*ରାସ୍ତା କଡ଼ରୁ ଶାଗୁଆନ ଗଛ କାଟିନେଲେ ଦୁର୍ବୁତ୍ତ*
ସବୁ ଜାଣି ଚୁପ ବସିଛନ୍ତି ବନ ବିଭାଗର କତୃପକ୍ଷ
ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଅଞ୍ଚଳବାସୀ
ବାଲିମେଳା ,
ଜଙ୍ଗଲ ସମ୍ପଦର ସୁରକ୍ଷା, ବନୀ କରଣ, ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର, ବନ୍ୟ ପ୍ରାଣୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜନ ସାଧାରଣଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ବନ ବିଭାଗର ପ୍ରଥମ ଦାଇତ୍ୱ।ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ରେଞ୍ଜ ଅଧୀନ ନାକାମାମୁଡି ପଞ୍ଚାୟତ ର ବନାଞ୍ଚଳରେ ଏହାର ପ୍ରବଳ ମାତ୍ରାରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି।ମୁଖ୍ୟତଃ ଏଠାରେ କାର୍ଯ୍ୟରତ ଥିବା ବନ କର୍ମଚାରୀଙ୍କ ଦାୟିତ୍ୱ ଶୂନ୍ୟତା ଓ ଅପାରଗତା ଯୋଗୁ ପ୍ରତିଦିନ ଏହି ଅଞ୍ଚଳର ବିଭିନ୍ନ ପାହାଡ଼ରେ ଚୋରା କାଠ ବ୍ୟବସାୟୀ ମାନେ ଦିନ ଦିପହରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଶାଗୁଆନ ଓ ଅନ୍ୟାନ୍ୟ ଗଛ ଗୁଡିକୁ କାଟି ପଟା ଓ ଦଣ୍ଡା ଏବଂ କାଠ ଗଣ୍ଡି ଚୋରି କରି ନେବାରେ ଲାଗିଛନ୍ତି।ଫଳରେ ସବୁଜିମା ନଷ୍ଟ ହେବା ସହିତ ଅଞ୍ଚଳରେ ଏବଂ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି।ସୂଚନାଯୋଗ୍ୟ, ନାକାମାମୁଡି ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ କାଠ ମାଫିଆଙ୍କ ପ୍ରଦୁର୍ଭାବ ବଢିବାରେ ଲାଗିଛି।ଦିବାଲୋକରେ ରାସ୍ତା କଡରେ ଥିବା ମୂଲ୍ୟବାନ ଶାଗୁଆନ ଗଛ କାଟି ବିଭିନ୍ନ ଅଞ୍ଚଳ ଏବଂ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି।ଏହା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅଧୀନ ଡାଇକ-୩ ଗ୍ରାମକୁ ଲାଗି ରହିଥିବା ପାହାଡରେ ଥିବା ବହୁ ପୁରାତନ ଶାଗୁଆନ ଗଛ ଗୁଡିକୁ କଟା ଯାଇଥିବା ଦେଖିବାକୁ ମିଳିଛି।ପ୍ରାୟ ୫୦ ରୁ ଉର୍ଦ୍ଧ ଶାଗୁଆନ ଗଛ କାଟି ମାଫିଆ ମାନେ ନେଇଯାଇଛନ୍ତି।ଗତକାଲି ସନ୍ଧ୍ୟାରେ ସେଠାରେ କଟା କଟା ଯାଇଥିବା ପ୍ରାୟ ୫ ରୁ ଉର୍ଦ୍ଧ ବଡ ବଡ ଗଛର ଗଣ୍ଡି, ଅବଶିଷ୍ଟ କିଛି କାଠ ଓ ଦଣ୍ଡା ସେଠାରେ ପଡି ରହିଥିବା ଦେଖିବାକୁ ମିଳିଛି।ଏହି ଅଞ୍ଚଳ ବିଭିନ୍ନ ପାହାଡ଼ରୁ ଏବଂ ରାସ୍ତା କଡ ଜଙ୍ଗଲରୁ ପ୍ରତିଦିନ ମାଫିଆଙ୍କ ଦ୍ୱାରା ଗଛ କଟା ଯାଉଥିଲେ ମଧ୍ୟ୍ୟ ଏ ସମ୍ପର୍କରେ ଉକ୍ତ ଅଞ୍ଚଳ ଦାଇତ୍ୱରେ ଥିବା ବନ ବିଭାଗର କର୍ମଚାରୀ ଓ ଅଧିକାରୀମାନେ କିପରି କିଛି ଜାଣି ପାରୁନାହାନ୍ତି ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ଅଞ୍ଚଳ ଦାୟିତ୍ୱରେ ଥିବା ବନ କର୍ମଚାରୀ ଓ ଅଧିକାରୀ ସବୁ ଜାଣି ଶୁଣି ନୀରବ ରହୁଥିବା ଯୋଗୁ ଏଭଳି ପରିସ୍ଥିତି ହୋଇଛି ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।ଏହି ଅଞ୍ଚଳର ଗୋପୀଗୁଡା ନିକଟ ପାହାଡ଼, ଡ଼ାଇକ-୩ ଗାଁକୁ ଲାଗି ରହିଥିବା ପାହାଡ଼, ରଜାବନ୍ଦ, ଡୁମୁରିପଦର ଜଙ୍ଗଲ, ଗାର୍ଡେନ ପଦର ପିପଲା ପଦର ଏବଂ ଅନ୍ୟାନ୍ୟ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଥିବା ଶାଗୁଆନ ଓ ଅନ୍ୟାନ୍ୟ ମୂଲ୍ୟବାନ ଗଛ ଏକ ପ୍ରକାର ଲୋପ ପାଇ ଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି।ଗତ ଶନିବାର ସନ୍ଧ୍ୟାରେ ଡ଼ାଇକ-୩ ଗାଁ ନିକଟ ଜଙ୍ଗଲରେ ଗଛ କଟା ଯାଉଥିବା ସମ୍ପର୍କରେ ସୂଚନା ପାଇବା ପରେ ବାଲିମେଳା ବନାଞ୍ଚଳ ଅଧିକାରୀ ଲିପ୍ସିତା କଅଁର ଖବର ପାଇବା ସଙ୍ଗେ ସଙ୍ଗେ ସାଙ୍ଗରେ ବନପାଳ ମୋହନ ଗୁଡ଼ିଆ, ପାରା ଷ୍ଟାଫ ଆଦୁ ଖିଲ,ରାଜେନ୍ଦ୍ର ଖରା ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି କଟା ଯାଇଥିବା ଶାଗୁଆନ ଗଛ ଗୁଡିକର ଗଣ୍ଡି ଓ ଦଣ୍ଡା ଗୁଡିକୁ ଜବତ କରି ଏକ ଟ୍ରାକ୍ଟର ଯୋଗେ ବାଲିମେଳା ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି ବୋଲି ବାନାଞ୍ଚଳ ଅଧିକାରୀ ଶ୍ରୀମତୀ କଅଁର କହିଛନ୍ତି। ଅତି ବିଡମ୍ବନାର ବିଷୟ ଏହିକି ଯେ, ଏହି ଅଞ୍ଚଳରେ ପୂର୍ବରୁ ଏପରି ଘଟଣା ବହୁବାର ଘଟିଛି, ବିପୁଲ ପରିମାଣର କାଠ ମଧ୍ୟ ଜବତ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଅଞ୍ଚଳରେ ହେଉଥିବା ଗଛ କଟାକୁ ରୋକିବାରେ ଏବଂ କାଠ ମାଫିଆଙ୍କୁ ଧରିବାରେ ବନ ବିଭାଗ ସମ୍ପୂର୍ଣ ଭାବେ ବିଫଳ ହୋଇଛନ୍ତି। ଖାଲି ଏତିକି ନୁହେଁ ଅଞ୍ଚଳ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କତୃପକ୍ଷଙ୍କ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେଣୁ ଏହି ଅଞ୍ଚଳରେ ଥିବା ଜଙ୍ଗଲର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment