BREAKING
Loading...
:

ଆସୁଛି ବଡ଼ଦିନ, ନୂଆବର୍ଷ; ପୁରୀରେ ବଢ଼ିଲାଣି ଭିଡ଼

 ଆସୁଛି ବଡ଼ଦିନ, ନୂଆବର୍ଷ; ପୁରୀରେ ବଢ଼ିଲାଣି ଭିଡ଼


କଟକ (ମଣିଭଦ୍ରା ଖବର) ପାଖେଇ ଆସୁଛି ବଡ଼ଦିନ। କିଛିଦିନ ପରେ ନୂଆବର୍ଷ। ତେଣୁ ନୂଆବର୍ଷକୁ ପାଳନ କରିବା ଲାଗି ପୁରୀରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଆଗମନ ହେଲାଣି। ସହରରେ ଥିବା ହୋଟେଲ, ଲଜିଂ, ଧର୍ମଶାଳା, ମଠଗୁଡିକ ଧୀରେ ଧୀରେ ପ୍ୟାକ୍‌‌ ହେଲାଣି। ନୂଆବର୍ଷ ପାଇଁ ପୁରୀକୁ ଆସିବାକୁ ଚାହୁଁଥିବା ପର୍ଯ୍ୟଟକ ଅନ୍‌‌ଲାଇନରେ ରୁମ୍‌‌ ବୁକିଂ କରିବାକୁ ଚାହୁଁଥିଲେ ହେଁ ରୁମ୍‌‌ ମିଳୁନାହିଁ।


ଦୁଇଦିନ ପରେ ବଡ଼ଦିନ। ଅଧିକାଂଶ ପର୍ଯ୍ୟଟକ ପୁରୀକୁ ବଡ଼ଦିନ ପୂର୍ବରୁ ଆସି ନୂଆବର୍ଷ କଟାଇ ଫେରିଥାନ୍ତି। ତେଣୁ ପୁରୀରେ ଏବେଠାରୁ ଭିଡ଼ ଜମିବା ଆରମ୍ଭ ହେଲାଣି। ବଡ଼ଦିନ ସାଙ୍ଗକୁ ଜିରୋ ନାଇଟ୍‌‌ ସେଲିବ୍ରେଶନ ପାଇଁ ଅଧିକାଂଶ ପୁରୀକୁ ପସନ୍ଦ କରିଥାନ୍ତି। ଯେ ହେତୁ ଏଠାରେ ସୁନ୍ଦର ଏବଂ ମନୋରମ ବେଳାଭୂମି ସାଙ୍ଗକୁ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ରହିଛି। ପୁରୀରେ ବଡ଼ଦିନ, ନୂଆବର୍ଷ ପାଳନ ସାଙ୍ଗକୁ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିପାରିବେ ଭକ୍ତ, ପର୍ଯ୍ୟଟକ। ହେଲେ ଏବେ ପ୍ରମୁଖ ହୋଟେଲ, ଲଜିଂ ପ୍ରାୟ ଫୁଲ୍‌‌ ହୋଇଗଲାଣି। ଆଗୁଆ ମଧ୍ୟ ଅନେକ ବୁକିଂ କରିସାରିଛନ୍ତି। ସୂଚନା ଅନୁଯାୟୀ, ପୁରୀରେ ହୋଟେଲ, ଲଜିଂ, ହଲିଡେହୋମ୍‌‌ ଆଦି ମିଶିଲେ ୮୫୦ରୁ ଅଧିକ ରହିଛି।ଏତଦ୍‌‌ବ୍ୟତୀତ ଧର୍ମଶାଳା, ମଠରେ ମଧ୍ୟ ଲୋକେ ରହିଥାନ୍ତି। ଏଥିମଧ୍ୟରୁ ବଡ଼ ବଡ଼ ହୋଟେଲଗୁଡିକରେ ରୁମ୍‌‌ ବୁକ୍‌‌ ପାଇଁ ଅନ୍‌‌ଲାଇନ ବ୍ୟବସ୍ଥା ରହିଥିବାବେଳେ କିଛି ହୋଟେଲ ଏବଂ ଲଜିଂରେ ସ୍ପଟ୍‌‌ ବୁକିଂ ସୁବିଧା ରହିଛି। ବଡ଼ ବଡ଼ ହୋଟେଲଗୁଡିକରେ ସାଧାରଣ ଦିନରେ ପର୍ଯ୍ୟଟକଙ୍କୁ କିଛିଟା ରିହାତି ମିଳିଥାଏ। ଛୋଟ ଛୋଟ ହୋଟେଲରେ କମ୍‌‌ ମୂଲ୍ୟ ଦେଇ ରହିବାର ସୁଯୋଗ ମିଳିଥାଏ। ହେଲେ ପୁରୀକୁ ଭକ୍ତ, ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ପ୍ରାୟତଃ ସମସ୍ତ ହୋଟେଲ, ଲଜିଂରେ ରୁମ୍‌‌ ପ୍ୟାକ୍‌‌ ହୋଇଗଲାଣି। ଏବେ ଭଡ଼ା ଅଧିକ ଦେବାକୁ ଚାହିଁଲେ ବି ହୋଟେଲ, ଲଜ୍‌‌ରେ ରୁମ୍‌‌ ମିଳୁନାହିଁ। ପୁରୀରେ ରହିବାକୁ ନେଇ ପର୍ଯ୍ୟଟକଙ୍କ ଚିନ୍ତା ବଢ଼ିଛି। ପର୍ଯ୍ୟଟକ ମଠ, ଧର୍ମଶାଳା ଆଡକୁ ମୁହାଁଉଥିବା ବେଳେ ସେଠାରେ ବି ଭିଡ ରହିଛି।


ଅନ୍ୟପକ୍ଷରେ ଭିଆଇପି ଓ ଭିଭିଆଇପିଙ୍କୁ ନେଇ ପ୍ରଶାସନ ଚିନ୍ତାରେ ରହିଛି। ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାର ବିଚାର ବିଭାଗୀୟ ଅଧିକାରୀ ମଧ୍ୟ ପୁରୀମୁହାଁ ହୋଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ଅତିଥି (ଷ୍ଟେଟ୍‌‌ ଗେଷ୍ଟ)ମଧ୍ୟ ପୁରୀ ଆସିବା ସମ୍ଭାବନା ରହିଛି। ସହରରେ ସରକାରୀ ବଙ୍ଗଳା କହିଲେ ସ୍ୱତନ୍ତ୍ର ସର୍କିଟ୍‌‌ ହାଉସ ସହିତ ବିଭିନ୍ନ ବିଭାଗ ଯଥା ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସେଚନ ବିଭାଗର ଗେଷ୍ଟ ହାଉସ୍‌‌ ରହିଛି। ପର୍ଯ୍ୟଟନ ବିଭାଗ ପାନ୍ଥ ନିବାସର ପୁନରୁଦ୍ଧାର ଚାଲିଥିବା ବେଳେ ଅଳ୍ପ କିଛି ରୁମ୍‌‌ ରହିଛି। ତାହା ସରକାରୀ ଅଧିକାରୀ ଏବଂ ବଡ଼ବଡ଼ିଆଙ୍କ ପାଇଁ ରଖାଯାଇଛି।

ମାନସ କୁମାର ସାହୁ, କଟକ 


Post a Comment

أحدث أقدم
Header ADS