BREAKING
Loading...
:

ଦୀର୍ଘଦିନର ଦୁର୍ଦ୍ଦଶାରୁ ମୁକ୍ତି କେବେ ? : ଶୋଚନୀୟ ରାସ୍ତାରେ ଯାତାୟାତ ଯନ୍ତ୍ରଣା, ନିର୍ମାଣ ଦାବିରେ ପୂର୍ତ୍ତ ବିଭାଗକୁ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ l

 ଦୀର୍ଘଦିନର ଦୁର୍ଦ୍ଦଶାରୁ ମୁକ୍ତି କେବେ ? : ଶୋଚନୀୟ ରାସ୍ତାରେ ଯାତାୟାତ ଯନ୍ତ୍ରଣା, ନିର୍ମାଣ ଦାବିରେ ପୂର୍ତ୍ତ ବିଭାଗକୁ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ l



ବାଲିଗୁଡ଼ା, -: ରାସ୍ତା ଅଛି, ହେଲେ ଯାତାୟାତ ପାଇଁ ନାହିଁ ଉପଯୁକ୍ତ ସୁବିଧା। ଖାଲଖମା ଓ ବଡ଼ ବଡ଼ ଗର୍ତ୍ତରେ ଭର୍ତ୍ତି ରାସ୍ତା ଏବେ ଲୋକଙ୍କ ପାଇଁ ଦୈନନ୍ଦିନ ଯନ୍ତ୍ରଣାର କାରଣ ପାଲଟିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମି ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡୁଛି। ଏଭଳି ଅବସ୍ଥାରେ ଦୀର୍ଘଦିନ ଧରି ଯାତାୟାତ ସମସ୍ୟା ଭୋଗୁଥିବା ସିନ୍ଦ୍ରିଗାଁ ପଞ୍ଚାୟତବାସୀ ଶେଷରେ ରାସ୍ତା ନିର୍ମାଣ ଦାବି ନେଇ ପୂର୍ତ୍ତ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି। ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ବାସଭବନଠାରୁ ସିନ୍ଦ୍ରିଗାଁ-କୁଟିକିଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି। ରାସ୍ତାସାରା ଖାଲଖମା ସୃଷ୍ଟି ହେବା ସହ ବଡ଼ ବଡ଼ ଗର୍ତ୍ତ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି ରାସ୍ତାରେ ଯାତାୟାତ ସମୟରେ ନିୟମିତ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କେବଳ ସିନ୍ଦ୍ରିଗାଁ ନୁହେଁ, ୪ରୁ ଊର୍ଦ୍ଧ୍ୱ ପଞ୍ଚାୟତର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ। ମେଡିକାଲ, ସ୍କୁଲ, କଲେଜ, ବଜାର ସମେତ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ପ୍ରତିଦିନ ଲୋକେ ବାଲିଗୁଡ଼ାକୁ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଜରୁରୀ ସମୟରେ ରୋଗୀଙ୍କୁ ମେଡିକାଲ ନେବାଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଯାତାୟାତ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହି ରାସ୍ତାର ଗୁରୁତ୍ୱ ରହିଛି। ଅନ୍ୟପକ୍ଷରେ ଏହି ରାସ୍ତାରେ ବାଲି ଲିଜ୍‌ପୋ ରହିଥିବାରୁ ଦିନରାତି ବାଲି ବୋଝେଇ ଭାରୀଯାନ ଚଳାଚଳ କରୁଛି। ଫଳରେ ରାସ୍ତା ଉପରେ ଯାନବାହନର ଚାପ ବୃଦ୍ଧି ପାଇବା ସହ ଏହାର ଅବସ୍ଥା ଆହୁରି ଖରାପ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ବର୍ଷା ହେଲେ ଗର୍ତ୍ତଗୁଡ଼ିକରେ ପାଣି ଜମି ରହୁଥିବାରୁ ଗାଡ଼ି ଚାଳକ ମାନେ ଗର୍ତ୍ତର ଗଭୀରତା ଆକଳନ କରି ନପାରି ଅସୁବିଧାରେ ପଡୁଛନ୍ତି। ଏଭଳି ସ୍ଥିତିରେ ରାସ୍ତାର ତୁରନ୍ତ ନିର୍ମାଣ ଓ ମରାମତି କରିବା ସହ ଯାତାୟାତ ଉପଯୋଗୀ କରିବାକୁ ସିନ୍ଦ୍ରିଗାଁ ପଞ୍ଚାୟତବାସୀ ପୂର୍ତ୍ତ ବିଭାଗର ବାଲିଗୁଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କେବଳ ଅସ୍ଥାୟୀ ମରାମତି ନୁହେଁ, ଏହି ଗୁରୁତ୍ୱପୂର୍ଣ୍ଣ ସଂଯୋଗୀ କରଣ ରାସ୍ତାର ସ୍ଥାୟୀ ନିର୍ମାଣ କରିବାକୁ ସେମାନେ ଦାବି ଜଣାଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ମନୋଜ ମଳିକ, ଟଙ୍କଧର ମଳିକ, ଟୁକେଲା ମଳିକ, ନୀଳକଣ୍ଠ ମଳିକ, ରାଜୀବ ମଳିକ ଓ ରମାକାନ୍ତ ମଳିକ ଉପସ୍ଥିତ ଥିଲେ। ଏଠାରେ ଲୋକଙ୍କ ପ୍ରଶ୍ନ ଏବେ ଗୋଟିଏ ଯେ, ହଜାର ହଜାର ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ଏହି ରାସ୍ତାର ସ୍ଥାୟୀ ନିର୍ମାଣ ପାଇଁ ବିଭାଗ କେବେ ପଦକ୍ଷେପ ନେବ ? ତାହା ଦେଖିବାକୁ ବାକି ରହିଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS