ନିଟ୍ ପରୀକ୍ଷାରେ ୬୫୩ ମାର୍କ ରଖି କୃତକାର୍ଯ୍ୟ ହେଲେ ସମାଜ ଏଜେଣ୍ଟଙ୍କ ପୁଅ
ଗଣିଆ ୦୮/୦୯(ମଣିଭଦ୍ରା ଖବର) ଗଣିଆ ବ୍ଲକ ସମାଜ ଏଜେଣ୍ଟ ତଥା ବହି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା କୈଳାଶ ଚନ୍ଦ୍ର ସାହୁଙ୍କ ପୁଅ ତୃପ୍ତି ଉତ୍ସଳ ସାହୁ ନିଟ୍ ପରୀକ୍ଷାରେ ୬୫୩ ମାର୍କ ରଖି ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି । ସେ ସର୍ବ ଭାରତୀୟ ସ୍ତରରେ ୩୮୯0 ରାଙ୍କ ରଖିଥିବା ବେଳେ ପଛୁଆ ବର୍ଗ ସ୍ତରରେ ୧୨୬୬ ରାଙ୍କରେ ଅଛନ୍ତି । ପିଲାବେଳୁ ଡ଼ାକ୍ତର ହୋଇ ଗ୍ରାମାଞ୍ଚଳ ଗରୀବ ଅସହାୟଙ୍କୁ ସେବା କରିବାର ସ୍ବପ୍ନ ଦେଖିଥିବା ବେଳେ ତାଙ୍କର ସ୍ବପ୍ନ ସାର୍ଥକ ହୋଇଛି । ତାଙ୍କ ବାପାଙ୍କର ପରିଶ୍ରମ ଏବଂ ଆର୍ଶୀବାଦ ଫଳରେ ସେ ସଫଳତା ଲାଭ କରିଥିବା ପ୍ରକାଶ କରିଛନ୍ତି । ତୃପ୍ତି ଉତ୍ସଳ ଜଣେ ମେଧାବୀ ଛାତ୍ର ଭାବେ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ମ୍ୟାଟ୍ରିକ ପରୀକ୍ଷାରେ ୫୪୬ ମାର୍କ ରଖି ନିଜ ବିଦ୍ୟାଳୟ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ଗୈାରବ ଆଣିଥିଲେ । ସେହିପରି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ନୟାଗଡ ଅଟୋନମୋସ ମହାବିଦ୍ୟାଳୟରୁ ୫୫୮ ମାର୍କ ରଖି ସଫଳତା ଲାଭ କରିଥିଲେ । ତାଙ୍କ ବାପା କୈଳାଶ ଚନ୍ଦ୍ର ସାହୁ ସମାଜ ଖବରକାଗଜ ଏଜେଣ୍ଟ ଭାବେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି । ପୁଅର ଏଭଳି ସଫଳତାରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ସେ ପାଠ ପଢା ବ୍ୟତୀତ ଅନେକ ସମୟରେ ନିଜ ବହି ଦୋକାନରେ ବସି ବାପାଙ୍କୁ ସହଯୋଗ ମଧ୍ୟ କରିଥାନ୍ତି । ଗଣିଆ ଭଳି ଏକ ଉପାନ୍ତ ଅଞ୍ଚଳରେ ଏଭଳି ସଫଳତା ଲାଭ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।
Post a Comment