ଯୁବକଙ୍କୁ ଅପହରଣ ପରେ ମୁଣ୍ଡ ଜାମିନୀ ରଖି ୩ ଗିରଫ
ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ସହର ମଝିରୁ ଜଣେ ଯୁବକଙ୍କୁ ଅପହରଣ ପରେ ମୁଣ୍ଡ ଜାମିନୀ ରଖି ଅପହରଣ କାରିମାନେ ଟଙ୍କା ମାଗିବା ଭଳି ଘଟଣା ଘଟିଛି । ପୁଲିସ ଏହି ଘଟଣାରେ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟିର ବାପିନା ପ୍ରଧାନ, ଘଡ଼ୁଆଳର ପ୍ରିୟବ୍ରତ ବରାଡ଼ ଏବଂ ରଣପୁର ଭଣ୍ଡାରିସାହିର ରାକେଶ ବାରିକ । ରଣପୁର ମାଣିକସାହିର ଦିପକ କୁମାର ମହାନ୍ତି ସ୍ଥାନୀୟ ଏକ ଚାଉଳ ଗୋଦାମରେ ଲେବର ସୁପରଭାଇଜର ଭାବେ କାମ କରନ୍ତି । କିଛିଦିନ ତଳେ ସେଠାରେ ନୟାଗଡ଼ର କିଛି ଯୁବକଙ୍କ ସହ ଦିପକଙ୍କର ଗଣ୍ଡଗୋଳ ହୋଇଥିଲା । ଗତକାଲି ଦିପକ ମାଲିକଙ୍କ ନୟାଗଡ଼ରେ ଥିବା ମଦ ଦୋକାନକୁ କୈାଣସି କାମରେ ଆସିଥିବା ବେଳେ ତାଙ୍କୁ ୫ରୁ ୭ ଜଣ ଯୁବକ ମିଶି ଅପହରଣ କରିଥିଲେ । ମୁଣ୍ଡ ଜାମିନୀ ରଖି ୩୦ ହଜାର ଟଙ୍କା ଦାବି କରିଥିଲେ । ଦିପକଙ୍କ ମାଆ ସୈାଦାମିନି ମହାନ୍ତି ଟାଉନଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପଦକ୍ଷେପ ଗ୍ରହଣ କରିଥିଲା । ପୁଲିସ ଧରିବା ସହ ଅପହୃତ ଦିପକଙ୍କୁ ଉଦ୍ଧାର କରିଥିଲା । ଦିପକଙ୍କୁ ପ୍ରବଳ ମାଡ଼ ମରାଯାଇଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ଭୋର ସମୟରେ ପରିବାର ହେପାଜତରେ ଛଡ଼ା ଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କଠାରୁ ୩ଟି ବାଇକ, ୩ଟି ମୋବାଇଲ ଏବଂ ୩୦ ହଜାର ଟଙ୍କା ଜବତ କରାଯାଇଥିବା ଜଣାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment