ମିଲେଟ ମିଶନ ସମ୍ପର୍କରେ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ, ପଦାରେ ପଡ଼ିଲା ଜୀବିକା ମିଶନ ଏବଂ ମିଶନ ଶକ୍ତିର ଅପାରଗତା
ଗଣିଆ ୨୨/୦୨(ମଣିଭଦ୍ରା ଖବର) ଗଣିଆ ମିଶନ ଶକ୍ତି ଗୃହ ପରିସରରେ ସିଲେଟ ମିଶନ ସମ୍ପର୍କରେ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା,ସିଡିପିଓ ସୈଦାମିନୀ ପଣ୍ଡା, ଗଣିଆ ଉନ୍ନୟନ କମିଟି ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା,ମିଶନ ଶକ୍ତି ଅଧିକାରୀ ପ୍ରମୋଦ କୁମାର ବେହେରା, ଜୀବିକା ମିଶନ ଅଧିକାରୀ କାଦମ୍ବିନୀ ନାୟକଙ୍କ ସମେତ ଲୋକପ୍ରତିନିଧି ତଥା ଶିଶୁକଲ୍ୟାଣ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । ଖରାଦିନ ପାଇଁ ଗଣିଆ ବ୍ଲକର ୫ଟି ପଞ୍ଚାୟତରେ ୨୫ ଏକର ଜମିରେ ମାଣ୍ଡିଆ ଚାଷ କରାଯିବା ପାଇଁ ସ୍ଥିର କରାଯାଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ବଡସିଲିଙ୍ଗାରେ ୧୩ ଏକର, ଛାମୁଣ୍ଡିଆରେ ୬ ଏକର,କରଡାପଡାରେ ୪ ଏକର, କିଶୋର ପ୍ରସାଦ ଏବଂ ଆଡକଟା ପଞ୍ଚାୟତରେ ଗୋଟିଏ ଏକର ଜମିରେ ମାଣ୍ଡିଆ ଚାଷ ହେବା ପାଇଁ ସ୍ଥିର କରାଯାଇଥିବା ସମ୍ପାଦକ ଶ୍ରୀବେହେରା ପ୍ରକାଶ କରିଥିଲେ । ମାଣ୍ଡିଆର ୫ ବର୍ଷିଆ କାର୍ଯ୍ୟକ୍ରମ ଗଣିଆରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ବ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣିଆ ଉନ୍ନୟନ କମିଟିକୁ ହସ୍ତାନ୍ତର କରାଯାଇଛି । ତେବେ ଅନ୍ୟ ବ୍ଳକରେ ମାଣ୍ଡିଆ ଚୂନା ଏବଂ ମାଣ୍ଡିଆ ଅମଳ ଯନ୍ତ୍ର ପ୍ରଦାନ କରାଯାଇଥିବା ବେଳେ ଗଣିଆରେ ମିଶନ ଶକ୍ତି ଏବଂ ଜୀବିକା ମିଶନ ଅଧିକାରୀ ମାନଙ୍କର ଅପାରଗତା ଯୋଗୁଁ ଚାଷୀ ମାନେ ଏହି ମେସିନ ପାଇବାରୁ ବଞ୍ଚିତ ହୋଇଥିବା ସଭାରେ ଆଲୋଚନା ହୋଇଥିଲା । ଏପରିକି ଉଭୟ ବିଭାଗୀୟ ଅଧିକାରୀ ସଭାରେ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ କରିଥିଲେ ଯାହାକି ସମସ୍ତଙ୍କୁ ଚକିତ କରିଥିଲା । ଏଥିରୁ ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ନଥିବା ଜଣାପଡିଥିଲା । ତେବେ ପରସ୍ପର ପ୍ରତି ଆଙ୍ଗୁଳି ନିର୍ଦେଶ ନକରି କିଭଳି ଚାଷୀମାନେ ମେସିନ ପାଇବେ ସେଥିପାଇଁ ଚେଷ୍ଟା କରିବାକୁ ଅତିରିକ୍ତ ବିଡ଼ିଓ ପ୍ରକାଶ କରିଥିଲେ ।
ରିପୋର୍ଟ ମଣିଭଦ୍ରା ଖବର, ଗଣିଆ ନୟାଗଡ
Post a Comment