BREAKING
Loading...
:

କୋରାପୁଟ ଆଦିବାସୀ ଆନ୍ଦୋଳନର ପ୍ରମୁଖ ସ୍ୱର କମରେଡ୍ କଣ୍ଡଗୋରି ପାଇଡାମ୍ମାଙ୍କ ପରଲୋକ

 



କୋରାପୁଟ ଆଦିବାସୀ ଆନ୍ଦୋଳନର ପ୍ରମୁଖ ସ୍ୱର କମରେଡ୍ କଣ୍ଡଗୋରି ପାଇଡାମ୍ମାଙ୍କ ପରଲୋକ

କୋରାପୁଟ : ଚାଷୀ ମୂଲିଆ ଆଦିବାସୀ ସଂଘର ପ୍ରତିଷ୍ଠାତା ସଭାପତି ତଥା କୋରାପୁଟ ଅଞ୍ଚଳର ଆଦିବାସୀ ଓ ଚାଷୀ ମୂଲିଆଙ୍କ ଅଧିକାର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ନେତା କମରେଡ୍ କଣ୍ଡଗୋରି ପାଇଡାମ୍ମା ଗତକାଲି ରାତିରେ ମୃତ୍ୟୁ ବରଣ କରିଛନ୍ତି। ଦୀର୍ଘଦିନ ଧରି ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଅଧିକାର ପାଇଁ ଲଢ଼ି ଆସିଥିବା ଏହି ଲଢ଼ୁଆ ନେତାଙ୍କ ବିୟୋଗରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ସଂଗଠନ ମହଲରେ ଶୋକର ଛାୟା ଖେଳିଯାଇଛି।

 'ରୟତ କୁଲି ସଂଘ'(ଆନ୍ଧ୍ରପ୍ରଦେଶ)ର

 ଅନୁପ୍ରେରଣା ଲାଭ କରି କମରେଡ୍ ପାଇଡାମ୍ମାଙ୍କ ନେତୃତ୍ୱରେ ୧୯୯୭ ମସିହାରେ ଚାଷୀ ମୂଲିଆ ଆଦିବାସୀ ସଂଘ ଗଠନ କରାଯାଇଥିଲା। ଆରମ୍ଭରୁ ସେ ବନ୍ଧୁଗାଁ ବ୍ଲକର ବାଙ୍କିଡି ଓ ସିଲାବାଡ଼ି ଭଳି ଗ୍ରାମଗୁଡ଼ିକରେ ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ତାଙ୍କ ପ୍ରଚେଷ୍ଟାରେ ବ୍ଲକର ଏକାଧିକ ପଞ୍ଚାୟତକୁ ମଦମୁକ୍ତ କରାଯାଇପାରିଥିଲା।

ଜଙ୍ଗଲ ଅଧିକାର ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀଙ୍କ ହକ୍ ପାଇଁ ସେ ଆପୋଷହୀନ ସଂଗ୍ରାମ କରିଥିଲେ। ଏହି ଲଢ଼େଇକ୍ରମରେ ସେ ଦୁଇ ଦୁଇ ଥର ଜେଲ ମଧ୍ୟ ଯାଇଥିଲେ। ଏହାସହ ୨୦୦୬ ମସିହାର ବହୁଚର୍ଚ୍ଚିତ ନାରାୟଣପାଟଣା ଜମି ଆନ୍ଦୋଳନରେ ମଧ୍ୟ ସେ ପ୍ରମୁଖ ନେତୃତ୍ୱ ନେଇଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ବନ୍ଧୁଗାଁ ଅଞ୍ଚଳରେ ଜମି ଓ ଜଙ୍ଗଲ ଅଧିକାର ଆନ୍ଦୋଳନ ସହ ସକ୍ରିୟ ଭାବେ ଯୋଡ଼ି ରହିଥିଲେ।


ଆଦିବାସୀ ଓ ଚାଷୀ ମୂଲିଆଙ୍କ ସ୍ୱାର୍ଥରେ ସ୍ୱର ଉତ୍ତୋଳନ କରୁଥିବାରୁ ବିଭିନ୍ନ ସମୟରେ ପ୍ରଶାସନ ଓ ଆଦିବାସୀ ବିରୋଧୀ ତତ୍ତ୍ୱ ଦ୍ୱାରା ତାଙ୍କ ନାମରେ ମିଥ୍ୟା କେସ୍ ରୁଜୁ କରାଯାଇଥିଲା। ଅନ୍ୟପଟେ, 'ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଶାନ ସଭା' ସହ ଅନୁବନ୍ଧିତ ଚାଷୀ ମୂଲିଆ ଆଦିବାସୀ ସଂଘ ତାଙ୍କ ନେତୃତ୍ୱରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଚାଲିଥିବା ଖଣି ବିରୋଧୀ ଏବଂ ବିସ୍ଥାପନ ବିରୋଧୀ ଆନ୍ଦୋଳନକୁ ନିରନ୍ତର ସମର୍ଥନ ଓ ସଂହତି ଜଣାଇ ଆସିଥିଲା।

ଶୋଷଣ ଓ ନିର୍ଯାତନା ବିରୁଦ୍ଧରେ ଲଢ଼େଇ କରିଥିବା ଏହି ସଂଗ୍ରାମୀ ନେତାଙ୍କ ବିୟୋଗ ଚାଷୀ ମୂଲିଆ ସଂଘ ତଥା ସମଗ୍ର ଆଦିବାସୀ ଆନ୍ଦୋଳନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ଆଜି ସିଲାବାଡ଼ି ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ଏହି ଶବ ଶୋଭାଯାତ୍ରାରେ ସଂଘର ହଜାର ହଜାର କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇ ତାଙ୍କର ନେତାଙ୍କୁ ଅନ୍ତିମ ବିଦାୟ ଜଣାଇ ଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଶାନ ସଭାର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ନେତା ମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଚାଷୀ ମୂଲିଆ ସଂଘର ନେତା ମାଣ୍ଡି ଶ୍ରୀନୁ ଓ ସୁବାରାଓ କେଣ୍ଡୁକା ଏହି ସଭା ପରିଚାଳନ କରିଥିବା ବେଳେ

ରୟତ କୁଲି ସଂଘ'(ଆନ୍ଧ୍ରପ୍ରଦେଶ)ର ସମ୍ପାଦକ ଡି ବର୍ମା,ସମେତ ଶ୍ରୀ ନାଇଡୁ,ଭାସ୍କର ରାଓ,ଭେଙ୍କଟ ସ୍ୱାମୀ ଓ ଓଡ଼ିଶାର ସିତନା, ଡମ୍ବୁ,ଆଦନା,ନାଗେଶ, କ୍ରିମ,ସୁରମା,ପୁଆଳ କାୟୁ ଇତ୍ୟାଦି ଶ୍ରଦ୍ଧାଞ୍ଜଳି ଜଣାଇ ସାଥୀ ପାଇଡାମ୍ମା ଙ୍କୁ ଅନ୍ତିମ ଲାଲ ସଲାମ  ଜଣାଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS