BREAKING
Loading...
:

କୁଟିଆ କନ୍ଧଙ୍କ ଗାଁ ମନସ୍ତରାର ଦୁଃଖ, ଶୋଷ ମେଣ୍ଟାଉଛି ଝରଣା ପାଣି l

 କୁଟିଆ କନ୍ଧଙ୍କ ଗାଁ ମନସ୍ତରାର ଦୁଃଖ, ଶୋଷ ମେଣ୍ଟାଉଛି ଝରଣା ପାଣି l



ଖଟିଆରେ ବୁହାହୁଅନ୍ତି ଗର୍ଭବତୀ ଓ ଗୁରୁତର ରୋଗୀ 


ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ ବି ଫରକ ପଡୁନି


ଲାଞ୍ଜିଗଡ଼, ଗାଁର ନାଁ ମନସ୍ତରା । ଯୋଜନାର 'ଯ' ଓ ବିକାଶର ‘ବ' ଅକ୍ଷର ଯେମିତି ଏଠି ହଜିଯାଇଛି। ଜନତାଙ୍କୁ କେବଳ ଖୋଲା ଆକାଶ ଦେଖାଇ ଦିଆଯାଇଛି। ୟେ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ପଞ୍ଚାୟତ ମନସ୍ତରା ଗ୍ରାମବାସୀଙ୍କ ଦୁଃଖ। ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। କିନ୍ତୁ ମନସ୍ତରାର ଦୁଃଖ ଦୂର ହେଉନାହିଁ କି ସମସ୍ୟାର ସମାଧାନ ହେଉନି l ଏହାକୁ ନେଇ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ତାଗିଦ ପରେ ବି ସବୁ ଯୋଜନା ବାଟବଣା। ୪ ବର୍ଷ ହେଲା ଗାଁ ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ଦେଇ ଠକୁଛି ବ୍ଳକ ପ୍ରଶାସନ ବୋଲି ଗାଁ ଲୋକେ କହୁଛନ୍ତି। ସୂଚନା ଅନୁସାରେ, ଏହି ମନସ୍ତରା ଗାଁରେ ରାସ୍ତା ହିଁ ମୁଖ୍ୟ ସମସ୍ୟା ରହିଛି ୨୦୨୨ ମସିହା ମାର୍ଚ୍ଚ ୧୬ ତାରିଖରେ ଗାଁର ଜଣେ ଆଦିବାସୀ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଆସିପାରିନଥିଲା। ଯାହା ଫଳରେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩ କିମି ଦୂର ନେଇଥିବା ଦୃଶ୍ୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାକୁ ଭିତ୍ତି କରି ୨୦୨୨ ଗତ ମାର୍ଚ୍ଚ ୧୮ ତାରିଖ ମାନବାଧିକାର କର୍ମୀ ଦିଲୀପ ଦାସଙ୍କ ଆଗତ ମାମଲା କେସନଂ୭୬୮/୧୮,୦୬,୨୦୨୨ର ବିଚାର କରି ମାନବାଧିକାର କମିସନ ଗତ ୨୦୨୨ ମେ ୫ ତାରିଖରେ କଳାହାଣ୍ଡି ତତ୍କାଳୀନ ଜିଲ୍ଲାପାଳ ଡ଼.ଗାଲାଭି ପରାଗ ହର୍ଷଦଙ୍କୁ ନୋଟିସ୍ କରିଥିଲେ। ତିନି ମାସ ମଧ୍ୟରେ ମନସ୍ତରା  ଗାଁର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବାବଦରେ ରିପୋର୍ଟ ଦେବାକୁ ଜଣାଇଥିଲେ। ଇତି ମଧ୍ୟରେ ଜୁନ ୨୦୨୨ରେ ଜିଲ୍ଲାପାଳ ଶ୍ରୀ ହର୍ଷଦଙ୍କ ବଦଳି ହୋଇଗଲା।ତାଙ୍କ ସ୍ଥାନରେ କଳାହାଣ୍ଡି ଜିଲ୍ଲାପାଳ ଭାବେ ପି. ଅନ୍ଵେଷା ରେଡ୍ଡୀ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ଉପରେ ଜିଲ୍ଲାପାଳ ୨୦୨୨ ଅକ୍ଟୋବର ମାସରେ ବ୍ଲକ ପକ୍ଷରୁ ଦେଇଥିବା ମନସ୍ତରା ଗାଁର ବିକାଶକୁ ନେଇ ଦେଇଥିବା ରିପୋର୍ଟ ମାନବାଧିକାର କମିସନଙ୍କୁ ଦାଖଲ କରିଥିଲେ। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ,ମନସ୍ତରା ଗାଁ ଆଦିବାସୀଙ୍କ ପାଇଁ ଭଲ ରାସ୍ତା ନିର୍ମାଣ ହେଉଛି। ଗାଁର ସମସ୍ତ ପରିବାରକୁ ବିଜୁଳି ସଂଯୋଗ ଦିଆଯାଇଛି। ପିଇବା ପାଣି ବାବଦରେ ଏକ କୂଅ ଏବଂ ନଳକୂପ ଖନନ କରାଯାଇ ପାଣିର କୌଣସି ଅସୁବିଧା ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଦ୍ବାରା କମିସନଙ୍କୁ ଦେଇଥିବା ଏହି ଖବର ୨୦୨୨ ଅକ୍ଟୋବର ୨୯ ତାରିଖରେ ମନସ୍ତରା ବାସୀ ଜାଣି ପାରିଲେ। ଜିଲ୍ଲାପାଳ ପକ୍ଷରୁ ମାନବାଧିକାର କମିସନଙ୍କୁ ରିପୋର୍ଟ ଦାଖଲ ହୋଇଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଭିଯୋଗ କରିବା ସହ ଏହାର ଉଚିତ ତଦନ୍ତ ପାଇଁ ନୂତନ ଜିଲ୍ଲାପାଳ ନିକଟରେ ଦାବି କରିଥିଲେ। ଏହା ପରେ ଜିଲ୍ଲାପାଳ ନିଜେ ଗାଁକୁ ଯାଇ ତଦନ୍ତ କରିବାକୁ ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ଏହାପରେ ବ୍ଲକ ପ୍ରଶାସନ ମଧ୍ୟରେ ଛନକା ପଶିଥିଲା। ମିଥ୍ୟା ଖବର ଓ ନିଜ ଦୋଷକୁ ସୁଧାରିବା ପାଇଁ ବ୍ଳକର ତନାଘନା ଆରମ୍ଭ ହୋଇଥିଲା। ବ୍ଲକ୍ ପ୍ରଶାସନ ପକ୍ଷରୁ ତତ୍କାଳୀନ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ର ଗାଁକୁ ଚାଲ ଅଭିଯାନ ଆରମ୍ଭ କରି ବ୍ଲକ କର୍ମଚାରୀ ନେଇ ମନସ୍ତରା ଗାଁରେ ପହଞ୍ଚିଥିଲେ। ଗାଁର ୨୧ଟି ପରିବାର ସମସ୍ତ ସଦସ୍ୟଙ୍କୁ ଡାକି ଏକ ସଭାର ଆୟୋଜନ କରିଥିଲେ। ଗାଁରେ ୪ ଘଣ୍ଟା ବିତାଇବା ସହ ପ୍ରତିଲୋକଙ୍କ ସମସ୍ୟା ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ ହୋଇଥିଲା। ଗାଁର ମୁଖ୍ୟ ସମସ୍ୟା ହୋଇଥିଲା ରାସ୍ତା। ଜଳଜୀବନ ମିସନ ଜରିଆରେ ସୋଲାର ଶକ୍ତି ସଂଯୋଗ ସହ ପାଇପ ଜଳର ବ୍ୟବସ୍ଥା, ୧୭ଜଣ ହିତାଧିକାରୀଙ୍କୁ ଆବାସ ଗୃହରେ ସାମିଲ କରିବା, ଗାଁର ସମସ୍ତେ ଯେମିତି ଆଧାର କାର୍ଡ, ଭୋଟ କାର୍ଡ, ମମତା ଯୋଜନା, ବ୍ୟାଙ୍କ୍ ପାସବୁକରୁ କିପରି ବଞ୍ଚିତ ନରହିବେ ସେଥିପ୍ରତି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସମସ୍ତ ସମସ୍ୟାକୁ ଆଲୋଚନା କରି ମାତ୍ର କିଛି ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ସମାଧାନ କରା‌ଯିବ ବୋଲି ଗ୍ରାମବାସୀଙ୍କ ସମ୍ମୁଖରେ ତତ୍କାଳୀନ ଲାଞ୍ଜିଗଡ଼ ବିଡିଓ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ।କିଛି ମାସ ମଧ୍ୟରେ ବିଡିଓ ଶ୍ରୀ ମିଶ୍ରଙ୍କ ବଦଳି ହୋଇଗଲା। ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁର ସମସ୍ୟା କିମ୍ବା ଲୋକଙ୍କ କୌଣସି କାମ ହୋଇପାରି ନାହିଁ। ଗାଁରେ ପାଣି ସମସ୍ୟା ଲାଗି ରହିଥିବା ବେଳେ ୨ଟି ବୋରୱେଲ ଖୋଳା ଯାଇଛି ତାହା ପୁଣି ୩୦ ଫୁଟ ଅନ୍ୟପଟେ ସୋଲାର ଚାଳିତ ମୋଟର ସଂଯୋଗ ହୋଇଥିବା ବେଳେ ଟାଙ୍କିକୁ ପାଣି ଉଠୁ ନାହିଁ ଯାହାଫଳରେ ଏବେ ଲୋକେ ଝରଣା ପାଣି ଉପରେ ନିର୍ଭର କରୁଥିବା ବେଳେ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ପ୍ରକାଶ କରିଛନ୍ତି l ୧୩ ବର୍ଷ ହେଲା ଟ୍ରାନ୍ସଫର୍ମର ବସିଛି କିଛି ଲୋକଙ୍କ ଘରେ ମିଟର ବସିଛି କିନ୍ତୁ ବିଜୁଳି ସଂଯୋଗ କରାଯାଇ ନାହିଁ । ରାସ୍ତା ନିର୍ମାଣ ପାଇଁ ୨୦ ଲକ୍ଷରୁ ଅଧିକ ଟଙ୍କା ମଂଜୁର ହୋଇଛି ହେଲେ ପ୍ରଶାସନିକ ବିଭାଗୀୟ ଅଧିକାରୀଙ୍କ ତଦନ୍ତରେ ଅବହେଳା ଯୋଗୁଁ ରାସ୍ତା କାମ ଅଧାପନ୍ତରିଆ କରି ଠିକାଦାର ଅର୍ଥ ହଡ଼ପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ପୁଣି ଗାଁ ରାସ୍ତାକୁ ନେଇ ଗତ ୨୦୨୩ ନ‌ଭେମ୍ବର ମାସରେ ୧୦ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ୯୦ ପ୍ରତିଶତ କାମ ହୋଇନାହିଁ। କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କାର ଗାଁ ବିକାଶ ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ ପରେବି ଏହାର କୌଣସି ତଦନ୍ତ କରାଯାଉ ନାହିଁ।ଯାହା ଫଳରେ ରାସ୍ତାଟି ମରଣଜନ୍ମା ପାଲଟିଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ ବୋଲି ଗାଁର ରଘୁ ମାଝୀ, ଅର୍ଜୁନ ମାଝୀ, ମଙ୍ଗଲା ମାଝୀ, ଦୁଦୁରି ମାଝୀ, ଫଗୁ ମାଝୀ ସିତନ୍ୟ ମାଝୀ, ବୁଡା ମାଝୀ, ଦୁର୍ଯ୍ୟ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS