ଫୁଲବାଣୀ ମେଡିକାଲ କଲେଜରେ ଚରମ ଅବହେଳା, ଭୁଲ୍ ଇଞ୍ଜେକ୍ସନ ନେଇ ୪୦ରୁ ଊର୍ଦ୍ଧ୍ୱ ମହିଳା ରୋଗୀ ଗୁରୁତର..
କନ୍ଧମାଳ:-
ସରକାରୀ ଡାକ୍ତରଖାନାରେ ରୋଗୀ ସେବାର ବିକଳ ଚିତ୍ର ପୁଣି ଥରେ ପଦାରେ ପଡ଼ିଛି। କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜର ମହିଳା ଭେଷଜ ୱାର୍ଡରେ ଭୁଲ୍ ଔଷଧ କିମ୍ବା ଇଞ୍ଜେକ୍ସନ ପ୍ରୟୋଗ ଯୋଗୁଁ ଏକାସାଙ୍ଗରେ ପ୍ରାୟ ୪୦ରୁ ଅଧିକ ମହିଳା ରୋଗୀ ସଙ୍କଟାପନ୍ନ ହୋଇପଡ଼ିଥିବା ଅଭିଯୋଗ ହୋଇଛି।ଜଣେ ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟାନ୍ୟ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ସହାୟତାରେ ରଖାଯାଇ ଜୀବନ ବଞ୍ଚାଇବାକୁ ସଂଘର୍ଷ ଚାଲିଛି।ମାତ୍ର ଇଞ୍ଜେକ୍ସନ ଦେବାର ୧୫ ମିନିଟ୍ ମଧ୍ୟରେ ଏହାର ମାରାତ୍ମକ ପାର୍ଶ୍ୱପ୍ରତିକ୍ରିୟା (ରିଆକ୍ସନ) ଦେଖାଦେଇଥିଲା। ଧୀରେ ଧୀରେ ପ୍ରାୟ ସମସ୍ତ ରୋଗୀ ଅସହ୍ୟ ଯନ୍ତ୍ରଣାରେ ବିଛଣାରେ ଛଟପଟ ହେବା ଆରମ୍ଭ କରିଥିଲେ। କାହାକୁ ପ୍ରବଳ ବାନ୍ତି ହୋଇଥିଲା ତ ଆଉ କାହାର ଦେହରେ କମ୍ପନ ସହ ଅତ୍ୟଧିକ ଜ୍ୱର ମାଡ଼ିଆସିଥିଲା।ଏଭଳି ସାଂଘାତିକ ପରିସ୍ଥିତି ଉପୁଜିବା ସତ୍ତ୍ୱେ ଡାକ୍ତରଖାନା କର୍ତ୍ତୃପକ୍ଷ ତଥା ଡିୟୁଟିରେ ଥିବା ଚିକିତ୍ସକଙ୍କ ଆଚରଣ ସମ୍ପୂର୍ଣ୍ଣ ଅମାନବୀୟ ଥିଲା ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ ଆଣିଛନ୍ତି। ରୋଗୀମାନେ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ବାରମ୍ବାର ଡାକିଲେ ମଧ୍ୟ ଡାକ୍ତର ତୁରନ୍ତ ଆସିନଥିଲେ, ବରଂ “କିଛି ହେବ ନାହିଁ” କହି ଦାୟିତ୍ୱ ଖସାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ମାନେ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଏ ବାବଦରେ ପଚାରିବାରୁ ସେ ଦାୟିତ୍ୱହୀନ ଉତ୍ତର ଦେବା ସହ କର୍କଶ ସ୍ୱରରେ ସାମ୍ବାଦିକଙ୍କ ଉପରକୁ ବର୍ଷିଥିଲେ। ଗୋଟିଏ କି ଦୁଇଟି ନୁହେଁ, ବରଂ ୪୦ରୁ ଅଧିକ ରୋଗୀ ଏକାବେଳକେ କିପରି ଗୁରୁତର ହେଲେ, ସେ ନେଇ କୌଣସି ସନ୍ତୋଷଜନକ ବୈଷୟିକ ଉତ୍ତର ମେଡିକାଲ ପ୍ରଶାସନ ପକ୍ଷରୁ ମିଳିପାରି ନାହିଁ।ରୋଗୀଙ୍କ ଜୀବନ ସହ ଏଭଳି ଖେଳ ଖେଳାଯିବା ଘଟଣାକୁ ନେଇ କନ୍ଧମାଳ ଜିଲ୍ଲାରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି। ସରକାର ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଡାକ୍ତରଖାନା ଖୋଲିଛନ୍ତି ନା ଖାମଖିଆଲି ଚିକିତ୍ସାରେ ଜୀବନ ନେବା ପାଇଁ ବୋଲି ରୋଗୀଙ୍କ ପରିବାର ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ଇଞ୍ଜେକ୍ସନର ମାନ (Quality), ଏକ୍ସପାଏରୀ ତାରିଖ କିମ୍ବା ଭୁଲ୍ ପ୍ରକ୍ରିୟା ସମ୍ପର୍କରେ ତୁରନ୍ତ ଫରେନସିକ୍ ଓ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଦ୍ୱାରା ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ), ଜିଲ୍ଲାପାଳ ତଥା ମେଡିକାଲ କଲେଜର ଡିନ୍ ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟରତ ଦୋଷୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି ଜଣାଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏହି ଚରମ ଅବହେଳା ଘଟଣାକୁ ଗମ୍ଭୀରତାର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ଜୋରଦାର ଦାବି ଉଠିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment