମ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ଚକରା ବିଶୋଇ ୧୮୨୩ ମସିହା ଆଜିର ଦିନ ଶାମ୍ବଦଶମୀରେ ତତ୍କାଳୀନ ଘୁମୁସର ରାଜ୍ୟର ତୋରାବାଡି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ବେଣିଆ କନ୍ଧ ପରିବାରରେ ଜନ୍ମିତ ଚକରାଙ୍କ ପିତାଙ୍କ ନାମ ଶ୍ୟାମ ବିଶୋୟୀ ଓ ମହାନ ବିପ୍ଲବୀ ଦୋରା ବିଶୋଇ, ବକ୍ସି ବିଶୋଇ, ନନ୍ଦ ବିଶୋଇ ଓ ଶଙ୍ଖ ବିଶୋଇ ହେଉଛନ୍ତି ତାଙ୍କ କକା ମାନେ l ପିଲାଟି ବେଳୁ ଚକରା ନିଜ ମା 'ଙ୍କ ଠାରୁ ବାପା ଓ କକା କିପରି ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣବଳି ଦେଇଛନ୍ତି, ଇଂରେଜ ମାନେ ଆମ ଦେଶର ଲୋକଙ୍କ ଉପରେ କିପରି ଅକଥନୀୟ ଅତ୍ୟାଚାର କରୁଛନ୍ତି ଆଦି ଶୁଣିଥିଲେ l ବିପ୍ଲବୀ ଦୋରା ବିଶୋଇଙ୍କ ମୃତ୍ୟୁ ପରେ ଘୁମୁସରବାସୀ ଚକରାଙ୍କ ସାହାସ ଓ ସେ ଇଂରେଜ ମାନଙ୍କୁ ଘୁମୁସରରୁ ହଟାଇବା ପାଇଁ ଦୃଢ଼ ପ୍ରତିଜ୍ଞା ନେଇଥିବା ଜାଣି, ତାଙ୍କୁ ସମସ୍ତ ଘୁମୁସରବାସୀ ନେତା ରୂପେ ଗ୍ରହଣ କରି ଥିଲେ l ଚକରାଙ୍କ ବିଦ୍ରୋହୀ ଦଳରେ ବହୁ ସଂକ୍ଷକ ଆଦିବାସୀ ଯୁବକ ଓ ଘୁମୁସରର ଦେଶ ପ୍ରେମୀ ପ୍ରଜା ଯୋଗ ଦେଇଥିଲେ l ଇଂରେଜ ମାନଙ୍କୁ ଜନ୍ମଭୂମିରୁ ତଡିବା ଓ ସ୍ୱାଧୀନତା ପାଇଁ ଜୀବନ ଦେବାକୁ ସମସ୍ତେ ପ୍ରତିଜ୍ଞା କରିଥିଲେ l କିନ୍ତୁ ଘୁମୁସର ରାଜାଙ୍କ ମୃତ୍ୟୁ ପରେ ରାଜପୁତ୍ର ପିତାମ୍ବର ଭଞ୍ଜ ଇଂରେଜ ମାନଙ୍କ ସହ ହାତ ମିଳାଇ ଆଦିବାସୀ ବିଦ୍ରୋହୀ ଦଳ ସହ ବିଶ୍ୱାସ ଘାତ କରିବା ଚକରାଙ୍କୁ ଖୁବ ପୀଡା ଦେଇଥିଲା l ତଥାପି ଏହି କଥାକୁ ଭୃକ୍ଷେପ ନ କରି ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇକୁ ଅଧିକରୁ ଅଧିକ ଶକ୍ତିଶାଳୀ କଲେ l ଚନ୍ଦ୍ରଗିରି ଜଙ୍ଗଲ ଭିତରେ ଚକରା ଯୁବକ ମାନଙ୍କୁ ଯୁଦ୍ଧ କୌଶଳ ଶିକ୍ଷା ଦେଉଥିଲେ l ଚନ୍ଦ୍ରଗିରିର ଯେଉଁ ସ୍ଥାନରେ ଚକରା ଗୋପନରେ ରହି ତାଙ୍କ ବାହିନୀକୁ ତାଲିମ ଦେଉଥିଲେ, ସେହି ସ୍ଥାନ ଚକରା ଘାଟି ନାମରେ ପରିଚିତ ହୋଇଛି l ଏହା ବ୍ୟତୀତ ଘୁମୁସର ମାଳ ଅଂଚଳରେ ଖାଲେରି, ଦୁର୍ଗାପ୍ରସାଦ ଓ କଳାଧାର ତିନୋଟି ଘାଟି ଇଂରେଜ ସରକାରକୁ ପ୍ରକମ୍ଫିତ କଲା l ପରେ ଏହାକୁ ବ୍ୟାପକ କରି ଚକରା ପାଟଣା, କଳାହାଣ୍ଡି, ବୌଦ ଆଦି ସ୍ଥାନରେ ବିଦ୍ରୋହର ବୀଜ ରୋପଣ କରିଥିଲେ l ଏଥିରେ ପ୍ରଭାବିତ ହୋଇ ପାରଳାଖେମୁଣ୍ଡିରେ ମଧ୍ୟ ବିଦ୍ରୋହର ନିଆଁ ଜଳିଲା l ଏଥିରେ ରାଧାକୃଷ୍ଣ ଦଣ୍ଡସେନା ଅଗ୍ରଣୀ ନେତା ରହିଥିଲେ, କିନ୍ତୁ ପାରଳା ବିଦ୍ରୋହକୁ ଦମନ କରିବାକୁ ଯାଇ ରାଧାକୃଷ୍ଣ ଦଣ୍ଡସେନାଙ୍କୁ ଗିରିଫ କରି ଇଂରେଜ ସରକାର ତାଙ୍କୁ ଫାଶୀ ଦେଇଥିଲା l ପରେ ପାଟଣାରେ ଇଂରେଜ ମାନଙ୍କ ବିରୁଦ୍ଧରେ ପ୍ରଜା ବିଦ୍ରୋହ ଦେଖାଦେଲା l ଚକରା ବିଶୋଇ ପାଟଣାର ବିଭିନ୍ନ ଜାଗାକୁ  ଯାଇ ପ୍ରଜା ଆନ୍ଦୋଳନକୁ ଉଚ୍ଛlହିତ କଲେ, କିନ୍ତୁ ବୌଦ ର ଦୀନବନ୍ଧୁ ପଟ୍ଟନାୟକ ନାମକ ଜଣେ ରାଜା ଇଂରେଜ ମାନଙ୍କ ବଚସ୍କର ହୋଇ ପାଟଣା ବିଦ୍ରୋହ ସମ୍ପର୍କରେ ସମସ୍ତ ଗୋପନୀୟ ତଥ୍ୟ ଇଂରେଜ ସରକାରଙ୍କୁ ଜଣାଇ ଦେଇଥିଲେ ଓ ପାଟଣା ପ୍ରଜା ବିଦ୍ରୋହକୁ ଦମନ ପାଇଁ ଇଂରେଜଙ୍କୁ ସାହାଯ୍ୟ କରିବାକୁ ନିଜର ସୈନ୍ୟ ବାହିନୀକୁ ଦୀନବନ୍ଧୁ ପଠାଇଥିଲେ l ଇଂରେଜଙ୍କ ଫଉଜ ଓ ରାଜା ଦିନବନ୍ଧୁଙ୍କ ସୈନ୍ୟଙ୍କ ମିଳିତ କମାଣ, ଗୁଳି ର ମୁକାବିଲା କରିନପାରି  ଦେଶପ୍ରେମୀଙ୍କ ଶୋଚନୀୟ ପରାଜୟ ହୋଇଥିଲା l ବୀର ଚକରା ଘୁମୁସର, ପାରଳାଖେମୁଣ୍ଡି, କଳାହାଣ୍ଡି ଓ ପାଟଣା ଆଦି ସ୍ଥାନରେ ବିଦ୍ରୋହ କରି ଇଂରେଜ ମାନଙ୍କ ହୃତକମ୍ଫ ଜାତ କରାଇଦେଇଥିଲେ l ତାଙ୍କୁ ଧରିବା ପାଇଁ ଇଂରେଜ ସରକାର ବହୁ ଉଦ୍ୟମ କଲା, କେତେ ଗୁପ୍ତଚର ନିଯୁକ୍ତି କଲା, ଧରିବା ପାଇଁ ପୁରସ୍କାର ଘୋଷଣା କଲା l ହେଲେ ଇଂରେଜ ସରକାରଙ୍କ ସବୁ ଯୋଜନା ବ୍ୟର୍ଥ ହେଲା l ବୀର ଚକରାଙ୍କ ପରି ସାହସୀ, ଦେଶପ୍ରେମୀ, ପରାକ୍ରମଶାଳୀ ବ୍ୟକ୍ତି ବିରଳ l ସାରା ଓଡ଼ିଶାର ଲୋକେ କାଳ କାଳ ଲାଗି ତାଙ୍କୁ ମନେ ରଖିବେ l ୧୮୫୬ ମସିହାରୁ ତାଙ୍କ ସମ୍ପର୍କରେ ଆଉ କୋଣସି କଥା ଜଣା ପଡିଲା ନାହିଁ, କେତେକ କହନ୍ତି ସେ ସୋନପୁର ରାଜ୍ୟର ତେଲ ନଦୀ କୂଳରେ ଶେଷ ଜୀବନ କଟାଇଥିଲେ l ତାଙ୍କ ଦେହାନ୍ତ ବିଷୟରେ ଅଦ୍ୟାବଧି କିଛି ଜଣା ପଡି ନାହିଁ l

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS