BREAKING
Loading...
:

ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ ; କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ।

 ଆରପାରିରେ ବିଶିଷ୍ଟ କୀର୍ତ୍ତନ ଗାୟକ ମକ୍ତାରି ସାହୁ ; କୀର୍ତ୍ତନ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ।



ସମ୍ବଲପୁହୃ-


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ସାଳଡ ଗ୍ରାମର ବିଶିଷ୍ଟ କୀର୍ତ୍ତନ ଗାୟକ ତଥା ଅଗ୍ରଣୀ ଚାଷୀ ମକ୍ତାରି ସାହୁ (୯୩)ଙ୍କ ପରଲୋକ ଗମନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  ବିଲମ୍ବିତ ରାତିରେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ପରିବାରବର୍ଗ ତାଙ୍କୁ ତୁରନ୍ତ ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମକ୍ତାରି ସାହୁ କେବଳ ଜଣେ କୀର୍ତ୍ତନ ଗାୟକ ନଥିଲେ, ସେ ଥିଲେ ଅଞ୍ଚଳର ଲୋକକଳା ଓ ଭକ୍ତି ସଂସ୍କୃତିର ଜଣେ ଜୀବନ୍ତ ପ୍ରତିନିଧି। ଛାନ୍ଦ, ଓଡ଼ିଶୀ, ଚମ୍ପୂ ଆଦି ବିଭିନ୍ନ ରାଗରେ ତାଙ୍କର ଅନନ୍ୟ ଦକ୍ଷତା ଥିଲା। ଅସଂଖ୍ୟ କୀର୍ତ୍ତନ ଓ ଭକ୍ତିଗୀତ ତାଙ୍କର କଣ୍ଠସ୍ଥ ଥିଲା। ତାଙ୍କର ସ୍ମୃତିଶକ୍ତି ଏତେ ପ୍ରଖର ଥିଲା ଯେ, ଦୀର୍ଘ ସାତ ଦିନ ସାତ ରାତି ଧରି କୀର୍ତ୍ତନ ଚାଲିଲେ ମଧ୍ୟ ତାଙ୍କ କଣ୍ଠର ଗୀତ ଓ ପଦାବଳୀ ସରୁନଥିଲା ବୋଲି ଅଞ୍ଚଳବାସୀ କହନ୍ତି। ବିଶେଷକରି ନିମାଇଁ ସନ୍ୟାସୀ, ଶ୍ରୀଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମକାହାଣୀ ଭଳି ଭକ୍ତିମୟ ଆଖ୍ୟାନକୁ ତାଙ୍କ ସ୍ୱତନ୍ତ୍ର ଗାୟନ ଶୈଳୀରେ ପରିବେଷଣ କରିବା ସମୟରେ ଶ୍ରୋତାମାନେ ଭାବବିହ୍ୱଳ ହୋଇପଡୁଥିଲେ। ତାଙ୍କ କଣ୍ଠରୁ ଭକ୍ତିରସରେ ଭିଜା ଗୀତ ଝରିଆସିଲେ ଅନେକ ଶ୍ରୋତାଙ୍କ ଆଖିରୁ ଅଜାଣତରେ ଲୁହ ଝରିପଡୁଥିଲା। ତାଙ୍କର ଗାୟନରେ ଥିଲା ଭକ୍ତି, ଭାବ ଓ ଲୋକଜୀବନର ଗଭୀର ଅନୁଭବର ଅପୂର୍ବ ସମନ୍ୱୟ। ଦୀର୍ଘ ଜୀବନରେ ସେ କୀର୍ତ୍ତନକୁ ନିଜର ସାଧନା ଭାବେ ଗ୍ରହଣ କରିଥିଲେ। ଗାଁରୁ ଗାଁକୁ ଯାଇ କୀର୍ତ୍ତନ ପରିବେଷଣ କରି ସେ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଓ ସୁନାମ ସୃଷ୍ଟି କରିଥିଲେ। ଏଥିସହ ସେ ଜଣେ ପରିଶ୍ରମୀ ଓ ଅଗ୍ରଣୀ ଚାଷୀ ଭାବେ ମଧ୍ୟ ପରିଚିତ ଥିଲେ। ମାଟି ସହ ତାଙ୍କର ସମ୍ପର୍କ ଯେତିକି ଗଭୀର ଥିଲା, ଭକ୍ତି ଓ କୀର୍ତ୍ତନ ସହ ତାଙ୍କର ସମ୍ପର୍କ ମଧ୍ୟ ସେତିକି ନିବିଡ଼ ଥିଲା। ତାଙ୍କର ବିୟୋଗରେ ଅଞ୍ଚଳ ଜଣେ ଅନନ୍ୟ କୀର୍ତ୍ତନ ଗାୟକଙ୍କୁ ହରାଇଛି। ତାଙ୍କ ସ୍ୱରରେ ଯେଉଁ ଭକ୍ତିର ଧାରା ପ୍ରବାହିତ ହେଉଥିଲା, ତାହା ଆଉ ଶୁଣିବାକୁ ମିଳିବ ନାହିଁ। କିନ୍ତୁ ତାଙ୍କ ଗାଇଥିବା ଅସଂଖ୍ୟ କୀର୍ତ୍ତନ, ଭକ୍ତିଗୀତ ଓ ତାଙ୍କ ସହ ଜଡ଼ିତ ସ୍ମୃତି ଅଞ୍ଚଳବାସୀଙ୍କ ମନରେ ଚିରଦିନ ଜୀବନ୍ତ ରହିବ। ତାଙ୍କର ମୃତ୍ୟୁ ସମ୍ବାଦ ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶତାଧିକ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ଏବଂ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ତାଙ୍କର ଏକମାତ୍ର ପୁଅ ନିତ୍ୟାନନ୍ଦ ସାହୁ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ସାଳଡ ସମେତ ସମଗ୍ର ରେଙ୍ଗାଲି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଭକ୍ତିର ସ୍ୱର ନିରବ ହୋଇଗଲା, କିନ୍ତୁ ମକ୍ତାରି ସାହୁଙ୍କ କୀର୍ତ୍ତନର ସ୍ମୃତି ଅଞ୍ଚଳବାସୀଙ୍କ ହୃଦୟରେ ସଦା ଗୁଞ୍ଜରିତ ହେଉଥିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS