କାର୍ଯ୍ୟସ୍ଥଳୀ ଠାରୁ ଦୁଇ କିଲୋମିଟର ଦୂରରେ ସୂଚନା ଫଳକ,ସରପଞ୍ଚଙ୍କ ପୁତୁରା ଶ୍ରମିକ ନେତା ସାଜି ଖାଇଗଲେ ଦେଢ଼ଲକ୍ଷ
ତିର୍ତ୍ତୋଲ (ମଣିଭଦ୍ରା ଖବର)ଜଗତସିଂହପୁର ଜିଲ୍ଲାରେ ଦୁର୍ନୀତି ପାଇଁ ଚର୍ଚ୍ଚିତ ବ୍ଲକ ହେଉଛି ତିର୍ତ୍ତୋଲ ବ୍ଲକ | ଯେ କୌଣସି ଯୋଜନା ହେଉ ବିନା ଦୁର୍ନୀତିରେ ଫାଇଲ ହଲେନି ଏଠି | ତାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଆମ୍ବେରୀ ପଞ୍ଚାୟତରେ | ୨୦୨୧-୨୨ ଆର୍ଥିକ ବର୍ଷରେ ମାନ୍ୟବର ପାରାଦ୍ୱୀପ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ମାଧ୍ୟମରେ ଭରାଗୋଳ ଗ୍ରାମରେ ଅକ୍ଷୟ ବାରିକ ଘର ଠାରୁ ସୁରେଶ ବାରିକ ଘର ପର୍ଯ୍ୟନ୍ତ ଢ଼ଳେଇ ରାସ୍ତା ମରାମତି କାର୍ଯ୍ୟ ପାଇଁ ଏକ ଲକ୍ଷ ପଚାଶ ହଜାର ବ୍ୟୟବରାଦ ହୋଇଛି | ହେଲେ ଆଶ୍ଚର୍ଯ୍ୟ ର ବିଷୟ ଭରାଗୋଳ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ଆମ୍ବେରୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ରାଜିବଗାନ୍ଧୀ ସେବା କେନ୍ଦ୍ର ଗୃହ ପଛପଟେ ଫଳକ ଲେଖା ହୋଇଛି | କେଉଁ ଉଦ୍ଦେଶ୍ୟରେ ନିର୍ମାଣ କାର୍ଯ୍ୟର ଦୁଇ କିଲୋମିଟର ଦୂରରେ ଫଳକ ଲେଖା ହୋଇଛି ତାହା ତଦନ୍ତ ସାପେକ୍ଷ | କାର୍ଯ୍ୟାଦେଶ ସ୍ଥାନୀୟ ସରପଞ୍ଚ ଙ୍କ ପୁତୁରା ତପନ କୁମାର ମଲ୍ଲିକ ନାମରେ ଥିବା ବେଳେ ଫଳକ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ହୋଇଥିଲେ ବି ଏ ବିଷୟରେ ସରପଞ୍ଚ ଅଜ୍ଞ | କାର୍ଯ୍ୟସ୍ଥଳୀ ନିକଟବର୍ତ୍ତୀ ସ୍ଥାନୀୟ ବାସିନ୍ଦା କାର୍ଯ୍ୟ ହୋଇଥିବା ନେଇ ସ୍ପଷ୍ଟୀକରଣ ଦେଇପାରୁନାହାଁନ୍ତି | ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଉକ୍ତ କାର୍ଯ୍ୟାଦେଶ ବିଷୟରେ ମଧ୍ୟ କିଛି ସଠିକ ଉତ୍ତର ଦେଇପାରୁନାହାଁନ୍ତି | ସମ୍ପୃକ୍ତ କାର୍ଯ୍ୟର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ ରଖୁଛନ୍ତି |
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق