ଖଣ୍ଡପଡ଼ା ସୁନାମୁହିଁରେ ପ୍ରଥମ ବୋଇତ ବନ୍ଦାଣ ଉତ୍ସବ
ଖଣ୍ଡପଡ଼ା ୫|୧୧ (ମଣିଭଦ୍ରା ଖବର) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଖଣ୍ଡପଡ଼ା ସହରର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ଜଳଭଣ୍ଡାରରେ ପ୍ରଥମ ବୋଇତ ବନ୍ଦାଣ ଉତ୍ସବ ଏକ ମନୋଜ୍ଞ ପରିବେଶ ମଧ୍ଯରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାକ୍ରମେ ଆୟୋଜିତ କାର୍ଯ୍ଯକ୍ରମରେ ଶତାଧିକ ମହିଳାଙ୍କ ସମେତ ଖଣ୍ଡପଡ଼ା ସହରାଞ୍ଚଳରୁ ବହୁ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଯୋଗ ଦେଇଥିଲେ।ଓଡ଼ିଶାର ଗୌରବମୟ ଇତିହାସ ଓ ଅଭୂଲା ସ୍ମୃତିକୁ ଉଜ୍ଜୀବିତ କରି ରଖିବାର ମହତ ଲକ୍ଷ୍ଯ ନେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସମ୍ପର୍କରେ ମାନ୍ଯଗଣ୍ଯ ବ୍ଯକ୍ତିମାନେ ମତ ଦେବା ସହ ବୋଇତ ବନ୍ଦାଣ କାର୍ଯ୍ଯକ୍ରମର ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ।କାର୍ଯ୍ଯକ୍ରମର ପ୍ରାରମ୍ଭରେ ଓଡ଼ିଶାର କଳା, ସଂସ୍କୃତି,ଐତିହ୍ୟ ଓ ଗୌରବମୟ ପରମ୍ପରାକୁ ମନେ ପକାଇ ମହିଳାମାନେ ପ୍ରଥମେ ବୋଇତକୁ ବନ୍ଦାପନା କରିବା ପରେ ପୂଜାର୍ଚ୍ଚନା କରାଯାଇଥିଲା।ପରେ ସୁନାମୁହିଁର ନୀଳ ଜଳରାଶିରେ ବୋଇତ ଯୋଗେ ନୌବିହାରର ମଜା ନେଇଥିଲେ ଦର୍ଶକ ଓ କୁନିକୁନି ପିଲାମାନେ। ହରିବୋଲ ,ହୁଳହୁଳି ଧ୍ବନିରେ ବୋଇତ ବନ୍ଦାଣସ୍ଥଳ ଉତ୍ସବମୁଖର ହୋଇ ଉଠିଥିଲା। ସୁନାମୁହିଁ ଜଳଭଣ୍ଡାରରେ ବୋଇତ ବନ୍ଦାଣ ଉତ୍ସବ ବେଳେ ନିରାପତ୍ତାକୁ ଦୃଷ୍ଟିରେ ରଖି ଖଣ୍ଡପଡ଼ା ଅଗ୍ନିଶମ କର୍ମଚାରୀମାନେ ସେଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ। ପ୍ରତିବର୍ଷ ସୁନାମୁହିଁ ଜଳଭଣ୍ଡାରରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ଜଣାଇଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା


Post a Comment