ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କଲରାପତରିଆ ବାଘ ମୃତ
ଖଣ୍ଡପଡା, ୦୩/୧୨ (ମଣିଭଦ୍ରା ଖବର) : ଖଣ୍ଡପଡା ବନାଚଂଳରେ ଶିକାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଶିକାରୀ ଓ ଅସାମାଜିକ ବ୍ୟକ୍ତିମାନେ ଘଂଚ ଜଙ୍ଗଲ ଜମିରେ ଜଂଗଲୀ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଚୋରାରେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ କଲରାପତରିଆ ବାଘର ମୃତ୍ୟୁ ହେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଘଟଣାକ୍ରମେ ଖଣ୍ଡପଡା ବନାଚଂଳର ସିଂଘାପଡା ସେକ୍ସନ ଅଧିନ ବୁଢିଝାରୀ ସଂରକ୍ଷିତ ଜଙ୍ଗଲ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବରପାଇ ଖଣ୍ଡପଡା ବନାଚଂଳ ଅଧିକାରୀ ଉଦିତ କୁମାର ପ୍ରଧାନ, ବନପାଳ ସନାତନ ସ୍ବାଇଁ, କୈଳାସ ପ୍ରଧାନଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାରହା ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ବିଦ୍ୟୁତ ତାର ଯୋଗୁଁ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତ ବେଳେ ବନବିଭାଗ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରୁ ବାଘର ମୃତ ଦେହକୁ ବନ ବିଭାଗ କର୍ମଚାରୀ ମାନେ ଜବତ କରିଥିବା ଜଣାପଡିଛି । ଜବତ୍ ବାଘର ମାଂସ ଭୁବନେଶ୍ବର ସ୍ଥିତ ପରୀକ୍ଷାଗାରକୁ ପଠାଯିବ ବୋଲି ଖଣ୍ଡପଡ଼ା ବନାଚଂଳ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଆସାମୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନୟାଗତ ବନଖଣ୍ଡ ଅଧିକାରିଣୀ ଓ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି । ପ୍ରକାଶଥାଉକି ବାଘର ମୃତ୍ୟୁ ଘଟଣାକୁ ନେଇ ବନବିଭାଗ କର୍ମଚାରୀମାନେ ଯେଭଳି ତତ୍ପରତା ପ୍ରକାଶ କରିଛନ୍ତି ସେପରି ବନ୍ୟଜନ୍ତୁଙ୍କ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ସେତିକି ତତ୍ପରତା ପ୍ରକାଶ ନକରିବା ପରିତାପର ବିଷୟ । ତେବେ ବାଘର ମୃତ୍ୟୁ ଘଟଣାକୁ ନେଇ ପ୍ରକୃତିପ୍ରେମୀ ଓ ପରିବେଶବିତ୍ ମାନେ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment