ପୂର୍ବ ସରକାର ସମୟରେ ହୋଇଥିଲା ପଞ୍ଚାୟତ ପୁର୍ନଗଠନ, ୪୦ ବର୍ଷ ପରେ ବ୍ଲକ ସଂଖ୍ୟା ବୃଦ୍ଧି କରିବାକୁ ଅଣ୍ଟାଭିଡିଲେ ମୋହନ ସରକାର
ଭୁବନେଶ୍ଵର (ମଣିଭଦ୍ରା ଖବର) ୧୯୮୪ ମସିହାରେ ଶେଷ ଥର ପାଇଁ ନୂଆ ବ୍ଲକ ଗଠନ କରିଥିଲେ ଓଡ଼ିଶା ସରକାର। ୩୦୪ ବ୍ଲକରୁ ହୋଇଥିଲା ୩୧୪ ବ୍ଲକ, ହେଲେ ଏହା ଭିତରେ ଦୀର୍ଘ ୪୦ ବର୍ଷ ବିତିଗଲାଣି କିନ୍ତୁ ନୂଆ ବ୍ଲକ ଗଠନ ହୋଇପାରିନାହିଁ । ଏନେଇ ଅନେକବାର ଦାବି ଉଠିଛି, ବିଭିନ୍ନ ସଂଗଠନ ରାଜରାସ୍ତାକୁ ଆସିଛନ୍ତି, ବିଧାନସଭାରେ ମଧ୍ୟ ସରଗରମ ଆଲୋଚନା ହୋଇଛି ।
ହେଲେ, ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ଯୋଗୁ ନୂଆଁ ବ୍ଲକ ଗଠନ ହୋଇପାରିନି । ଏବେ ନୂଆ ସରକାର ନୂଆ ବ୍ଲକ ଗଠନ କରିବା ପାଇଁ ପାଦେ ଆଗକୁ ବଢିଛନ୍ତି । ଏନେଇ ବଡ଼ ସୂଚନା ଦେଇ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଗଠନ ହେବ ନୂଆ ବ୍ଲକ !
- ରାଜ୍ୟରେ ବ୍ଲକ ବିଭାଜନ ଆରମ୍ଭ ହେବ
- ବ୍ଲକ ବଢିବାର ଆବଶ୍ୟକତା ରହିଛି
- ଏ ସଂକ୍ରାନ୍ତରେ ପଞ୍ଚାୟତରାଜ ବିଭାଗ ସହିତ ଆଲୋଚନା ହୋଇଛି
- ଦୁଇଟି ରାଉଣ୍ଡରେ ସଚିବଙ୍କ ସହିତ ମଧ୍ୟ ଆଲୋଚନା ହୋଇସାରିଛି
- ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବ୍ଲକ ବିଭାଜନର ଆବଶ୍ୟକତା ରହିଛି
- ନୂଆ ବ୍ଲକ ଗଠନ ପାଇଁ କମିସନର ଆବଶ୍ୟକତା ରହିଛି
- କମିସନ ହିଁ ନୂଆ ବ୍ଲକର ମାନଦଣ୍ଡ ତିଆରି କରିପାରିବେ
- ଯାହାଫଳରେ ସୁରୁଖୁରରେ ବ୍ଲକ ବିଭାଜନ ହୋଇପାରିବ
ରାଜ୍ୟର ଅନେକ ବଡ଼ ବଡ଼ ବ୍ଲକ ରହିଛି । କେଉଁଠି ୪୦ ଟି ତ ଆଉ କେଉଁଠି ୩୫ଟି ପଞ୍ଚାୟତ ରହିଛି । ଯେମିତି, ଯାଜପୁରର ବଡ଼ଚଣାରେ ସର୍ବାଧିକ ୪୩ଟି ପଂଚାୟତ ରହିଛି । ବାଲେଶ୍ବରର ଭୋଗରାଇ, କୋରାପୁଟର ବୋରିଗୁମ୍ମା ଓ ଦଶମନ୍ତପୁର, ଗଜପତିର ମୋହନା ଯେଉଁଠି ୩୯ଟି ପଞ୍ଚାୟତ ରହିଛି, ଝାରସୁଗୁଡାର ଲଖନପୁର ୩୩ଟି ପଞ୍ଚାୟତ ରହିଛି, କଟକ ଜିଲ୍ଲା ଯେଉଁଠି ବଡ଼ମ୍ବାରେ ୩୮ଟି ପଞ୍ଚାୟତ ରହିଥିବା ବେଳେ ନରସିଂହପୁରରେ ରହିଛି ୩୭ଟି ପଞ୍ଚାୟତ। ଇଏ ହେଉଛି ରାଜ୍ୟର ବଡ଼ ବ୍ଲକର ତାଲିକା । ଆଉ ଏହି ବ୍ଲକ ଅଫିସ ସବୁର ଦୂରତା ଗାଁଠାରୁ ଅନେକ ଦୂରରେ ରହୁଛି । ଯେଉଁଠି ଲୋକଙ୍କୁ ପହଞ୍ଚିବାକୁ ଅନେକ ଅସୁବିଧା ହେଉଛି । କେବଳ ସେତିକି ନୁହେଁ ପ୍ରଶାସନ ମଧ୍ୟ ବେଳେବେଳ ପହଞ୍ଚିପାରୁନି।
୨୦୧୭ରେ ବିଜେଡି ସରକାର ସମୟରେ ୫୦୦ ନୂଆ ପଞ୍ଚାୟତ ଗଠନ କରାଯାଇଥିଲା । ହେଲେ ୨୪ ବର୍ଷ ଶାସନ କାଳରେ ନୂଆ ବ୍ଲକ ନେଇ କୌଣସି ନିଷ୍ପତ୍ତି ନେଇପାରିନଥିଲେ । ୧୯୫୮ ମସିହାରେ ରାଜ୍ୟରେ ୧୨୪ଟି ବ୍ଲକ ରହିଥିଲାବେଲେ ୧୯୬୧କୁ ଏହି ସଂଖ୍ୟା ୨୧୪ ଛୁଇଁଥିଲା । ପରେ ୧୯୮୪ରେ ରାଜ୍ୟର ବ୍ଲକ ସଂଖ୍ୟା ୩୧୪ ହୋଇଥିଲା । ଲୋକସଂଖ୍ୟା ବଢିବା ସତ୍ବେ ସେବେଠୁ ସେହି ଅନୁପାତରେ ବ୍ଲକ ସଂଖ୍ୟା ବୃଦ୍ଧି କରାଯାଇନାହିଁ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment