BREAKING
Loading...
:

ବଡ଼ଓଷା ଓ ପଞ୍ଚୁକ ପାଇଁ ୧୯ରୁ ୨୪ ପର୍ଯ୍ୟନ୍ତ ଟି-ବ୍ରିଜ୍‌ରେ ଯାନବାହନ ଚଳାଚଳ ନିଷେଧ

 ବଡ଼ଓଷା ଓ ପଞ୍ଚୁକ ପାଇଁ ୧୯ରୁ ୨୪ ପର୍ଯ୍ୟନ୍ତ ଟି-ବ୍ରିଜ୍‌ରେ ଯାନବାହନ ଚଳାଚଳ ନିଷେଧ



ବାବା ସିଂହନାଥଙ୍କ ପୀଠରେ ପଞ୍ଚୁକ ଓ ବଡ଼ଓଷା ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତାୟାତ କଟକଣା ଜାରି କରାଯାଇଛି। ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୧୯ ନଭେମ୍ବର ମଧ୍ୟରାତ୍ରିରୁ ୨୪ ନଭେମ୍ବର ମଧ୍ୟରାତ୍ରି ପର୍ଯ୍ୟନ୍ତ ଟି-ବ୍ରିଜ୍‌କୁ 'ନୋ ଭେହିକିଲ୍ ଜୋନ୍' ଘୋଷଣା କରାଯାଇଛି।ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣର ଅଧ୍ୟକ୍ଷ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ ଅନୁଯାୟୀ, ବଡ଼ମ୍ବା ପାର୍ଶ୍ୱରୁ ବୈଦେଶ୍ୱର ପାର୍ଶ୍ୱକୁ ସଂଯୋଗ କରୁଥିବା ସମଗ୍ର ଟି-ବ୍ରିଜ୍‌ରେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ।


ସେହିପରି ବଡ଼ମ୍ବା-ନରସିଂହପୁର ରାସ୍ତାର ଗୋପୀନାଥପୁର ଏବଂ ବାଙ୍କୀ-ବୈଦେଶ୍ୱର ରାସ୍ତାର ବୈଦେଶ୍ୱର ଛକ ଠାରେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଏବଂ ଆମ୍ବୁଲାନ୍ସକୁ ଏହି କଟକଣାରୁ ବାଦ୍ ଦିଆଯାଇଛି।

ବଡ଼ଓଷା ଓ ପଞ୍ଚୁକ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ବାବା ସିଂହନାଥଙ୍କ ଦର୍ଶନ ପାଇଁ ଆସୁଥିବାରୁ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା, ଟ୍ରାଫିକ୍ ବ୍ୟବସ୍ଥାର ସୁଚାରୁ ପରିଚାଳନା ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେଣୁ ଉକ୍ତ ସମୟ ମଧ୍ୟରେ ଯାତାୟାତ କରୁଥିବା ଜନସାଧାରଣ ପ୍ରଶାସନର ନିୟମାବଳୀ ପାଳନ କରିବା ସହ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।


ପବିତ୍ର କାର୍ତ୍ତିକ ମାସର ଅନ୍ତିମ ପାଞ୍ଚ ଦିନ ପଞ୍ଚୁକ ଅବସରରେ ବାବା ସିଂହନାଥଙ୍କ ପୀଠରେ ପ୍ରତିବର୍ଷ ଭକ୍ତଙ୍କ ଭିଡ ଜମୁଛି । କଟକ ବଡ଼ମ୍ବାର ମହାନଦୀ ମଝି ଦ୍ୱୀପରେ ଥିବା ଏହି ପ୍ରସିଦ୍ଧ ଶୈବ ପୀଠରେ ପଞ୍ଚୁକର ପାଞ୍ଚ ଦିନ ପର୍ଯ୍ୟନ୍ତ ଏଠାରେ ଅଖଣ୍ଡ ଦୀପ ଦାନ, ଭାଗବତ ପାଠ ଓ ନାମ ସଂକୀର୍ତ୍ତନ ଚାଲେ । ସେପଟେ ବଡ଼ଓଷା ହେଉଛି ବାବା ସିଂହନାଥଙ୍କ ସବୁଠୁ ବଡ଼ ବ୍ରତ । ବିବାହିତା ମହିଳା ମାନେ ସ୍ୱାମୀ ଓ ପରିବାରର ମଙ୍ଗଳ କାମନା କରି ଏଠାରେ ଉପବାସ ରଖିଥାନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS