ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ଦୁଇ ବର୍ଷ: ସରକାରୀ ସହାୟତାରୁ ବଞ୍ଚିତ ପରିବାର, ଭୋକ ଉପାସରେ କଟୁଛି ଜୀବନ
ଦଲାଲଙ୍କ ପ୍ରଲୋଭନ, ଅଧିକାରୀଙ୍କ ଉଦାସୀନତା ଓ ଦୁର୍ଦ୍ଦଶାର ଚିତ୍ର — ଦାଦନ ଶ୍ରମିକ ଦୁର୍ଯ୍ୟୋଧନ ବେହେରାଙ୍କ ପରିବାରର କରୁଣ କାହାଣୀ
ବଲାଙ୍ଗୀର,-:
ଦାଦନ ଶ୍ରମିକଙ୍କ ସୁରକ୍ଷା, କଲ୍ୟାଣ ଓ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା ଓ ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଏହାର ସମ୍ପୂର୍ଣ୍ଣ ବିପରୀତ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣ୍ଡରେନ୍ ଗ୍ରାମର ଦାଦନ ଶ୍ରମିକ ସ୍ୱର୍ଗତ ଦୁର୍ଯ୍ୟୋଧନ ବେହେରାଙ୍କ ପରିବାରର ଅବସ୍ଥା ଏହି ବ୍ୟବସ୍ଥାର ବିଫଳତାକୁ ସାମ୍ନାକୁ ଆଣିଛି।
ଦୁଇ ବର୍ଷ ପୂର୍ବେ ପରିବାରର ଆର୍ଥିକ ସଙ୍କଟ ଦୂର କରିବା ଆଶାରେ ଦୁର୍ଯ୍ୟୋଧନ ବେହେରା ଘର ଛାଡ଼ି ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ଏହି ଯାତ୍ରାର ମୂଳରେ ଥିଲା ଜଣେ ଦାଦନ ସର୍ଦ୍ଦାରଙ୍କ ପ୍ରଲୋଭନ। କିଛି ଅଗ୍ରିମ ଟଙ୍କା ଦେଇ ତାଙ୍କୁ କାମ ପାଇଁ ପଠାଯାଇଥିଲା। ପରିବାରର ଆଶା ଥିଲା ଯେ, ବାହାର ରାଜ୍ୟରେ କାମ କରି ସେ ଘରର ଦୁଃଖ ଦୂର କରିବେ। କିନ୍ତୁ ଭାଗ୍ୟର ବିଡମ୍ବନା ତାଙ୍କ ପରିବାରକୁ ଅନାଥ କରିଦେଲା।
ପରିବାର ଓ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଇଟାଭାଟିରେ କାର୍ଯ୍ୟରତ ସମୟରେ ଦୁର୍ଯ୍ୟୋଧନ ହଠାତ୍ ଭାଟିରୁ ତଳେ ଖସିପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏହି ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଥିଲା।
ମୃତ୍ୟୁ ପରେ ଦାଦନ ଦଲାଲ ପରିବାରକୁ ଆଶ୍ୱାସନା ଦେଇଥିଲେ ଯେ ସେ ଦୁଇ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବେ। ଏହି ପ୍ରତିଶ୍ରୁତିରେ ବିଶ୍ୱାସ କରି ପରିବାର ଲୋକେ କୌଣସି ଆଇନଗତ ପଦକ୍ଷେପ ନେଇନଥିଲେ। ଅଭିଯୋଗ ଅନୁସାରେ, ଦଲାଲ ଜଣକ ପରେ କେବଳ ୨୦ ହଜାର ଟଙ୍କା ଦେଇ ସମ୍ପୂର୍ଣ୍ଣ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଦଲାଲ ପ୍ରଥମେ କାହାକୁ କୌଣସି ସୂଚନା ନଦେବାକୁ କହିଥିଲେ। ସହାୟତା ମିଳିବ ବୋଲି ଆଶା ରଖି ସେମାନେ ଘଟଣାକୁ ସାର୍ବଜନୀନ କରିନଥିଲେ। କିନ୍ତୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ନା ସରକାରୀ ସହାୟତା ମିଳିଲା, ନା କୌଣସି କ୍ଷତିପୂରଣ।
ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କ ମୃତ୍ୟୁ ପରେ ଘରର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ଦୁର୍ଯ୍ୟୋଧନଙ୍କ ପତ୍ନୀ ନିଜ ପରିବାରକୁ ଚଳାଇବା ପାଇଁ ପଣ୍ଡରେନ୍ ଗ୍ରାମ ସ୍କୁଲ ସମ୍ମୁଖରେ ଏକ ଛୋଟ କୁଡ଼ିଆ ନିର୍ମାଣ କରି ଟିଫିନ୍ ବିକ୍ରୟ କରୁଥିଲେ। ଏହି ଛୋଟ ବ୍ୟବସାୟ ହିଁ ପରିବାର ପାଇଁ ଏକମାତ୍ର ଆଶା ଥିଲା।
କିନ୍ତୁ ଦୁର୍ଭାଗ୍ୟ ସେଠାରେ ମଧ୍ୟ ପିଛା ଛାଡ଼ିନଥିଲା। ପରିବାରର ଅଭିଯୋଗ ଅନୁଯାୟୀ, କିଛି ଦୁର୍ବୃତ୍ତ ଆସି ଉକ୍ତ କୁଡ଼ିଆକୁ ଜାଳି ଦେଇଥିଲେ। ଫଳରେ ପରିବାରର ଏକମାତ୍ର ଜୀବିକାର ଉତ୍ସ ମଧ୍ୟ ନଷ୍ଟ ହୋଇଯାଇଛି। ଏନେଇ ତୁରେକେଲା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ମିଳିବାକୁ ଥିବା ସହାୟତା କାହିଁକି ମିଳିଲା ନାହିଁ? ଶ୍ରମ ବିଭାଗ କି ଏହି ଘଟଣା ସମ୍ପର୍କରେ ଅବଗତ ନଥିଲା, ନା କି ଅବଗତ ହୋଇ ମଧ୍ୟ ନିରବ ରହିଲା? ଦାଦନ ଶ୍ରମିକମାନଙ୍କ ପାଇଁ ରହିଥିବା ସୁରକ୍ଷା ବ୍ୟବସ୍ଥା କେବଳ କାଗଜପତ୍ରରେ ସୀମିତ ହୋଇ ରହିଛି କି?
ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ କହିଛନ୍ତି ଯେ, ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ। ମୃତ ଶ୍ରମିକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା, ବିଧବା ଭତ୍ତା, ପରିବାରର ଜଣେ ସଦସ୍ୟଙ୍କୁ ରୋଜଗାର ବ୍ୟବସ୍ଥା ଓ ଦାଦନ ଦଲାଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
ଦୁର୍ଯ୍ୟୋଧନ ବେହେରାଙ୍କ ପରିବାର ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ନ୍ୟାୟ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ଦୁଇ ବର୍ଷ ଧରି ଅବହେଳିତ ଏହି ପରିବାର ଏବେ ସରକାରୀ ସହଯୋଗକୁ ଶେଷ ଆଶା ଭାବେ ଚାହିଁ ବସିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment