BREAKING
Loading...
:

ଗଡ଼ିପାବାଲି ଭୂସ୍ଖଳନରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର...

 ଗଡ଼ିପାବାଲି ଭୂସ୍ଖଳନରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର...




କନ୍ଧମାଳ,


ଗଞ୍ଜାମ କନ୍ଧମାଳ ସୀମାନ୍ତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଇବାଲି ପଞ୍ଚାୟତର ଗଡିପାବାଲି ଗ୍ରାମରେ ଘଟିଥିବା ଭୟାବହ ଭୂସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟକୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଛଅ ଦିନର ଅକ୍ଳାନ୍ତ ଉଦ୍ୟମ ପରେ ଗୁରୁବାର ଦିନ ମାଟି ଓ ବିଶାଳ ପଥର ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ସହିତ ଏହି ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି।ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୮ ତାରିଖ ରାତିରେ ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗଙ୍ଗୁବାଲି ପାହାଡ଼ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଥିଲା। ଏଥିରେ ଗଡିପାବାଲି ଗ୍ରାମର ଅନେକ ଘର ମାଟି, ଗଛ ଓ ବିଶାଳ ପଥର ତଳେ ପୋତି ହୋଇଯାଇଥିଲା। ଘଟଣା ପରଠାରୁ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ।ଉଦ୍ଧାର ହୋଇଥିବା ୫ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ସେମାନଙ୍କ ପରିଚୟ ଭୂମିକା ପ୍ରଧାନ, ବିଜୟ ପ୍ରଧାନ, ବାଗ୍ରୀ ପ୍ରଧାନ, ଅରୁଣା ପ୍ରଧାନ ଓ ବିଜୟଲକ୍ଷ୍ମୀ ପ୍ରଧାନ ବୋଲି ପ୍ରଶାସନିକ ସୂଚନାରେ ପ୍ରକାଶ ପାଇଛି। ପରିବାରର ଆତ୍ମୀୟସ୍ୱଜନଙ୍କ ଉପସ୍ଥିତିରେ ମୃତଦେହଗୁଡ଼ିକର ପରିଚୟ ନିଶ୍ଚିତ କରାଯାଇଥିଲା। ପରିବାରବର୍ଗଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଘଟଣାସ୍ଥଳରେ ହିଁ ପାଞ୍ଚ ଜଣଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଆହୁରି ୬ ଜଣ ନିଖୋଜ ଥିବାରୁ ସେମାନଙ୍କ ସନ୍ଧାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଶାଳ ପଥର, ଦୁର୍ଗମ ପାହାଡ଼ିଆ ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥାର ଅଭାବ ଉଦ୍ଧାର କାର୍ଯ୍ୟକୁ ଅତ୍ୟନ୍ତ ଜଟିଳ କରିଛି।କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ସୂଚନା ଅନୁଯାୟୀ, ନିଖୋଜ ଲୋକଙ୍କ ସନ୍ଧାନ ନମିଳିବା ପର୍ଯ୍ୟନ୍ତ ଉଦ୍ଧାର ଅଭିଯାନ ଜାରି ରହିବ। ଅନ୍ୟପକ୍ଷରେ ପ୍ରଭାବିତ ପରିବାରଙ୍କୁ ଆବଶ୍ୟକ ସହାୟତା ଓ ଥଇଥାନ ବ୍ୟବସ୍ଥା କରିବାକୁ ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ଏହି ହୃଦୟବିଦାରକ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS