ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,ଭାପୁରରେ ଦଲାଲ ମାତିଥିବା ନେଇ ଅଭିଯୋଗ କଲେ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ
ଗଣିଆ ୨୭/୦୭(ମଣିଭଦ୍ରା ଖବର) ଗଣିଆ ବ୍ଲକ ସଭା ଗୃହରେ ନୟାଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ମଧୁମିତା ରଥ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଏସପି ସୁବାଷ ଚନ୍ଦ୍ର ପଣ୍ଡା,ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠ୍,ବିଡ଼ିଓ ଲାବଣ୍ୟନ୍ଦୁ ମହାନ୍ତି, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରାଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, କୃଷି, ଉଦ୍ୟାନ,ବନ ବିଭାଗ ଅଧିକାରୀ ତଥା ଲୋକପ୍ରତିନିଧି ମାନେ ଉପସ୍ଥିତ ଥିଲେ । ୮୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୧୯ଟି ଅଭିଯୋଗ ତ୍ବରିତ ସମାଧାନ ହୋଇଥିଲା । ଭତ୍ତା, ବିଦ୍ୟୁତ୍, ରାସନ୍ କାର୍ଡ,ଆବାସ ଯୋଜନା ସମ୍ପର୍କିତ ଅଭିଯୋଗ ହୋଇଥିଲା । ଗଣିଆରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ବିଦ୍ୟୁତ୍ ସଂଯୋଗ କରିବାକୁ ସମିତି ସଭ୍ୟ ଫକୀର ମୋହନ ଡାକୁଆ ଅଭିଯୋଗ କରିଥିଲେ । ଗଣିଆରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରିବାକୁ ସରପଞ୍ଚ ଗିରିଧାରୀ ସେଠୀ ଅଭିଯୋଗ କରିଥିଲେ । ନୂଆଗାଁ ବ୍ଳକ ମଙ୍ଗଳପୁର ବସତି ନିକଟରେ ମା ବାଉତୀ ଷ୍ଟୋନ୍ କ୍ରସର ମାଲିକ ବେଆଇନ ଭାବେ ପଥର ବ୍ଳାଷ୍ଟି° କରୁଥିବା ନେଇ ଯୁଧିଷ୍ଠିର ପରିଡା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପଥର ବ୍ଳାଷ୍ଟି° ଦ୍ବାରା ଘରଦ୍ବାର ଫାଟି ଯାଉଥିବା ବେଳେ ଡଷ୍ଟ ଗୁଣ୍ଡ ଉଡି ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାରୁ ତୁରନ୍ତ ଉକ୍ତ କ୍ରସରକୁ ବନ୍ଦ କରିବାକୁ ସେ ଅଭିଯୋଗ କରିଥିଲେ ।ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ଦଲାଲ ମାତିଥିବା ଅଭିଯୋଗ କରିଥିଲେ ଭାପୁର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ । ଦଲାଲ ମାନେ ଆବାସ ଯୋଜନାରେ ଗୃହ ନିର୍ମାଣ କରାଇଦେବେ କହି ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧୀକାରୀ ମାନଙ୍କ ଠାରୁ ୨୦ ହଜାର ଟଙ୍କା ଲେଖାଏଁ ଲାଞ୍ଚ ମାଗୁଛନ୍ତି । ତେବେ ଏନେଇ ଏକ ସଚେତନତା ରଥ ବୁଝାଇବାକୁ ଭାପୁର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଆବେଦନ କରିଥିଲେ । ଆଜି ଗଣିଆରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିକୁ ଆସି ଜିଲ୍ଲାପାଳଙ୍କୁ ଭେଟି ସେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଯଦି ରଥ ବୁଲାଇବାକୁ ତାଙ୍କୁ ପରମିଶନ ନମିଳେ ତେବେ ସେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ଏହି ଶିବିର ପରିଚାଳନା କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment