ମିଶ୍ରଣ ପରବର୍ତ୍ତୀ ବିକାଶର ରୂପରେଖ ଓ ୱାର୍ଡ ଗଠନ ନେଇ ଜଗଦଳପୁର ପଞ୍ଚାୟତରେ ସହର ତଳି କ୍ରିୟାନୁଷ୍ଠାନ କମିଟିର ବୈଠକ।
ବ୍ରହ୍ମପୁର ,
ମହାନଗର ପାର୍ଶ୍ଵବର୍ତ୍ତୀ ୧୪ ଟି ପଞ୍ଚାୟତର ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବା ପରେ ସେ ସବୁ ଅଞ୍ଚଳର ବିକାଶ ରୂପରେଖ କଣ ଏଵଂ ୱାର୍ଡ ଗଠନର ମାପଦଣ୍ଡ କିଭଳି ରହିବା ଦରକାର ତାହାରି ଉପରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଗଦଳପୁର ପଞ୍ଚାୟତରେ ପଞ୍ଚାୟତ ପ୍ରତିନିଧି , ବୁଦ୍ଧିଜୀବି ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଏକ ବିଚାର ବିମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ସରପଞ୍ଚ କ୍ରାନ୍ତି ଦେଵୀଙ୍କ ବାସଗୃହରେ ଅନୁଷ୍ଠିତ ବୈଠକରେ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଥିଲେ ଯେ ଦୀର୍ଘ ଦିନର ଲଢେଇ ପରେ ବର୍ତ୍ତମାନ ସହର ତଳି ଅଞ୍ଚଳର ଯେଉଁ ୧୪ ଟି ପଞ୍ଚାୟତ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ହେବାକୁ ଯାଉଛି ସେ ସବୁ ଅଞ୍ଚଳର ମୌଳିକ ଆବଶ୍ୟକତା , ସମସ୍ୟା,ଦାବୀ ଓ ଅସୁବିଧା କଣ ରହିଛି ବିଶେଷକରି ଭିତ୍ତିଭୂମି ଠାରୁ ଆରମ୍ଭ କରି ରୋଜଗାର ଓ ସାମାଜିକ କଲ୍ୟାଣ ଭିତ୍ତିକ ବିକାଶର ରୂପରେଖ କଣ ଓ ୱାର୍ଡ ଗଠନର ଆଧାର କିଭକି ରହିବା ଦରକାର ତାହାର ଏକ ଡିପିଆର ଓ ମ୍ୟାପ ପ୍ରସ୍ତୁତ କରାଯାଉଛି। ତାହାଙ୍କୁ ପୂର୍ଣ୍ଣାଙ୍ଗ ରୂପ ଦେବା ପୁର୍ବରୁ ନୂତନ ଭାବାରେ ମହାନଗର ନିଗମରେ ସାମିଲ ହୋଇଥିବା ଅଞ୍ଚଳର ନିର୍ବାଚିତ ପ୍ରତିନିଧି , ବୁଦ୍ଧିଜୀବି ଓ ସେଠାକାର ପ୍ରମୁଖ ସଚେତନ ନାଗରିକଙ୍କ ସହ ବୈଠକ କରାଯାଇ ପରାମର୍ଶ ଓ ଫିଡବ୍ୟାକ ନିଆଯିବ । ବିକାଶର ମୋଡେଲ ସମ୍ବନ୍ଧୀୟ ଯେଉଁ ମତାମତ ଓ ମୂଲ୍ୟବାନ ଫିଡବ୍ୟାବ ମିଳିବ ତାହାକୁ ଉକ୍ତ ଡିପିଆରରେ ସ୍ଥାନିତ କରାଯାଇ ଜିଲ୍ଲା ପ୍ରଶାସନ ଓ ଗୃହ ଏଵଂ ନଗର ଉନ୍ନୟନ ବିଭାଗ ନିକଟରେ ଦାଖଲ କରାଯାଇ ସେ ସବୁର କାର୍ଯ୍ୟକାରିତା ନିମନ୍ତେ ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ଅନୁରୋଧ କରାଯିବ। ଫଳରେ ଏହି ସବୁ ନୂତନ ଅଞ୍ଚଳର ବ୍ୟବସ୍ଥିତ ବିଦ୍ଧିବଦ୍ଧ ବିକାଶ ଓ ଉନ୍ନୟନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରୁ ଆର୍ଥିକ ସହାୟତା ମିଳି ପାରିବ। କମିଟି ଉପଦେଷ୍ଟା କାଳିନ୍ଦୀ ଚରଣ ନାୟକ ଓ ପ୍ରବୀଣ କୁମାର ପଟ୍ଟନାୟକ ବିକାଶର ରୋଲ୍ ମୋଡେଲ କିଭଳି ରହିବା ଦରକାର ବୈଠକରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ କ୍ରାନ୍ତି ଦେବୀ ଓ ସମିତି ସଭ୍ୟ ରବୀନ୍ଦ୍ର ପାତ୍ର ନିଜର ଦୃଷ୍ଟିକୋଣ ରଖୁଥିଲେ ।ସ୍ଥାନୀୟ ସରପଞ୍ଚ କ୍ରାନ୍ତି ଦେବୀ କମିଟି ଦ୍ବାରା ଏଭଳି ଏକ ପଦକ୍ଷେପ ନିଆଯାଇଥିବା ଜାଣି ସେ ଅତ୍ୟନ୍ତ ଖୁସି ଓ ଏହାର ଆବଶ୍ୟକତା ଥିଲା ବୋଲି କହିଥିଲେ। ସେ ଖୁବ୍ ଶୀଘ୍ର ଅନ୍ୟମାନଙ୍କ ସହ ବିଚାର ବିମର୍ଶ କରି ଆମର ସମସ୍ୟା,ଆବଶ୍ୟକତା ଓ ସମାଧାନର ପନ୍ଥା ଜନିତ ଏକ ଚିଠା ପ୍ରସ୍ତୁତ କରି କମିଟିକୁ ହସ୍ତାନ୍ତର କରିବେ। ଏହି ଅବସରର ଜଗଦଳପୁର ପଞ୍ଚାୟତ ପ୍ରଥମ ପଞ୍ଚାୟତ ରୂପେ ମିଶ୍ରଣ ସପକ୍ଷରେ ରେଯୋଲୁସନ ପାରିତ କରି ଦେଇଥିବା କାରଣରୁ ସରପଞ୍ଚ କ୍ରାନ୍ତି ଦେବୀଙ୍କୁ କମିଟି ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଆସନ୍ତା ପଞ୍ଚାୟତ ମିଶ୍ରଣ ପରବର୍ତ୍ତୀ ପଞ୍ଚାୟତ ସମ୍ପର୍କ ଅଭିଯାନ ଅଙ୍କୁଶପୁର ଠାରେ ଅନୁଷ୍ଠିତ ହେବ। ବୈଠକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ କମିଟି ସଭାପତିଙ୍କ ବ୍ୟତିତ ଏମ୍ ଲାବଣ୍ୟ ପାତ୍ର, ଦେବୀ ପ୍ରସାଦ ଦାସ,ବି ଭି ସାଗର, ଦିଗାମ୍ବର ସାମନ୍ତରାୟ, ସୁନିଲ ପାତ୍ର , ଅଜିତ୍ ପଟ୍ଟନାୟକ, କାହ୍ନୁ ଚରଣ ପତି, ସନ୍ତୋଷ ସାହୁ, ପ୍ରବୀଣ କୁମାର ପଟ୍ଟନାୟକ, କାଳିନ୍ଦୀ ଚରଣ ନାୟକ, ଜୀତେନ୍ଦ୍ର କୁମାର ପାଢ଼ୀ, ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ପୁରୁଷତ୍ତମ ପାତ୍ର, ଯୋଗିନ୍ଦର ବକ୍ସି, ବାଲା ରାଜୁ, ସିମାଞ୍ଚଳ ପାତ୍ର, ପଟା ବାସୁଦେବ ଓ ହାଡୁ ବେହେରା ପ୍ରମୁଖ ସାମିଲ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment