ବିଷ ପିଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଉତ୍ତେଜନା, ଆକ୍ରମଣରେ ଡାକ୍ତର ଆହତ
ବଡମ୍ବା ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଆକ୍ରମଣ । ବିଷ ପିଇ ଆସିଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଉନ୍ମତ୍ତ କାଣ୍ଡ । ଡାକ୍ତରଙ୍କ ଉପରକୁ ପଟାସ ପାଣି ଢାଳିବା ସହ ବାଲ୍ଟିରେ ପିଟିଲେ । ଆକ୍ରମଣରେ ଆହତ ଡାକ୍ତର ସନ୍ତୋଷ କାଣ୍ଡୋଲା କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ। ଅନ୍ୟପଟେ, ଡାକ୍ତରଙ୍କୁ ଆକ୍ରମଣର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ଡାକ୍ତରଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଗିରଫ କରିଛି ମାଣିଆବନ୍ଧ ପୋଲିସ । ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ କଷିକିଆରି ଗ୍ରାମର ଆଦର୍ଶ ସେଠ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଉପସ୍ଥିତ ଡାକ୍ତର ସନ୍ତୋଷ କାଣ୍ଡୋଲା ରୋଗୀଙ୍କୁ କେଉଁ ପଦାର୍ଥ ଖାଇଛନ୍ତି ଏବଂ କେତେ ପରିମାଣରେ ଖାଇଛନ୍ତି ବୋଲି ପଚାରିଥିଲେ ।
ଏହି ପଚରାଉଚରାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତେଜିତ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ରୋଗୀ ସୋଡିୟମ ଖାଇଥିବା କହିବା ପରେ ସମ୍ପର୍କୀୟମାନେ ଡାକ୍ତରଙ୍କ ଉପରକୁ ପଟାସ ପାଣି ଢାଳିବା ସହ ବାଲ୍ଟିରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଡାକ୍ତର ସନ୍ତୋଷ କାଣ୍ଡୋଲା ଆହତ ହୋଇଥିଲେ ।ଖବର ପାଇ ମାଣିଆବନ୍ଧ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତ ଡାକ୍ତରଙ୍କୁ ଉଦ୍ଧାର କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା ।
ଅନ୍ୟପଟେ, ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ ଶ୍ରବଣ କୁମାର ସେଠ ଓ ବିଜୟ କୁମାର ସେଠ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରଖିଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق