BREAKING
Loading...
:

ଅଖୋଜ ବିରିଗଡ଼ ଆଜି ନିଖୋଜ ।

 ଅଖୋଜ  ବିରିଗଡ଼ ଆଜି ନିଖୋଜ ।



ଦଶପଲ୍ଲା : - ( ମଣିଭଦ୍ରା ଖବର) ଦିନଥିଲା ଦିନେ ଦଶପଲ୍ଲା ଗଡ଼ଜାତର ତତ୍କାଳୀନ ରାଜାଙ୍କ ନିରାପଦ ସ୍ଥାନ ଥିଲା ବିରିଗଡ଼  । ରାଜ୍ୟକୁ ଇଂରେଜଙ୍କ ପ୍ରବେଶ ପରେ ରାଜାଙ୍କ ଅସ୍ତ୍ରଶସ୍ତ୍ରକୁ ଏଠାରେ ସୁରକ୍ଷିତ ଭାବେ ରଖାଯାଉଥିଲା। ସେଠାରେ ମଧ୍ୟ ରାଜାଙ୍କର ଅନେକ କନ୍ଧସେନା ବସବାସ କରନ୍ତି। ଲୋକମତ ଅନୁଯାୟୀ, ଏହି ସୁଉଚ୍ଚ ପାହାଡ଼ ଉପରେ ରାଜାଙ୍କ ସ୍ବତନ୍ତ୍ର ଯୋଦ୍ଧା ବା ବୀରମାନେ ପ୍ରଶିକ୍ଷଣ ନେଉଥିଲେ। ଖିଞ୍ଜାଲି ରାଜା ତଥା ଅଧୁନାତନ ବୌଦ୍ଧ ରାଜ୍ୟପାର୍ଶ୍ବରୁ କୌଣସି ଆସନ୍ନ ବିପଦର ଆଶଙ୍କା କରାଗଲେ ଏହି ମୁଉଚ୍ଚ ପାହାଡ଼ର ବୀର ଚକଡ଼ା ଯାହାକି ଏକ ବଡ଼ପଥରରେ ନିଆଁ ହୁଳା କରାଯାଏ। ସେଠାରେ ଥିବା ଏକ ବିରାଟ ନିଶାଣ ବାଜାକୁ ମଧ୍ୟ ଅତି ଜୋରରେ ବାଦନ କରାଯାଉଥିଲା ଯାହାର ଶବ୍ଦ କୁଞ୍ଜବନଗଡ଼କୁ ଶୁଣାଯାଉଥିଲା ବୋଲି ଲୋକମତ ରହିଛି। ଏହି ପାହାଡ଼କୁ ଯିବାକୁ ହେଲେ ଟାକରା ପଞ୍ଚାୟତର ମିଟୁକୁଳି ନିକଟସ୍ତ ରତ୍ନଗଣୁଠାରୁ ପର୍ଯ୍ୟାୟକ୍ରମେ ୭ଟି ପାହାଡ଼ ଅତିକ୍ରମ କରି ଯିବାକୁ ହୋଇଥାଏ। ତେଣୁ ଏହି ପାହାଡକୁ ସାତ ପାହାଚ ପାହାଡ଼ ବୋଲି କୁହାଯାଉଥିଲା। ତାବେଡ଼ାଠାରୁ ପାନାବାରି ମଧ୍ୟରେ

ଏକ ସ୍ଥାନରେ ଚୌକି ଭଳି ଏକ ପଥର ମଧ୍ୟ ରହିଛି। ଯାହାକୁ ଚୌକି ପଥର ମଧ୍ୟ କୁହାଯାଏ । ଯେଉଁଥିରେ କି ରାଜାଙ୍କର ଉଚ୍ଚପଦସ୍ଥ କର୍ମଚାରୀମାନେ ବିଶ୍ରାମ ନେଉଥିବା କଥିତ ରହିଛି। ଦଶପଲ୍ଲାର ୪ ଶହ ୧୬ଟି ରାଜସ୍ବ ଗ୍ରାମ ମଧ୍ୟରେ ଏହି ରାଜସ୍ବ ଗ୍ରାମର ବେଶ୍ ସ୍ବତନ୍ତ୍ରତା ମଧ୍ୟ ରହିଛି  । ଏବେ ଏହି ସର୍ବପୁରାତନ ରାଜୁଡା ଅମଳର ବିରିଗଡ଼ ଗ୍ରାମର ଯୁବକ ଏବେ ଟାକରା ଗ୍ରାମ ପଞ୍ଚାୟତର ସରପଞ୍ଚ   । କାଳକ୍ରମେ ଏଠାରେ ରହୁଥିବା ଆଦିବାସୀ ସମୁଦାୟର ପରିବାରଗୁଡ଼ିକ ଜମିଦାର୍ ମଧ୍ୟ ଥିଲେ । ପାହାଡ଼ ଉପରେ ପ୍ରାୟ ୩ ଶହ ଏକରରୁ ଉର୍ଦ୍ଧ୍ବ ଚାଷଜମି ରହିଛି। ଗ୍ରାମରେ ୧୫ଟି ଆଦିବାସୀ ପରିବାରର ୭୦ରୁ ଉର୍ଦ୍ଧ୍ଵ ଜନସାଧାରଣ ବସବାସ କରୁଥିଲେ | ଏସବୁ ପରିବାର ଚାଷବାସ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ହାତୀଙ୍କ ଉପଦ୍ରବ ହେତୁ ଅଧିବାସୀମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ଫସଲ ଉଜୁଡ଼ିଯିବା ସହ ଘରଦ୍ଵାର ଭଙ୍ଗାରୁଜା କରିବା ଓ ଏପଟେ ପ୍ରଶାସନିକ କଳର ଉପେକ୍ଷା ମଧ୍ୟ ଅସହ୍ୟ ହୋଇପଡ଼ିଲା। ଶେଷରେ ଭୟରେ ପରିବାରଗୁଡ଼ିକ ଜମିବାଡ଼ି ଓ ଘରଦ୍ବରା ଛାଡ଼ି ଧୀରେଧୀରେ ଗାଁ ଛାଡ଼ିବା  ଆରମ୍ଭ କରିଥିଲେ । ତଡ଼େୟାପଲ୍ଲୀ, ବୁଗୁଡା , ତିଳାବାଡ଼ି, ବାଇଝରି, ବୁରୁସାହି, ମିଟୁକୁଲି ଆଦି ଗ୍ରାମରେ ଆସି ପରିବାରଗୁଡ଼ିକ ବସବା ସ କରୁଥିବା ବେଳେ ପ୍ରାୟ ୨୦୧୩ ମସିହା ବେଳକୁ  ଏହି ପୁରାତନ ରାଜସ୍ବ ଗ୍ରାମଟି ଜନଶୁନ୍ୟ ହୋଇଯାଇଛି ।   ଯେଉଁ ପରିବାର ଦିନେ ଥିଲେ ଜମିଦାର, ସେ ପରିବାର ଆଜି

ହୋଇ ପଡ଼ିଛି ନିଶ୍ବ , ସର୍ବହରା । ସରକାରୀ ତାଲିକାରେ  ଯଦିଓ ରାଜମ୍ଗ୍ରଗ୍ରାମର ନାଁ ରହିଛି , ତେବେ ଏହି ଗ୍ରାମରେ କୌଣସି ବି ଜନବସତି ନାହିଁ  । ଶହଶହ ଏକର ଚାଷଜମି ଘଞ୍ଚ ଜଙ୍ଗଳ ପରିପୂର୍ଣ୍ଣ ହୋଇ ରହିଛି। ଦିନେ ଜମିଦାର ସାଜିଥିବା ପରିବାର ଆଜି ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି ।  ରାଜାଙ୍କ ବୀରଗଡ଼ ଗ୍ରାମର ଯୁବକ ଏବେ ପଞ୍ଚାୟତର ମୁଖ୍ୟ  ସାଜିଛନ୍ତି  । ଗ୍ରାମର ସ୍ବର୍ଗତ ଶ୍ରୀରାମ ଜାନୀଳ ପୁଅ ମଦନ କୁମାର ଜାନୀ ଏବେ ଟାକରା  ଗ୍ରାମ ପଞ୍ଚାୟତର ସରପଞ୍ଚ ହୋଇପାରିଛନ୍ତି  ଏବଂ ତାକଂ ବଡଭାଇ  ଊଦ୍ଧବ ଜାନୀ ଏବେ ଜଣେ ଦକ୍ଷ ପୋଲିସ ଅଫିସର ଭାବରେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଅଧିଷ୍ଠିତ ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS