ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ପାଳିତ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । ଗଣିଆ ରାମ ମନ୍ଦିର ପରିସରରେ ସୁନ୍ଦରା କାଣ୍ଡ ପଠନ କରାଯାଇଥିଲା । ବ୍ୟାସ ସାନୁଜ ରାମ ମିଶ୍ର, ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ସମେତ ଗଣିଆ ଶାସନ ସାହିର ଯୁବ ବ୍ରାହ୍ମଣମାନେ ଏକାଠି ହୋଇ ଥିଲେ । ଗଣିଆରେ ଥିବା ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ୫୧ କୁଣ୍ଡୀୟ ଯଜ୍ଞ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବରେଣ୍ୟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ପ୍ରବଚକ ଭାବେ ପ୍ରବଚନ ଦେଇଥିବା ବେଳେ ଛାତ୍ର ଛାତ୍ରୀ ତଥା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଗଣିଆ ବ୍ଳକର ଜଗନ୍ନାଥ ପ୍ରସାଦ ଏବଂ ଓ୍ବାଲିପୁର ଠାରେ ମକର ମେଳା ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ପ୍ରସାଦ ଠାରେ ରାମ ନାଟକ ପରିବେଷଣ କରାଯାଇଥିଲା । ଏଠାରେ ଦିନ ତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଓ୍ବାଲିପୁର ଠାରେ ୩ ଦିନ ଧରି ସାମାଜିକ ନାଟକ ପ୍ରତିଯୋଗିତା ହେବ ବୋଲି କମିଟି ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଥମ ଦିନରେ ଓ୍ବାଲିପୁର ନାଟ୍ୟ ସଂସଦ ତରଫରୁ "ହେ ବନ୍ଧୁ ବିଦାୟ" ନାଟକ ମଞ୍ଚସ୍ଥ କରାଯିବା ପାଇଁ ସ୍ଥିର କରାଯାଇଥିବା ନାଟ୍ୟ ସଂସଦ ତରଫରୁ ସୂଚନା ପ୍ରଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق