BREAKING
Loading...
:

ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

 ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ 

ଭୁବନେଶ୍ଵର (ମଣିଭଦ୍ରା ଖବର) ସମସ୍ତ ଜୀବଜଗତ ଜୀବନଧାରଣ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମାଟି ମାଆ ଉପରେ ନିର୍ଭରଶୀଳ । ତେଣୁ ମାଟିର ଯତ୍ନ ନେବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ୍ । ମୃତ୍ତିକାର ଯତ୍ନ ପାଇଁ ଏହାର ପରିମାପ, ପର୍ଯ୍ୟବେକ୍ଷଣ ଓ ପରିଚାଳନା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବିଶ୍ୱ ମୃତ୍ତିକା ଦିବସ ଅବସରରେ ବିଶିଷ୍ଟ ବକ୍ତାମାନେ ରାସାୟନିକ ସାରର ବ୍ୟବହାର ହ୍ରାସ କରିବା ଏବଂ ଜୈବିକ ସାର ପ୍ରୟୋଗ କରି ମାଟି ମାଆର ଉର୍ବରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକମାନେ ବିଭିନ୍ନ ସମୟରେ କୃଷି ବୈଜ୍ଞାନିକମାନଙ୍କଠାରୁ ଚାଷ ସମ୍ବନ୍ଧୀୟ ପରାମର୍ଶ ଗ୍ରହଣ କରିବାକୁ କହିଥିଲେ । ଏହାଦ୍ୱାରା ଅଧିକ ଅମଳ ମିଳିବା ସହ ଚାଷଜମିକୁ ଦୀର୍ଘସମୟ ପର୍ଯ୍ୟନ୍ତ ସୁସ୍ଥ ରଖାଯାଇପାରିବ । ଅତିରିକ୍ତ ଜିଲ୍ଲାପାଳ ଡା ଦିବ୍ୟଲୋଚନ ମହନ୍ତ ମୃତ୍ତିକା ପରୀକ୍ଷା, ବିିଭିନ୍ନ ପ୍ରକାରର ଜୈବିକ ସାରର ପ୍ରୟୋଗ, ମୃତ୍ତିକା କ୍ଷୟ ରୋକିବା ଓ ସଠିକ୍ ମାତ୍ରାରେ, ସଠିକ୍ ପ୍ରଣାଳୀରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅଶୋକ କୁମାର କର, କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବିଜ୍ଞାନ ବିଭାଗର ବରିଷ୍ଠ ବୈଜ୍ଞାନିକ ଶ୍ରୀ ଦିଲୀପ କୁମାର ଷଡଙ୍ଗୀ, ଜିଲ୍ଲା କୃଷି ଅଧିକାରୀ, ବାଙ୍କୀ, ଶ୍ରୀ ବିଶ୍ୱନାଥ ଦାଶ, ଜିଲ୍ଲା କୃଷି ଅଧିକାରୀ, ଆଠଗଡ ଶ୍ରୀ ଶିବାଶିଷ ମିଶ୍ର, ଜିଲ୍ଲା କୃଷି ଅଧିକାରୀ, ସାଲେପୁର, ଶ୍ରୀ ଚନ୍ଦ୍ରମୋହନ ଚାନ୍ଦ, ସହକାରୀ କୃଷି ନିର୍ଦ୍ଦେଶକ (ମୃତ୍ତିକା) ତୃପ୍ତିମୟୀ ନାହାକ ପ୍ରମୁଖ ମୃତ୍ତିକାର ଯତ୍ନ, ରାସାୟନିକ ସାର ଓ ଜୈବିକ ସାରର ବ୍ୟବହାର, ବିଭିନ୍ନ ପ୍ରକାରର କୃଷି ଆଦି ବିଷୟରେ ଆଲୋଚନା କରିଥିବାବେଳେ ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଅସୀମା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଏହି ଅବସରରେ ୫୦ ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଏକ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରର ଶୁଭାରମ୍ଭ କରାଯାଇଥିଲା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS