ବାଟ ହୁଡିଛି ମନରେଗା,ସନ୍ଦେହ ଘେରରେ କର୍ମଚାରୀ କଂ ଭୂମିକା।
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଦାଦନ ଶ୍ରମିକ ସଂଖ୍ୟା ହ୍ରାସ କରିବା ସହ ଶ୍ରମିକଙ୍କୁ ବାର୍ଷିକ ଶହେ ଦିନର କାମ ଯୋଗାଇ ଦେବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ମନରେଗା ଯୋଜନା କାର୍ଯ୍ୟକାରୀ ହେଉଛି । ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକ ଏବଂ କାର୍ଯ୍ୟର ସବିଶେଷ ତଥ୍ୟ ଦୈନିକ
ଅନ୍ଲାଇନରେ ସ୍ପଷ୍ଟ ଭାବେ ଦର୍ଶାଇବାର ନିୟମ ରହିଛି । ମାତ୍ର ଦଶପଲ୍ଲା ବ୍ଲକ୍ରେ ଏହି ଯୋଜନା ଦିଗହରା ହୋଇପଡ଼ିଛି। ଶ୍ରମିକଙ୍କୁ ମୋହରା ସଜାଇ ପ୍ରସ୍ତୁତ ହେଉଛି ମିଛିମିଛିକା ମଷ୍ଟରରୋଲ୍। ଏହା ପରେ ମଷ୍ଟରରୋଲ୍ ପ୍ରସ୍ତୁତ ହୋଇ
ଶ୍ରମିକଙ୍କ ନାମରେ ଉଠୁଛି ବିଲ୍ । ଏହି ଅର୍ଥକୁ ଆତ୍ମସାତ୍ କରିବା ପାଇଁ ବାବୁମାନେ ଏତେ ମାହିର୍ ସାଜିଛନ୍ତି ଯେ ଅନଲାଇନରେ ଦୈନିକ ଉପସ୍ଥାନରେ ସ୍ପଷ୍ଟ ଚିତ୍ର ବା ସୂଚନା ପରିବର୍ତ୍ତେ ଅସ୍ପଷ୍ଟ ଚିତ୍ର ଦର୍ଶାଇ ମଷ୍ଟରରୋଲ୍ ପ୍ରସ୍ତୁତ କରାଯାଉଛି। ଦଶପଲ୍ଲା ବ୍ଲକ୍ରେ ଏବେ ଯାହାବି ହେଉଛି ଅଧିକାଂଶ କାର୍ଯ୍ୟ ବନବିଭାଗ
କରୁଥିବା ଦେଖିବାକୁ ମିଳିଛି। ଦଶପଲ୍ଲା ବନାଞ୍ଚଳର ବିଭିନ୍ନ ସେକ୍ସନରେ ଏଭଳି ମନରେଗା କାର୍ଯ୍ୟରେ ନିୟୋଜିତ ଶ୍ରମିକ ଏବଂ ବିଭିନ୍ନ କାର୍ଯ୍ୟର ଅସ୍ପଷ୍ଟ ଭାବେ ଚିତ୍ରକୁ ଦର୍ଶାଇ ବିଲ୍ ପ୍ରସ୍ତୁତ କରାଯାଉଛି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଉପସ୍ଥାନରେ ଦର୍ଶାଯାଉଥିବା ଶ୍ରମିକଙ୍କ
ମଧ୍ୟରେ ଅନେକ ଶ୍ରମିକ କାମ ସମ୍ପର୍କରେ ଅବଗତ ନଥିବା ମଧ୍ୟ କହିଛନ୍ତି। ସେହିଭଳି ଗୋଟିଏ ଫଟୋକୁ ମଧ୍ୟ ଏକାଧିକ ମଷ୍ଟରରୋଲରେ ବ୍ୟବହାର କରିବା ସହ ଚଞ୍ଚକତା କରାଯାଇ ବିଲ୍ ପ୍ରସ୍ତୁତ କରାଯାଉଛି। ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment