ପୋଷ୍ଟ ଅଫିସରେ ଆଧାର ସଂଶୋଧନ କେନ୍ଦ୍ର ଥାଇ ମଧ୍ୟ ଜନସାଧାରଣ ନିରାଶ
ଗଣିଆ ( ମଣିଭଦ୍ରା ଖବର) ବ୍ୟାଙ୍କ ଆକାଉଣ୍ଟ ହେଉ ଅଥବା ରାସନକାର୍ଡ ସବୁଥିରେ ଆଧାର ଲିଙ୍କ ନିହାତି ଆବଶ୍ୟକ । ଏପରିକି ଆଧାରରେ ଫୋନ ନମ୍ବର ଲିଙ୍କ୍ ନଥିଲେ କୈାଣସି କାର୍ଯ୍ୟ ହୋଇପାରୁନାହିଁ । ଏଥିପାଇଁ ଆଧାର ସଂଶୋଧନ କେନ୍ଦ୍ର ଗୁଡିକରେ ସବୁ ସମୟରେ ଭିଡ଼ ଲାଗି ରହୁଛି । ଏବେ ସୁଭଦ୍ରା ଯୋଜନା ପାଇଁ ମହିଳା ମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆଧାର ସଂଶୋଧନ କେନ୍ଦ୍ର ସମ୍ମୁଖରେ ଅଧିଆ ପଡୁଥିବା ଦେଖିବାକୁ ମିଳୁଛି । ଗଣିଆ ବ୍ଳକ କାର୍ଯ୍ୟାଳୟ ପରିସରରେ ସରକାରୀ ଭାବେ ଗୋଟିଏ ଆଧାର ସଂଶୋଧନ କେନ୍ଦ୍ର ରହିଥିବାବେଳେ ପୋଷ୍ଟ ଅଫିସରେ ଆଧାର ସଂଶୋଧନ କେନ୍ଦ୍ର ରହିଛି । ତେବେ ଦୀର୍ଘ ଦିନ ହେବ ପୋଷ୍ଟ ଅଫିସରେ ଆଧାର ସଂଶୋଧନ ବନ୍ଦ ରହିଛି । ବିଭିନ୍ନ ପ୍ରକାରର ବାହାନା ଦେଖାଇ ବିଭାଗୀୟ ଅଧିକାରୀ ମାନେ ଚୁପ୍ ରହିଛନ୍ତି । ଗଣିଆ ଠାରୁ ୪୫ କିଲୋମିଟର ଦୂର ବଡସିଲିଙ୍ଗା ପଞ୍ଚାୟତରୁ ଆସୁଥିବା ଜନସାଧାରଣ ପୋଷ୍ଟ ଅଫିସକୁ ଆଧାର ଲିଙ୍କ କରିବାକୁ ଆସି ନିରାଶ ହୋଇ ପଡ଼ୁଛନ୍ତି । ନୟାଗଡ଼ ଜିଲ୍ଲା ଅଧିକାରୀଙ୍କୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ଏପଟେ ବ୍ଳକ କାର୍ଯ୍ୟାଳୟ ପରିସରରେ ଗୋଟିଏ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ଥିବାରୁ ଲୋକେ ବେସରକାରୀ କେନ୍ଦ୍ରରେ ଅଧିକ ଅର୍ଥ ଦେଇ ଖର୍ଚ୍ଚାନ୍ତ ହେଉଛନ୍ତି । ସରକାରୀ ଭାବରେ ପ୍ରତିଦିନ ପୋଷ୍ଟ ଅଫିସରେ ଆଧାର ସଂଶୋଧନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶନାମା ଥିଲେ ମଧ୍ୟ ମାସ ମାସ ଧରି ଏଠାରେ ଆଧାର କେନ୍ଦ୍ର ବନ୍ଦ ରହୁଛି । ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ତଥା ସୁଭଦ୍ରା ଯୋଜନା ଭଳି ଏକ ଜନହିତକର ଯୋଜନାର ସୁଫଳ ପାଇଁ ତୁରନ୍ତ ପୋଷ୍ଟ ଅଫିସରେ ଥିବା ଆଧାର କେନ୍ଦ୍ରକୁ କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment