‘ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି । ମୁଁ ଧନ୍ୟବାଦ ଦେଉଛି ଆମର କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ, ଯେଉଁମାନେ ରାତିଦିନ ଏକ କରି କାମ କରି ନିଜର ସବୁ ସୁଖ ସୁବିଧା ତ୍ୟାଗ କରି ଆମ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।’
‘ଏହି ସଫଳତା ହେଉଛି ଆପଣମାନଙ୍କର ଯେଉଁମାନେ ଘର ଘର ବୁଲି ପ୍ରଚାର କରି ଲୋକଙ୍କୁ ବୁଝାଇଛନ୍ତି । ଏ ସଫଳତା ହେଉଛି ଓଡିଶାବାସୀଙ୍କର, ଯେଉଁମାନେ ଆମ ସରକାର ଉପରେ ଆସ୍ଥା ରଖିଛନ୍ତି । ଗଣତନ୍ତ୍ରରେ ଲୋକଙ୍କ ସ୍ୱର (ମତ) ହିଁ ସର୍ବଶ୍ରେଷ୍ଠ । ରାଜ୍ୟର ସବୁ ପଞ୍ଚାୟତରେ ଜନମତ ସ୍ପଷ୍ଟ ରୂପେ ଆମକୁ ମିଳିଛି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କର ଏହି ମତକୁ ନମ୍ରତାର ସହ ଗ୍ରହଣ କରିଛି । ଆମେ ଆମର ଭଲ କାମ ଜାରି ରଖିବୁ ।’
ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ବର୍ତ୍ତମାନ ପୌର ନିର୍ବାଚନର ସମୟ ଆସିଛି । ଆପଣ ଜାଣନ୍ତି, ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି । ମୋ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ ଘୃଣ୍ୟ ରାଜନୀତି କରିଛନ୍ତି । କିନ୍ତୁ ଓଡ଼ିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନାହାନ୍ତି । ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ । ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇଭଉଣୀ ମାନଙ୍କର ଦାୟିତ୍ୱ ।’
ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଆମେ ସକରାତ୍ମକ ରାଜନୀତିରେ ବିଶ୍ୱାସ କରୁ । ସ୍ୱଚ୍ଛ ସରକାର ଏବଂ ଲୋକଙ୍କର ଶକ୍ତି ହେଉଛି ଆମର ହଲ୍ମାର୍କ । ସହରାଞ୍ଚଳରେ ଅନେକ ଭଲ କାମ ହୋଇଛି । ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ଷ୍ଟ୍ରିଟ୍ ଲାଇଟ୍ ଠାରୁ ଆରମ୍ଭ କରି ଇନଡୋର ଷ୍ଟାଡିୟମ୍, ଭଲ ପିଇବା ପାଣି ଠାରୁ ଆରମ୍ଭ କରି ଆଧୁନିକ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା, ମିଶନ ଶକ୍ତିର ମା ମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ, ୱାର୍ଡ ସ୍ତରରେ ଭିତ୍ତିଭୂମି ଓ ନାଗରିକ ସୁବିଧା ଏବଂ ଅନଲାଇନରେ ମ୍ୟୁନିସପାଲ ସେବା । ନାଗରିକ ମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ତିଆରି କରାଯାଇଛି । ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ମାଲିକ, ମାଆ ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ତଥା ଯୁବସମାଜ ସମସ୍ତଙ୍କ ସଶକ୍ତି ପାଇଁ ଆମେ ଦୃଢ଼ ପ୍ରତିବଦ୍ଧତାର ସହ କାମ କରୁଛୁ ।’
إرسال تعليق