ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା l
ସୁବର୍ଣ୍ଣପୁର ( ମଣିଭଦ୍ରା ଖବର)କରୋନାରେ ମୃତ ବୌଦ୍ଧ ଜିଲ୍ଲାର ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଯୋଗାଇଦେଇଥିବା ଜଣାଯାଇଛି । ଗତ ତା ୧୦.୦୫.୨୦୨୧ ରିଖରେ କରୋନାରେ ପିଡିତ ସ୍ୱର୍ଗତ ବସ୍ତିଆଙ୍କୁ ପରିବାରଲୋକ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ରାସ୍ତାରେ ଆମ୍ବୁଲାନସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ସ୍ୱର୍ଗତ ବସ୍ତିଆଙ୍କ ପରିବାରକୁ ତୁରନ୍ତ ସରକାର କୋଭିଡ ଯୋଦ୍ଧା ଭାବରେ ଘୋଷଣା ମୁତାବକ ଆର୍ଥିକ ସହାୟତା ଯୋଗାଇଦେବାକୁ ଜିଲ୍ଲା ର ସାମ୍ବାଦିକମାନେ ଦାବି କରିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଏ ନେଇ ବାରମ୍ବାର ସରକାରଙ୍କୁ ପତ୍ର ଜରିଆରେ ଅବଗତ କରି ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ । ବର୍ତମାନ ବୌଦ୍ଧର ବିଧାୟକ ନିଜେ ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱଗ୍ରହଣ କରିବାପରେ ଏ ସଂପର୍କରେ ତାଙ୍କୁ ମଧ୍ୟ ନିବେଦନ କରାଯାଇଥିଲା । ଶେଷରେ ଜିଲ୍ଲାପାଳ ଶ୍ରୀମିଶ୍ର ଓ ମନ୍ତ୍ରୀ ଶ୍ରୀଅମାତ ଙ୍କ ଉଦ୍ୟମକ୍ରମେ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଗତ ୧୧ ତାରିଖ ଦିନ ସରକାର ୪ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇଦେଇଥିବା ଜଣାଯାଇଛି । ସରକାର ଆର୍ଥିକ ସହାୟତା ଯୋଗାଇଦେଇଥିବା ନେଇ ସ୍ୱର୍ଗତ ବସ୍ତିଆଙ୍କ ପତ୍ନୀ ସିପ୍ରାଞ୍ଜଳି ଖମାରୀ ଓ ତାଙ୍କ ଭାଇ ତଥା ସୁବର୍ଣ୍ଣପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ସୌରଭରଞ୍ଜନ ଖମାରୀ ସୂଚନା ପ୍ରଦାନ କରିବା ସହିତ ସରକାରୀ ସହାୟତା ଯୋଗାଇଦେଇଥିବାରୁ ମନ୍ତ୍ରୀ ଶ୍ରୀଅମାତ ଓ ଜିଲ୍ଲାପାଳ ଶ୍ରୀମିଶ୍ରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସୁବର୍ଣ୍ଣପୁର ,ଉଗ୍ରସେନ କର୍ମୀ
إرسال تعليق