ଆସୁଛି ଆଉ ଏକ ଲଘୁଚାପ, ଭୟରେ ମହାନଦୀ କୂଳବାସୀ
ଗଣିଆ ୧୩/୦୮(ମଣିଭଦ୍ରା ଖବର) ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହୋଇଛି । ଫଳରେ ୧୫ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଏପରିକି ସମସ୍ତ ବିଭାଗୀୟ ଅଧିକାରୀ ମାନେ ଆଲର୍ଟ ରହିବାକୁ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଜଣାଇଛନ୍ତି । ହିରାକୁଦ ଡ୍ୟାମରୁ ୩୦ଟି ଗେଟ୍ ଦେଇ ଜଳନିଷ୍କାସନ କରାଯାଉଛି । ବର୍ଷାର ପରିମାଣ ବଢୁ ଥିବାରୁ ଆହୁରି ଅଧିକ ଗେଟ୍ ଖୋଲା ଯାଇ ପାରେ ବୋଲି ପୂର୍ବାନୁମାନ କରାଯାଇଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି ଏଥିରେ ସନ୍ଦେହ ନାହିଁ । ମହାନଦୀରେ ବନ୍ୟା ଆସିଲେ ଗଣିଆ ବ୍ଲକର ରାସଙ୍ଗ, ଛାମୁଣ୍ଡିଆ, ବଡସିଲିଙ୍ଗା,ବେଲପଡାପାଟଣା ଏବଂ କିଶୋରପ୍ରସାଦ ପଞ୍ଚାୟତର ଅନେକ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିବେ । ପ୍ରତିବର୍ଷ ରାସଙ୍ଗ ଠାରେ ଘାଇ ସୃଷ୍ଟି ହୋଇ ରାସ୍ତାରେ ୪ଫୁଟ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ । ବନ୍ୟା ଖବର ଶୁଣିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ ନଦୀକୂଳିଆ ବାସୀ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି । କିଛି ଦିନ ତଳେ ଲଗାଣ ବର୍ଷାରେ ପନିପରିବା ଏବଂ ଚାଷଜମିରେ ପାଣି ଶୁଖିନଥିବା ବେଳେ ପୁଣି ଏକ ଲଘୁଚାପ ଏବେ ଜନସାଧାରଣଙ୍କୁ ଭୟଭୀତ କରିଛି । ବନ୍ୟାକୁ ନଜରରେ ରଖି ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଘରେ ନେଇ ମହଜୁଦ କରୁଥିବା ଦେଖିବାକୁ ମିଳିଛି । ତେବେ ଗଣିଆ ବ୍ଳକ ପ୍ରଶାସନ ତରଫରୁ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ ଜଣାଇଛନ୍ତି । ଅନେକ ସ୍ଥାନରେ ଚାଉଳ, କିରୋସିନି ମହଜୁଦ ରହିବା ସହିତ ରାସଙ୍ଗ ଠାରେ ଡଙ୍ଗାର ମଧ୍ୟ ବ୍ୟବସ୍ଥା ହୋଇଥିବା ଜଣାପଡିଛି । ବିଭାଗୀୟ ଅଧିକାରୀ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق