ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ନିର୍ବାଚନୀ ବୈଠକ -
ନୂତନ ଭୋଟର ନିମନ୍ତେ ବର୍ଷକୁ ମିଳିବ 0୪ ଥର ସୁଯୋଗ -
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)
ଭୋଟର ତାଲିକା ୨0୨୩ ପ୍ରସ୍ତୁତି ସମ୍ପର୍କରେ ଏକ ନିର୍ବାଚନୀ ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀ କରଣ ଓ ସଂଶୋଧିତ ରୂପାନ୍ତରିତ ପଞ୍ଜିକରଣ ଫର୍ମ ଆଦି ବ୍ୟବସ୍ଥା ସମ୍ବଦ୍ଧରେ ଉପସ୍ଥିତ ରାଜନୈତିକ ଦଳ ର ପ୍ରତିନିଧି, କର୍ମକର୍ତ୍ତା ଙ୍କୁ ଅବଗତ କରାଯାଇଛି l ଡେପୁଟି କଲେକ୍ଟର (ନିର୍ବାଚନ ଶାଖା ) ପ୍ରୟାଶୀ ପ୍ରଧାନ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l କେନ୍ଦ୍ର ସରକାରଙ୍କ ଆଇନ ୧୯୫0/୫୧ ର ପରିବର୍ତ୍ତନ କରାଯାଇ ସଂଶୋଧିତ ଭୋଟର ପଞ୍ଜିକରଣ ଆଇନ -୨0୨୨ ଅନୁଯାୟୀ ରୂପାନ୍ତରିତ ପଞ୍ଜିକରଣ ଫର୍ମ ର କାର୍ଯ୍ୟକାରିତା ସମ୍ୱନ୍ଧରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ସୂଚନା ପ୍ରଦାନ କରିଥିଲେ l ପରିବର୍ତ୍ତନ ଅନୁସାରେ ପୂର୍ବରୁ ନୁଆଁ ଭୋଟର ଙ୍କ ପଞ୍ଜିକରଣ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀଙ୍କୁ ସ୍ଥାନାନ୍ତରଣ ସୁବିଧା ପାଇଁ ବ୍ୟବହାର କରାଯାଉଥିବା ୬ ନଂ ଫର୍ମକୁ କେବଳ ନୂତନ ଭୋଟରଙ୍କ ପଞ୍ଜିକରଣ ପାଇଁ ବ୍ୟବହାର କରାଯିବ l ସେହିପରି ଫର୍ମ ୮ ରେ ପୂର୍ବରୁ ଭୋଟର ତାଲିକାରେ ତ୍ରୁଟି ଥିବା ବିବରଣୀର ସଂଶୋଧନ କରାଯାଉଥିଲା, ମାତ୍ର ଏବେ ସେଥିରେ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତର ନିମନ୍ତେ, ଭୋଟର ତାଲିକାରେ ଥିବା ବିବରଣୀ ସଂଶୋଧନ ନିମନ୍ତେ, ଭୋଟର ପରିଚୟ ପତ୍ର ବଦଳ କରିବା, ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚି଼ହ୍ନଟ ଆଦି କରାଯିବ l ଫର୍ମ ୭ ନାମ ବାଦ ଦେବାପାଇଁ ବ୍ୟବହାର କରାଯିବ ମାତ୍ର ମୃତ୍ୟୁ ପ୍ରମାଣ ପତ୍ର ସଂଲଗ୍ନ କରାଯିବ l ସବୁଠୁ ଉଲ୍ଲେଖନୀୟ ବିଷୟ ହେଲା ଯୁବବର୍ଗ ଙ୍କ ପାଇଁ ଭୋଟର ହେବାକୁ ପୂର୍ବରୁ ବର୍ଷକୁ ଥରେ ମାତ୍ର ନାମ ପଞ୍ଜିକରଣ ସୁଯୋଗ ମିଳୁଥିଲା ମାତ୍ର ଏବେ 0୪ ଥର ସୁଯୋଗ ମିଳିବ l ଜାନୁୟାରୀ 0୧, ଏପ୍ରିଲ 0୧, ଜୁଲାଇ 0୧ ଓ ଅକ୍ଟୋବର 0୧ ବେଳକୁ ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ l ଅର୍ଥାତ 0୪ ଟି ଯୋଗ୍ୟତା ସୂଚକ ତାରିଖରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରାଯାଇପାରିବ l ଅଗଷ୍ଟ 0୧ ରୁ ଆରମ୍ଭ କରାଯାଇଥିବା ଭୋଟର ପରିଚୟ ପତ୍ରକୁଆଧାର ସହିତ ସଂଯୋଗ କାର୍ଯ୍ୟକ୍ରମ ଅନଲାଇନ ରେ କରାଯାଇପାରିବ l ଏଥି ସହିତ ଅଫଲାଇନ ରେ ବିଏଲଓ କିମ୍ବା ଭୋଟର ସହାୟତା କେନ୍ଦ୍ର ସହାୟତାରେ କରାଯାଇପାରିବ l ସ୍ବେଛାକୃତ ଭାବେ ଭୋଟର ଙ୍କ ଠାରୁ ଆଧାର ବିବରଣୀ ସଂଗ୍ରହ କରାଯିବ l ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ନୂତନ ଫର୍ମ 0୬ (ଖ) ପ୍ରଚଳନ କରାଯାଇଛି l ବୈଠକରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ଭାବେ ବି ଜେ ଡି ରୁ କଇଁରୁ ସ୍ୱାଇଁ, ଭାରତୀୟ ଜାତୀୟ କଂଗ୍ରେସ ରୁ ସୁଧୀର ପଣ୍ଡା, କମ୍ୟୁନିଷ୍ଟ ପାର୍ଟି ରୁ ଗୋବିନ୍ଦ ମହାରଣା ଙ୍କ ସହ ସହକାରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ବି ଏମ ପୁର ଚିତ୍ତରଞ୍ଜନ ମିଶ୍ର ଡେପୁଟି କଲେକ୍ଟର, ଉପଜିଲ୍ଲାପାଳ କାର୍ଯ୍ୟାଳୟ ସୋନପୁର ଅମରେନ୍ଦ୍ର ସ୍ୱାଇଁ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ମେହେର, ବିଭାଗୀୟ କର୍ମଚାରୀ ପଦ୍ମଲୋଚନ ଧରୁଆ, ଜୟଦ୍ରଥ ଜଗଦଳା ପ୍ରମୁଖ ଯୋଗଦାନ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment