BREAKING
Loading...
:

ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍‌ କ୍ୟାମ୍ପସରେ ଜମୁଛି ମଦର ଆସର l

 ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍‌ କ୍ୟାମ୍ପସରେ ଜମୁଛି ମଦର ଆସର l 




ସୁବର୍ଣ୍ଣପୁର( ମଣିଭଦ୍ରା ଖବର)ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍‌ କ୍ୟାମ୍ପସରେ ପଡ଼ିଛି କାଠ ଟେବୁଲ। ଆଉ ତା’ ଉପରେ ଥୁଆ ଯାଇଛି ଦେଶୀ ବିଦେଶୀ ବ୍ରାଣ୍ଡର ମଦ ବୋତଲ। ଆଜି ଏପରି ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରୁ। ମଦ ବୋତଲ ଓ ସିଗାରେଟ୍‌ ଖୋଳକୁ ଦେଖିଲେ ଲାଗୁଛି ଏଠି ଜମୁଥିବ ମଦୁଆଙ୍କ ଆସର!

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ ଗୋଟିଏ କ୍ୟାମ୍ପସରେ ରହିଛି। ଆଜି ସକାଳେ ଅଫିସ୍‌ ପରିସରରେ ଦେଖିବାକୁ ମିଳିଥିଲା ଅଜବ ଦୃଶ୍ୟ। ଅଫିସର ମୁଖ୍ୟ ଫାଟକ ସମ୍ମୁଖରେ ପଡ଼ିଥିଲା କାଠ ଟେବୁଲ ଓ ପ୍ଲାଷ୍ଟିକ୍‌ ଚେୟାର। ଆଉ ଟେବୁଲ ଉପରେ ଥୁଆ ହୋଇଥିଲା ଦେଶୀ ଓ ବିଦେଶୀ ମଦ ବୋତଲ। ଟେବୁଲ୍‌ ତଳେ ପଡ଼ିଥିଲା ଖାଲି ସିଗାରେଟ ଖୋଳ ଓ ଅନ୍ୟ ପାଉଚ। ଏଥିରୁ ଜଣାପଡ଼ୁଛି, ରାତିରେ ଏଠାରେ ଜମିଥିଲା ମଦର ଆସର!

ସବୁଠାରୁ ମଜାଦାର କଥା ହେଉଛି ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସର ପ୍ରବେଶ ପଥ ଗୋଟିଏ। ଦୁଇ ଅଫିସର ଦୁଇ ଜଣ କର୍ମଚାରୀଙ୍କ ପାଖରେ ରହୁଛି ଗେଟ୍‌ର ଚାବି। ଏହାର ଅର୍ଥ ଶନିବାର ସେମାନେ ଅଫିସ୍‌ ଛାଡ଼ିବା ପୂର୍ବରୁ ତାଲା ନିଶ୍ଚିତ ପକାଇଥିବେ। ଏହା ସତ୍ତ୍ୱେ ଅଫିସ୍‌ କ୍ୟାମ୍ପସ ଭିତରେ କେମିତି ଜମିଲା ମଦର ଆସର? ଅଫିସ୍‌ ଫାଟକ ତାଲା ଖୋଲିଲା କିଏ? କେମିତି ଅସାମାଜିକ ବ୍ୟକ୍ତିମାନେ ଅଫିସ୍‌ କ୍ୟାମ୍ପସ ଭିତରେ ପଶି ମଦ ପିଇଲେ? ଏଥିରେ ଅଫିସର କୌଣସି କର୍ମଚାରୀଙ୍କ ହାତ ନାହିଁ ତ? ଖୋଦ୍ ଅଫିସ୍ କର୍ମଚାରୀ ମଦର ଆସର ଜମାଇ ନଥିଲେ?  ଏପରି ନାନା ପ୍ରଶ୍ନ ସାଧାରଣରେ ଏବେ ଉଙ୍କି ମାରୁଛି। ହେଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS