BREAKING
Loading...
:

ସରକାରୀ ସ୍ତରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର,ଗଣିଆ ବ୍ଳକରେ ୫୪ ବିଦ୍ୟାଳୟରୁ ୨୨ଟିରେ ନାହାନ୍ତି ପ୍ରଧାନଶିକ୍ଷକ

 ସରକାରୀ ସ୍ତରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର,ଗଣିଆ ବ୍ଳକରେ ୫୪ ବିଦ୍ୟାଳୟରୁ ୨୨ଟିରେ ନାହାନ୍ତି ପ୍ରଧାନଶିକ୍ଷକ 

ଗଣିଆ (ମଣିଭଦ୍ରା ଖବର) ଭୂଷୁଡିଗଲାଣି ଶିକ୍ଷା ବ୍ୟବସ୍ଥା । ସରକାରୀ ସ୍ତରରେ ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ର ଦେଖିବାକୁ ମିଳୁଥିବାରୁ ଅଭିଭାବକ ବେସରକାରୀ ଆଡ଼କୁ ମୁହଁଆଇଲେଣି ‌। ସର୍ବ ଶିକ୍ଷା ଯୋଜନା ମାଧ୍ୟମରେ ସରକାର ପୋଷାକ ଠାରୁ ଆରମ୍ଭ କରି ବହି, ମଧ୍ୟାହ୍ନ ଭୋଜନ,ବ୍ୟାଗ, ସାଇକେଲ ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦେଉଛନ୍ତି । ସ୍ମାର୍ଟ କ୍ଳାସ ରୁମ୍ ଠାରୁ ଆରମ୍ଭ କରି କମ୍ପ୍ୟୁଟର,ଲ୍ୟାବ ପର୍ଯ୍ୟନ୍ତ ସବୁପ୍ରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏସବୁକୁ ପରିଚାଳନା କରିବା ତଥା ଛାତ୍ର ଛାତ୍ରୀଙ୍କୁ ଉଚିତ୍ ମାର୍ଗ ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ଶିକ୍ଷକ ଯୋଗାଇବାକୁ ସରକାର ଭୂଲି ଯାଇଛନ୍ତି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକରେ ଶିକ୍ଷା ବ୍ୟବସ୍ଥା ଦିନକୁଦିନ ଭୂଷୁଡିଗଲାଣି । ବ୍ଳକରେ ୨୪ଟି ପ୍ରାଥମିକ ବିଦ୍ୟାଳୟରେ ୨୧୪୧ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ୨୦ଟି ବିଦ୍ୟାଳୟରେ ୧୫୪୦ ଜଣ  ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ୯ଟି ବିଦ୍ୟାଳୟରେ ୮୭୦ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି । ଗଣିଆରେ ୫୪ଟି ବିଦ୍ୟାଳୟ ଥିବାବେଳେ ୨୨ ଟି ବିଦ୍ୟାଳୟରେ ନାହାଁନ୍ତି ପ୍ରଧାନଶିକ୍ଷକ ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ ।   ପ୍ରଧାନଶିକ୍ଷକ ନଥିବା ୨୨ଟି ବିଦ୍ୟାଳୟ ମଧ୍ୟରୁ ଉଚ୍ଚ ବିଦ୍ୟାଳୟର ୩ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ଟି ଏବଂ ପ୍ରାଥମିକ ବିଦ୍ୟାଳୟର ୧୨ଟି ବୋଲି ଜଣାପଡିଛି । ଉଚ୍ଚ ବିଦ୍ୟାଳୟକୁ ନଜର କଲେ ନାରାୟଣ ପ୍ରସାଦ,ରାସଙ୍ଗ ଓ ଗୁପ୍ତେଶ୍ୱର ବିଦ୍ୟାପୀଠ, ଛାମୁଣ୍ଡିଆରେ ପ୍ରଧାନଶିକ୍ଷକ ନଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କେନ୍ଦୁଆବିଡା,ରାଉତପଡା,ବେଠିଆସାହି, ଛାମୁଣ୍ଡିଆ,ପତଣ୍ଡା, କରଡାପଡା, ଆଡକଟାରେ ନାହାଁନ୍ତି ପ୍ରଧାନଶିକ୍ଷକ । ସେହିପରି ପ୍ରାଥମିକ ବିଦ୍ୟାଳୟ କାଳିଆପଡା, ଏରୁଣ୍ଡିପଥର,ରାସଙ୍ଗ,ମହୁକଣ, ବସନ୍ତପୁର,କେନ୍ଦୁ ପଲ୍ଲୀ, ଶିଖରଗୋଛା,ଢିପିସାହି,ଡୁଇସିଙ୍ଗି, ମହନାପଦା,ରାଇଗାଡିଆ, କୁମ୍ଭୀରଖଣିରେ ପ୍ରଧାନଶିକ୍ଷକ ନାହାନ୍ତି । ଏସବୁ ବିଦ୍ୟାଳୟ ଗୁଡିକ "ବାଘ ନଥିଲେ ମିରିଗ ନାଟ" ନ୍ୟାୟରେ ଚାଲିଛି । ବିଭିନ୍ନ ସମୟରେ ଅଭିଭାବକ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମାନେ ପ୍ରଧାନଶିକ୍ଷକ ନଥିବା କଥା ଉଚ୍ଚ କତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ପ୍ରଧାନ ଶିକ୍ଷକ ସମସ୍ୟା ଏଭଳି ଥିବା ବେଳେ ଶିକ୍ଷକ ସମସ୍ୟା ନକହିବା ଭଲ । ଏ ସମ୍ପର୍କରେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟଙ୍କୁ ପଚାରିବାରୁ ଏ ସମ୍ପର୍କିତ ସମସ୍ତ ତଥ୍ୟ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିବା ବେଳେ ଆଗାମୀ ଦିନରେ ସମସ୍ତ ପଦବୀ ପୂରଣ ହେବ ବୋଲି ସେ ବର୍ଣ୍ଣନା କରିଛନ୍ତି । ଏପରିକି ଜିଲ୍ଲା ଶିକ୍ଷାଧିକାରୀ ଅଧିକ ତଥ୍ୟ ପ୍ରଦାନ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।  ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

Previous Post Next Post
Header ADS