ପ୍ରକଳ୍ପ ଅଧିକାର ଦ୍ୱାରା ଅନ୍ତର୍ଜାତୀୟ ବିଧବା ଦିବସ ପାଳିତ
ଦଶପଲ୍ଲା ୨୩/୦୬ :- ଦଶପଲ୍ଲା ବ୍ଲକ ଚଡେୟାପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହନୁମନ୍ତ ଗ୍ରାମରେ ପ୍ରକଳ୍ପ ଅଧିକାର ଦଶପଲ୍ଲା ଦ୍ୱାରା ଅନ୍ତର୍ଜାତୀୟ ବିଧବା ଦିବସ ପାଳନ ଅବସରରେ ମହିଳା ସଶକ୍ତିକରଣ, ନାରୀ ଅଧିକାର,ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ଶୀର୍ଷକ ଗୋଷ୍ଠୀ ଭିତ୍ତିକ ସଚେତନତା ଶିବିର ଅନୁଷ୍ଠିତ ହେଇଯାଇଛି। ଏ ସଭାରେ ଗ୍ରାମର ମହିଳା, ଅଙ୍ଗନବାଡି କର୍ମୀ, ସି.ଆର. ପି,ବିଧବା ମହିଳା ଓ ଗ୍ରାମ ଗୋଷ୍ଠୀ ଯୋଗଦାନ କରି ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଅନ୍ୟାୟ ଓ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରିବା ଓ ସାମାଜିକ ସ୍ତରରେ ଦୈନନ୍ଦିନ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ପ୍ରତିକାର ପାଇଁ ନାରୀ ସମାଜ ଐକ୍ୟବଦ୍ଧ ହୋଇ ସମ୍ମାନ ଓ ମର୍ଯ୍ୟାଦାର ସହ ବଞ୍ଚିବା ପାଇଁ ସଚେତନ ହେବା ପାଇଁ ଅଧିକାର ମିତ୍ର ବବିତା ନାୟକ ନିଜ ବକ୍ତବ୍ୟରେ କହିଥିଲେ। ବିଧବା ମହିଳା ମାନଙ୍କ ଅଧିକାର,ସ୍ବାସ୍ଥ୍ୟ ସୁରକ୍ଷା ଓ ସାମାଜିକ ସମ୍ମାନକୁ ସୁନିଶ୍ଚିତ କରିବା, ଆର୍ଥିକ ଓ ମାନସିକ ସମସ୍ୟା ପ୍ରତି ସଚେତନତା ବୃଦ୍ଧି କରିବା,ସମ୍ପତ୍ତି, ଶିକ୍ଷା,ସ୍ବାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ମହିଳା ମାନଙ୍କ ପ୍ରତି ହେଉଥିବା ଅବହେଳା ଓ କୁସଂସ୍କାର ଇତ୍ୟାଦି ଦୂର କରିବା ଏ ଦିବସର ଆଭିମୁଖ୍ୟ ବୋଲି ପ୍ରକଳ୍ପ ଅଧିକାରୀ ପ୍ରଭାତ କୁମାର ସାହୁ ନିଜ ବକ୍ତବ୍ୟରେ କହିଥିଲେ। ଆର୍ଥିକ ଅନାଟନ ଓ ଦାରିଦ୍ର୍ୟରେ ଜର୍ଜରିତ ହେଉଥିବା ଗ୍ରାମୀଣ ମହିଳା ମାନଙ୍କୁ ପ୍ରତି ସ୍ତରରେ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ୱାର୍ଡ ମେମ୍ବର ମଲା ଦେଈ ଓ ଆଶା କର୍ମୀ ରଞ୍ଜୁ ଵାଳା ସାହୁ ନିଜ ନିଜ ବକ୍ତବ୍ୟରେ କହିଥିଲେ। ବିଧବା ମହିଳାଙ୍କ ପ୍ରତି ସହାନୁଭୂତିଶୀଳ ହେବା ଓ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ପ୍ରେରିତ କରିବା,ସମାନ ସୁଯୋଗ ଓ ସାମାଜିକ ନ୍ୟାୟ ପାଇବା କ୍ଷେତ୍ରରେ ସେମାନଙ୍କୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ ବୋଲି ଉପସ୍ଥିତ ଗ୍ରାମବାସୀ ଅନୁଭବ କରିଥିଲେ। ବିଧବା ମହିଳାଙ୍କ ଅଧିକାର, ସାମାଜିକ ପ୍ରତିଷ୍ଠା, ସମ୍ମାନ, ସ୍ୱାଭିମାନ ଓ ମର୍ଯ୍ୟାଦା ରକ୍ଷା କରିବା ପାଇଁ ସମବେତ ସ୍ୱର ଉତ୍ତୋଳନ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିବା ବେଳେ ଗ୍ରାମ୍ୟ ଯୁବ ସ୍ବେଛାସେବୀ ପ୍ରତାପ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment